ମୌସୁମି ସକ୍ରିୟ : ଦୁଇଦିନ ବଜ୍ରପାତ ସହ ବର୍ଷା

ଭୁବନେଶ୍ୱର : ତେଲଙ୍ଗାନା ଉପରେ ଥିବା ଅପବାତ କର୍ଣ୍ଣାଟକ ମୁହାଁଇବା ସହିତ ଇତିମଧ୍ୟରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ତେବେ ସଡ଼ିଶା ଉପରେ ଅବପାତର କୌଣସି ପ୍ରଭାବ ନଥିଲେ ମଧ୍ୟ ଟ୍ରଫ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ମୌସୁମି ସକ୍ରିୟ ଥିବାରୁ କିଛି ସ୍ଥାନରେ ବର୍ଷା ଲାଗିରହିଛି। ଭୁବନେଶ୍ୱର ସମେତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଏପରିକି ବଜ୍ରପାତ ଯୋଗୁଁ ଏକାଧିକ ବ୍ୟକ୍ତିଙ୍କ ଜୀବନ ଯାଇଛି।

ଏବେ ଉତ୍ତର ଆନ୍ଧ୍ର ଉପକୂଳ ଓ ତେଲଙ୍ଗାନା ମଧ୍ୟ ଦେଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରୁ ପୂର୍ବ କେନ୍ଦ୍ରୀୟ ଆରବ ସାଗର ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ସୃଷ୍ଟି ହୋଇଛି। ଟ୍ରଫଲାଇନ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକକୁ ମୁହାଁଇଥିବା ଅବପାତ ଏବଂ ଏଥିସହ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଅଞ୍ଚଳ ଦେଇ ଗତି କରିଥିବାରୁ ଏହାର ପ୍ରଭାବରେ ମୌସୁମି ସକ୍ରିୟ ରହିଛି। ଓଡ଼ିଶା ଉପରେ ଏବେ ଅବପାତର ସିଧାସଳଖ ପ୍ରଭାବ ନାହିଁ, ତେବେ ଉପର ବାୟୁମଣ୍ଡଳରେ ଥିବା ଟ୍ରଫ ଏବଂ ଏହାର ପ୍ରଭାବରେ ବାୟୁପ୍ରବାହର ଦିଗ ବଦଳିଥିବା କାରଣରୁ ଆସନ୍ତା ୪୮ଘଣ୍ଟାରେ ଓଡ଼ିଶାର କିଛି ଜିଲାରେ ଘଡ଼ଘଡ଼ି ସହିତ ବର୍ଷା ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଆସନ୍ତାକାଲି ସକାଳ ସାଢ଼େ ୮ଟା ସୁଦ୍ଧା ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାଛଡ଼ା ଉତ୍ତର ଓଡ଼ିଶା ଉପକୂଳ, ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଓ ଦେବଗଡ଼ ଆଦି ଜିଲାର କିଛି ଅଞ୍ଚଳରେ ବଜ୍ରପାତ ସହ ବର୍ଷାର ସମ୍ଭାବନା ରହିଛି। ୧୫ତାରିଖ ସକାଳୁ ୧୬ତାରିଖ ସକାଳ ଭିତରେ ଉପକୂଳ ଓଡ଼ିଶା ସମେତ ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲାରେ ବଜ୍ରପାତ ସହିତ ବର୍ଷା ହୋଇପାରେ। ଏସବୁ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Comments are closed.