ତିନି ବ୍ଲକରେ ୩୦୦ମିମିରୁ ଅଧିକ ବର୍ଷା

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶା ବିଶେଷ କରି ଗଞ୍ଜାମ, ଗଜପତି ଆଦି ଜିଲାରେ ଦୁଇଦିନ ଧରି ପ୍ରବଳ ବର୍ଷା ହୋଇଛି। ଦୁଇଦିନ ଭିତରେ ଗଞ୍ଜାମର ତିନିଟି ବ୍ଲକରେ ୩୦୦ମିମିରୁ ଅଧିକ ବର୍ଷା ହୋଇଛି। କବିସୂର୍ଯ୍ୟନଗରରେ ୩୨୮, ଆସ୍କାରେ ୩୦୬, ପୁରୁଷୋତ୍ତମପୁରରେ ୩୦୬ ମିମି ବର୍ଷା ରେକର୍ଡ଼ ହୋଇଥିବାବେଳେ ଖଲିକୋଟରେ ୨୫୨, ସାନଖେମୁଣ୍ଡିରେ ୨୬୫, ଶେରଗଡ଼ରେ ୨୨୩, ମୋହନାରେ ୨୧୮ ମିମି ବର୍ଷା ହୋଇଛି। ବର୍ଷା ଯୋଗୁଁ ବଂଶଧାରା ଓ ଅନ୍ୟ କେତେକ ନଦୀରେ ଜଳସ୍ତର ବଢ଼ୁଛି। ତେବେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ଜଳସ୍ତର ବଢ଼ିଲେ ମଧ୍ୟ କୌଣସି ନଦୀରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି।
ଲଘୁଚାପଜନିତ ବର୍ଷା ଓ ପରବତ୍ତୀ ସ୍ଥିତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଲଘୁଚାପ ଡ଼ିପ ଡ଼ିପ୍ରେସନ ରୂପ ନେବା ପରେ ଗତକାଲି ଆନ୍ଧ୍ରର କାକିନଡ଼ା ଦେଇ ଲାଣ୍ଡଫଲ କରିଥିଲା। ଏଥିଯୋଗୁଁ ଓଡ଼ିଶାରେ ଦୁଇ ଦିନ ଧରି ନିର୍ଦିଷ୍ଟ ଭାବେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ହୋଇଛି। ଗଜପତି ଜିଲାର ୭ଟି ଜିଲାରେ ୧୫୦ମିମି ବା ତାଠାରୁ ଅଧିକ ବର୍ଷା ହୋଇଛି। ଗଞ୍ଜାମରେ ୧୬ଟି ବ୍ଲକରେ ୧୦୦ମିମିରୁ ଅଧିକ ହୋଇଥିବାବେଳେ କୋରାପୁଟର ନାରାୟଣପାଟଣାରେ ୨ଦିନରେ ୧୨୬, ନୟାଗଡ଼ର ଦଶପଲାରେ ୧୦୫ମିମି ବର୍ଷା ରେକର୍ଡ଼ କରାଯାଇଛି।
ଦୁଇ ଦିନରେ ଗଞ୍ଜାମ ଓ ଗଜପତିରେ ଅଧିକ ବର୍ଷାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗର ଯନ୍ତ୍ରୀମାନେ ପ୍ରଥମରୁ ସତର୍କ ହୋଇ ଜଳଭଣ୍ଡାରଗୁଡ଼ିକୁ ଉପଯୁକ୍ତ ଭାବେ ତଦାରଖ କରିଛନ୍ତି। ଜଳସମ୍ପଦ ବିଭାଗର ଯନ୍ତ୍ରୀମାନଙ୍କ ଆକଳନକୁ ଭିତ୍ତି କରି ସେ କହିଛନ୍ତି ଯେ ବର୍ଷା ଯୋଗୁଁ ଋଷିକୁଲ୍ୟାରେ ସାମାନ୍ୟ ବନ୍ୟା ଆସିବ, କିଛି ସ୍ଥାନ ବିଶେଷ କରି ପୁରୁଷୋତ୍ତମପୁରଠାରେ ବିପଦସଙ୍କେତ ଛୁଇଁଲେ ବି ବଡ଼ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ନାହିଁ।
ଶ୍ରୀ ଜେନା କହିଛନ୍ତି ଯେ ବର୍ଷା ହେଲେ ଆସିକା,ହିଞ୍ଜିଳି ଭଳି ଯେଉଁ ଅଞ୍ଚଳ ଶୀଘ୍ର ଜଳମଗ୍ନ ହୋଇଯାଏ ଗତବର୍ଷରେ ଡ୍ରେନେଜ କ୍ଲିୟରାନ୍ସ କରାଯିବା ପରେ ଏ ବର୍ଷ ଏତେ ବର୍ଷା ପରେ ବି ଜଳମଗ୍ନ ହୋଇନାହିଁ। ବଂଶଧାରା ନଦୀରେ ଜଳସ୍ତର ବଢ଼ିଥିଲା, ଇତିମଧ୍ୟରେ ଖସୁଛି। ଗୋଟା ବ୍ୟାରେଜର ୨୧ଟି ଗେଟ ଖୋଲା ଅଛି। ବଂଶଧାରରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା କରାଯାଉ ନାହିଁ। ବର୍ଷା କମିଯାଇଥିବାବେଳେ ଅଧିକ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ ହୋଇନାହିଁ। ତେଣୁ ଲଘୁଚାପଜନିତ ବର୍ଷା ସମସ୍ୟା ନିୟନ୍ତ୍ରଣରେ ଅଛି ଏବଂ ପରିସ୍ଥିତି ତଦାରଖ ପାଇଁ ଜଳସମ୍ପଦ ବିଭାଗ ଅଧିକାରୀମାନେ କ୍ଷେତ୍ରସ୍ତରରେ ସତର୍କ ଅଛନ୍ତି ବୋଲି ସେ କହିଛନ୍ତି।

Comments are closed.