୨୦ରୁ ଲଘୁଚାପ, ୩ଦିନ ବର୍ଷିବ

ଭୁବନେଶ୍ୱର : ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨୦ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସ୍ୱତନ୍ତ୍ର ବୁଲେଟିନରେ କୁହାଯାଇଛି। ଆଇଏମଡ଼ି ବୁଲେଟିନରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୦ତାରିଖଠାରୁ ଉପକୂଳ ଅଞ୍ଚଳରେ ୪୫ରୁ ୫୫କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ ଏହି ସମୟରେ ସମୁଦ୍ର ଖୁବ୍‍ ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ୨୦ ତାରିଖ ପୂର୍ବରୁ ଫେରିଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଆଇଏମଡ଼ି ଆକଳନ ଅନୁସାରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ଲଘୁଚାପ ସୃଷ୍ଟି ହେବା ପୂର୍ବରୁ ଆସନ୍ତା ୧୮ତାରିଖରେ ଘୂର୍ଣ୍ଣିବଳୟ ପ୍ରଭାବରେ ନବରଙ୍ଗପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲାରେ ବଜ୍ରପାତ ସହିତ ବର୍ଷାର ସମ୍ଭାବନା ରହିଛି। ୧୯ରେ ରାଜ୍ୟର ୧୫ଟି ଜିଲାରେ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ଆକଳନ କରାଯାଇଛି। ତେବେ ୨୦ରୁ ବର୍ଷା ପ୍ରଭାବ ବଢ଼ିବ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନକୁ ସଜାଗ ରଖିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି।

Comments are closed.