ମୌସୁମିକୁ ସକ୍ରିୟ କରୁଛି ଲଘୁଚାପ
ଭୁବନେଶ୍ବର : ପଶ୍ଚିମ କେନ୍ଦ୍ର ତଥା ସଂଲଘ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଚଳିତ ମାସ ୧୨ ତାରିଖ ବେଳକୁ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଦ୍ବାରା ମୌସୁମି ଅଧିକ ସକ୍ରିୟ ହେବ ବୋଲି ପାଣିପାଗ ବିଶେଷଜ୍ଞ ମତ ଦେଇଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇ ଥିବା ସୂଚନା ଅନୁସାରେ ୧୦ ତାରିଖରେ କନ୍ଧମାଳ, ନୟାଗଡ଼, ବୌଦ୍ଧ, ବରଗଡ଼, ଗଞ୍ଜାମ, ନୂଆପଡ଼ା ଏବଂ ବରଗଡ଼ ଜିଲାରେ ପ୍ରବଳ ବର୍ଷା ହେବ। ଉପରୋକ୍ତ ଜିଲାରେ ବର୍ଷା ପରିମାଣ ୬୪.୫ ମିମିରୁ ୧୧୫.୫ ମିମି ମଧ୍ୟରେ ରହିବ। ସେହିପରି ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି ଏବଂ ଗଜପତି ଜିଲାରେ ୧୧୫.୬ ମିମିରୁ ୨୦୪.୪ ମିମି ବର୍ଷା ହେବାର ସମ୍ଭାବନା ରହିଛି।
ଏସବୁ ଜିଲାରେ ଥିବା ତଳିଆ ଅଞ୍ଚଳରେ ପାଣି ଜମିବା ଭଳି ପରିସ୍ଥିତି ଦେଖା ଦେଇପାରେ। ୧୧ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ଏବେ ମୌସୁମି ସକ୍ରିୟ ଥିବାରୁ ବର୍ଷା ହେଉଛି। ୧୦ ତାରିଖରେ ଘୂର୍ଣ୍ଣିବଳୟ ସହିତ ମୌସୁମି ଟ୍ରଫ୍ ଲାଇନ୍ ମିଶିଯିବ। ୧୧ ତାରିଖ ବେଳକୁ ମୌସୁମି ଟ୍ରଫ୍ ଲାଇନ୍ ଅଧିକ ବିସ୍ତୃତ ହୋଇ ଓଡ଼ିଶା ଏବଂ ସଂଲଘ୍ନ ବଙ୍ଗୋପସାଗର ଆଡ଼କୁ ଗତି କରିବ। ଆସନ୍ତା ୧୨ ତାରିଖ ବେଳକୁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସଂଲଘ୍ନ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ଏବଂ ୨୪ ଘଣ୍ଟା ଭିତରେ ମୌସୁମି ଟ୍ରଫ୍ ପୂର୍ବ ଭାଗରେ ମିଶିଯିବ। ଏହା ପ୍ରଭାବରେ ଓଡ଼ିଶାରେ ମୌସୁମି ଅଧିକ ସକ୍ରିୟ ହେବ। ୧୦ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବ ଏବଂ ଅନ୍ୟ ସ୍ଥାନରେ ହାଲୁକା ବର୍ଷା ହେବ। ୧୨ ଓ ୧୩ ତାରିଖରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ କେତେକ ସ୍ଥାନରେ ବର୍ଷା ହୋଇପାରେ। ୧୫ ତାରିଖ ଯାଏ ଏପରି ସ୍ଥିତି ଲାଗିରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।
Comments are closed.