ଖସିଲା ତାତି, ଆସୁଛି ବର୍ଷା

ଭୁବନେଶ୍ବର : ରାଜ୍ୟରେ କେବେ ମୌସୁମି ପ୍ରବେଶ କରିବ ସେ ନେଇ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଆକଳନ କରାଯାଇ ନାହିଁ। ତେବେ ଆସନ୍ତା ୮ତାରିଖରେ ବଙ୍ଗେପାସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସହିତ ମୌସୁମି ପ୍ରବେଶ କରିବାର ସମ୍ଭାବନା ରହିଛି। ଏବେ ଟ୍ରଫଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଲାଗିରହିଛି। ଏଥିଯୋଗୁଁ ରାଜ୍ୟର ଅଧିକାଂଶ ଜିଲାରେ ଝଡ଼ବର୍ଷା ଓ ବଜ୍ରପାତ ଘଟୁଥିବା ଲକ୍ଷ୍ୟ କରାଯାଇଛି। ଝଡ଼ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ସମସ୍ତ ଜିଲାରେ ପାରଦ ୪୦ଡ଼ିଗ୍ରୀ ତଳେ ରହିଛି। କେବଳ ଭବାନିପାଟଣାରେ ସବାଧିକ ତାପମାତ୍ରା ୩୯.୫ଡ଼ିଗ୍ରୀ ସେଲସିୟସ ଥିବାବେଳେ ଅନ୍ୟ ସବୁ ଜିଲାରେ ପାରଦ ୩୯ଡ଼ିଗ୍ରୀରୁ କମ ରହିଛି। ଗତ ୨୪ଘଣ୍ଟାରେ ବାରିପଦାରେ ସର୍ବାଧିକ ୧୦୬ମିମି ବର୍ଷା ରେକର୍ଡ଼ କରାଯାଇଛି। ଏହାଛଡ଼ା ଝାରସୁଗୁଡ଼ା, ସମ୍ବଲପୁର, ତାଳଚେର, ରାୟଗଡ଼ା ଓ ଅନ୍ୟ କେତେକ ଅଞ୍ଚଳରେ ବର୍ଷା ହୋଇଛି। ପାଣିପାଗ ବିଭାଗ ବୁଲେଟିନରେ କୁହାଯାଇଛି ଯେ ଆସନ୍ତା ୮ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବ ଦିଗରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ୧୦ତାରିଖଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବ।
ଆସନ୍ତାକାଲି ଅଳ୍ପ କିଛି ଜିଲାରେ ବର୍ଷାର ସମ୍ଭାବନା ଥିବାବେଳେ ୭ତାରିଖରେ ଦକ୍ଷିଣ ଉପକୂଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ନବରଙ୍ଗପୁର, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କଟକରେ ବର୍ଷାର ସମ୍ଭାବନା ରହିଛି। ଏହି ସମୟରେ କୋରାପୁଟ, ରାୟଗଡ଼ା ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ଘଡ଼ଘଡ଼ି ସହିତ ବର୍ଷା ହେବ। ଆସନ୍ତା ୮ ଓ ୯ତାରିଖଠାରୁ ବର୍ଷା ପରିମାଣ ବଢ଼ିବ ବୋଲି ସୂଚନା ମିଳିଛି।
ଏବେ କେନ୍ଦ୍ରୀୟ ଆରବ ସାଗର, କର୍ଣ୍ଣାଟକ, ତାମିଲନାଡ଼ୁ, ପୁଡ଼ୁଚେରୀ, ଦକ୍ଷିଣ ପଶ୍ଚିମ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଞ୍ଚଳକୁ ମୌସୁମି ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। ଆସନ୍ତା ଦୁଇ ଦିନ ଭିତରେ ସମଗ୍ର ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଞ୍ଚଳରେ ମୌସୁମି ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।

Comments are closed.