ଦୁଇଦିନ ପରେ ବଦଳିବ ପାଗ

ଭୁବନେଶ୍ବର : ରାଜ୍ୟରେ ପାରଦ ତଳକୁ ଖସୁଥିବା ବେଳେ ମୌସୁମି ପ୍ରବେଶ ପାଇଁ ସ୍ଥିତି ଅନୁକୂଳ ହେଉଛି। ଆଜି କେବଳ ମାଲକାନଗିରିକୁ ବାଦ୍ ଦେଲେ ଅନ୍ୟ ସବୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଥିଲା। ରାୟଗଡ଼ାରେ ଆଜି ସର୍ବନିମ୍ନ ୩୦.୪ ଡିଗ୍ରୀ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଗୁରୁବାର ଦିନ କଳାହାଣ୍ଡି, ବରଗଡ଼, ସୋନପୁର, ଦେବଗଡ଼, ମୟୂରଭଞ୍ଜ ଓ ବାଲେଶ୍ବର ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହା ବ୍ୟତିତ କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗୀର, ଅନୁଗୋଳ, ସୁନ୍ଦରଗଡ଼, କେନ୍ଦୁଝର, ଢ଼େଙ୍କାନାଳ, କଟକ ଓ ଭଦ୍ରକ ଜିଲାରେ କାଳବୈଶାଖୀ ସମ୍ଭାବନା ଅଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ମଧ୍ୟରେ ରହିବ। ଏସବୁ ଜିଲାକୁ ଆସନ୍ତା ଦୁଇଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁକ୍ରବାର ଓ ଶନିବାର ଦିନ ପାଗ ଶୁଖିଲା ରହିବ। କିନ୍ତୁ ରବିବାର ଦିନ ପାଗ ପୁଣି ଅଶାନ୍ତ ହେବାର ସମ୍ଭାବନା ଥିବାରୁ ୯ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ୨/୩ ଡିଗ୍ରୀ କମ୍ ରହିବ।

Comments are closed.