ଆହୁରି ୪୮ଘଣ୍ଟା ବର୍ଷା ପ୍ରଭାବ

ଭୁବନେଶ୍ୱର : ଦେଶର ଅଧିକାଂଶ ରାଜ୍ୟରୁ ମୌସୁମି ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି। ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗରୁ ମୌସୁମି ଫେରୁଥିବାବେଳେ ଆସନ୍ତା ୩ରୁ ୪ଦିନ ମଧ୍ୟରେ ପୂର୍ବ ଓ କେନ୍ଦ୍ରୀୟ ଭାରତର ଅନ୍ୟାନ୍ୟ ଜିଲାରୁ ମୌସୁମି ଅପସରିଯିବାର ସମ୍ଭାବନା ରହିଛି। ତେବେ ଓଡ଼ିଶାରେ ଏ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲକ୍ଷ୍ୟ କରାଯାଉଛି। ଘୂର୍ଣ୍ଣିବଳୟ କାରଣରୁ ବର୍ଷା ପ୍ରଭାବ ଲାଗିରହିଛି। ଅନ୍ୟପକ୍ଷରେ ରାଜ୍ୟର ଅଳ୍ପ କିଛି ସ୍ଥାନରେ ପାରଦ ଖସୁଥିବାବେଳେ ଏ ପର୍ଯ୍ୟନ୍ତ ଶୀତ ପ୍ରକୋପ ଅନୁଭୂତ ହୋଇନାହିଁ। କେବଳ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୫ ପର୍ଯ୍ୟନ୍ତ ହ୍ରାସ ପାଇଛି। ଅନୁଗୋଳ ସୁନ୍ଦରଗଡ଼, କୋରାପୁଟ ଆଦି ଜିଲାରେ ସର୍ବନିମ୍ନ ତାପମାତ୍ରା ୧୮ ଡ଼ିଗ୍ରୀ ସେଲସିୟସକୁ କମିଛି। ମୌସୁମି ପ୍ରତ୍ୟାହୃତ ନହେବା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗତ ୨୪ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ ୩୧ମିମି ବର୍ଷା ହୋଇଥିବାବେଳେ ଭୁବନେଶ୍ବରରେ ୨୩ , ପାରାଦ୍ବୀପରେ ୨୨, ଅନୁଗୋଳରେ ୧୦, ସୁନ୍ଦରଗଡ଼ରେ ୧୩, କୋରାପୁଟରେ ୧୧ ଓ ଦାରିଙ୍ଗବାଡ଼ିରେ ୧୯ମିମି ବର୍ଷା ରେକର୍ଡ଼ କରାଯାଇଛି। ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ମିଳିଛି।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ସୋନପୁର, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଟକ ଆଦି ୧୭ଟି ଜିଲାରେ ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସେହିପରି ଆସନ୍ତା ୧୪ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ଗଜପତି ଓ ଗଞ୍ଜାମର କିଛି ସ୍ଥାନରେ ବର୍ଷା ହୋଇପାରେ। ଏଥିପାଇଁ ଉପରୋକ୍ତ ଜିଲାଗୁଡ଼ିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଆସନ୍ତା ୪୮ଘଣ୍ଟା ପରେ ବର୍ଷା ପ୍ରକୋପ କମିଯିବାର ସମ୍ଭାବନା ରହିଛି।

Comments are closed.