ରାଇମୋହନଙ୍କୁ ଝୁରୁଛି ଗାଁ ମାଟି, ଅଞ୍ଚଳରେ ଶୋକର ଛାୟା

ପାଟଣା: ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ରାଇମୋହନ ପରିଡା ଆଉ ନାହାନ୍ତି। ଏକଥାକୁ ନିଜ ଗ୍ରାମ ସାହାରପଡ଼ା ବ୍ଲକ ଉଦୟପୁରବାସୀଙ୍କ ସହ ପାଟଣା ନିର୍ବାଚନ ମଣ୍ଡଳୀବାସୀ ବିଶ୍ୱାସ କରି ପାରୁନାହାନ୍ତି। ଯେଉଁ କେନ୍ଦୁଝର ଜିଲ୍ଲା ନିଜ କୋଳରେ ଏଭଳି କାଳଜୟୀ କଳାକାରଟିଏ ଜନ୍ମ ଦେଇଥିଲା ସେହି ଜିଲ୍ଲାବାସୀ ମଧ୍ୟ ଝୁରି ହେଉଛନ୍ତି। ପତ୍ନୀ ଓ ଦୁଇ କନ୍ୟାଙ୍କୁ ନେଇ ତାଙ୍କର ହସିଲା ପୁରିଲା ସଂସାରରୁ ରାଇମୋହନ କାହିଁକି ମୁହଁ ଫେରାଇନେଲେ ଏହା ଆଜି ଜିଲ୍ଲା ତମାମ ଚର୍ଚ୍ଚା ଚାଲିଛି। କେବଳ ଜଣେ ଖଳନାୟକ ନୁହେଁ, ଚରିତ୍ର ଅଭିନେତା, ନାଟ୍ୟକାର, ଯlତ୍ରlଭିନେତl ଭାବେ ତାଙ୍କର ବେଶ ଖ୍ୟାତି ଥିଲା।

ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ନିର୍ଦ୍ଦେଶିତ ସାଗର ଚଳଚ୍ଚିତ୍ରରେ ସେ ପ୍ରଥମେ ଚଳଚ୍ଚିତ୍ର ଅଭିନୟ ଜୀବନ ଆରମ୍ଭ କରିଥିଲେ। ତେବେ ଚକା ଆଖି ସବୁ ଦେଖୁଛି ତାଙ୍କୁ ସୂତନ୍ତ୍ର ପରିଚୟ ଆଣି ଦେଇଥିଲା। ଉଦୟପୁର ଗ୍ରାମର ବାସିନ୍ଦା ତଥା କୃଷି ବିଭାଗରେ କାର୍ଯ୍ୟରତ ତାଙ୍କ ପିତା ସ୍ବର୍ଗତ ତୈଲୋକ୍ୟ ନାଥ ପରିଡ଼ା ଓ ମାତା ତିଳୋତ୍ତମାଙ୍କ ପୁଅ ରାଇମୋହନ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଶିକ୍ଷା ପରଠାରୁ ଆଉ ପଛକୁ ଫେରି ଚାହିଁ ନଥିଲେ। ପିତା ତୈଲୋକ୍ୟ ନାଥ ଓ ମାତା ତିଳୋତ୍ତମାଙ୍କ ୬ସନ୍ତାନ ମଧ୍ୟରେ ୧ ମାତ୍ର ପୁତ୍ର ଥିଲେ ରାଇମୋହନ। ସେ ୧୯୬୩ ମସିହା ଜୁଲାଇ ୧୦ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ। ସେ ଗ୍ରାମ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ପରେ ଅଷ୍ଟମ ଶ୍ରେଣୀ କେନ୍ଦୁଝର ଡିଏନ ଉଚ୍ଚ ବିଦ୍ୟାଳୟ ଓ ନବମ ଦଶମ ଗ୍ରାମ ଉଚ୍ଚବିଦ୍ୟାଳୟରେ ସମାପ୍ତ କରି କରଞ୍ଜିଆ ପଞ୍ଚପୀଢ଼ ମହାବିଦ୍ୟାଳୟ ରେ +୨ ପାଠ ପଢିଥିଲେ।

ସେଠାରୁ ସେ ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟକୁ ଯିବାପରେ ପ୍ରଥମେ ଥିଏଟର ଓ ପରେ ପରେ ଚଳଚ୍ଚିତ୍ର, ମଞ୍ଚ, ଟିଭି ପରଦାରେ ରହି ଅଜସ୍ର ଶ୍ରଦ୍ଧା ଓ ସମ୍ମାନ ସାଉଁଟିଥିଲେ। ତେବେ ଶ୍ରୀ ପରିଡା ସପରିବାର ଭୁବନେଶ୍ୱର ସ୍ତିତ ପ୍ରାଚୀ ବିହାର ଘରେ ରହୁଥିବା ସମୟରେ ପତ୍ନୀ ରଞ୍ଜିତା ଓ କନିଷ୍ଠା କନ୍ୟା ଇଶୁ ବଜାର ଯାଇଥିବା ସମୟରେ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ସେ ନିଜ ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଆଜି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି। ଶ୍ରୀ ପରିଡ଼ାଙ୍କ ବିୟୋଗରେ କଳlଜଗତର ଯେଉଁ ଅପୂରଣୀୟ କ୍ଷତି ଘଟିଛି ତାହା ଅବର୍ଣ୍ଣନୀୟ ବୋଲି ପାଟଣା ବିଧାୟକ ଜଗନ୍ନାଥ ନାଏକ ମତ ରଖିବା ସହ ଶୋକ ସନ୍ତୁପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ବିଧାୟକ ଶ୍ରୀ ନାଏକଙ୍କ ସହ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ପୂର୍ବତନ ବିଧାୟକ ହୃଷିକେଶ ନାଏକ ଓ କାହ୍ନୁ ଚରଣ ନାଏକ, ବିଜେଡି କୃଷକ ସେଲ ଜିଲ୍ଲା ସଭାପତି ଦୀପକ ରାଜ, କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଇଂ ବିନୋଦ ବିହାରୀ ନାଏକ ଓ ଇଂ ବିଦ୍ୟାଧର ଦାଶ, ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ସାହାରପଡା ବିଜେଡି ସଭାପତି ଗୋବିନ୍ଦ ମହାନ୍ତ, ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ, ବିଜେଡି ଏସସି ସେଲ ଜିଲ୍ଲା ସଭାପତି ଭରତ ପାତ୍ର, ସମାଜସେବୀ କୁଳମଣି ମଣ୍ଡଳ, ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ଉପଦେଷ୍ଟା ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ, ସଭାପତି ନୃସିଂହ ନାଥ ସିଂହ, ସାଧାରଣ ସମ୍ପାଦକ ଡକ୍ଟର ଭାଗବତ ଲେଙ୍କା, କାଳାନ୍ତର ସମ୍ପାଦକ ସୌମକlନ୍ତ ସାମନ୍ତରାୟ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ ରାଇମୋହନ ଗ୍ରାମରେ ସେ ନିଜ ହାତରେ ଯେଉଁ ମଙ୍ଗଳା ମନ୍ଦିରର ସସ୍ତ୍ରିକ ଭୂମି ପୂଜନ କରିଥିଲେ ସେହି ମନ୍ଦିରର ଆଜି ପ୍ରତିଷ୍ଠା ଉତ୍ସବରେ ମଧ୍ୟ ସେ ଯୋଗ ଦେବାର ଥିଲା। କିନ୍ତୁ ସେ ଗାଁକୁ ଆସିବା ପୂର୍ବରୁ ମୃତ୍ୟୁକୁ ବରଣ କରିନେଇଛନ୍ତି। ତାଙ୍କ ଗାଁ ଘରେ ତାଲା ଝୁଲୁଥିବା ବେଳେ ପ୍ରାଚୀ ବିହାର ଘରୁ ତାଙ୍କ ମର ଶରୀର ପୁରୀ ସ୍ବର୍ଗଦ୍ବାର ଯାଇଛି।

Comments are closed.