ସ୍ତ୍ରୀ ଏବଂ ଝିଅକୁ ଏହି ଶେଷ ମେସେଜ୍‌ ଦେଇଥିଲେ ରାଇମୋହନ- ରୂପେଲୀ ପରଦାର ଖଳନାୟକ ବାସ୍ତବରେ ଥିଲେ ଖୁସ୍‌ ମିଜାଜ୍‌ ଏବଂ ମେଳାପୀ ମଣିଷ

ଭୁବନେଶ୍ୱର(ଜିତ୍‌ ପଟ୍ଟନାୟକ)  – ୧୯୬୩ ମସିହା ଜୁଲାଇ ୧୦ ତାରିଖରେ କେନ୍ଦୁଝର ଜିଲ୍ଲାରେ ରାଇମୋହନ ଜନ୍ମଗ୍ରହଣ କରିଥିଲେ ।  ୨୪ ଜୁନ୍‌ ୨୦୨୨ ଏହି ଲୋକପ୍ରିୟ ଅଭିନେତାଙ୍କର ଶେଷ ଦିନ । ଭୁବନେଶ୍ୱର ପ୍ରାଚୀ ବିହାରରେ ଥିବା ନିଜ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତ ଶରୀରକୁ ଉଦ୍ଧାର କରାଯାଇଥିଲା । ସେ ଆତ୍ମହତ୍ୟା କରିଥିବା କଥା ସନ୍ଦେହ କରାଯାଉଛି । ତାଙ୍କର ଶେଷ ସିନେମା ଲୁବୁନ୍ ଟୁବୁନ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ଓମ୍‌ ସ୍ୱାହା । ସେ ଏଥିପାଇଁ ଶେଷ ପାରିଶ୍ରମିକ ୩୦ ହଜାର ଟଙ୍କା ନେବା ସହ ଶେଷ ଦସ୍ତଖତ ମଧ୍ୟ କରିଥିଲେ । ମୃତ୍ୟୁ ପୂର୍ବରୁ ନିଜ ସ୍ତ୍ରୀ ଏବଂ ଝିଅଙ୍କୁ ମୋବାଇଲ୍‌ରେ ଶେଷ ମେସେଜ୍‌ ଦେଇଥିଲେ ‘ବାଏ’ । ତାଙ୍କର ସର୍ବାଧିକ ଚର୍ଚ୍ଚିତ ତଥା ଲୋକ ପ୍ରିୟ ଡାଇଲଗ୍‌ ରଣଭୂମି ଫିଲ୍ମର ‘ଅନାନି… ’ ।

ପାରିବାରିକ ଅଶାନ୍ତି ନା ଅନ୍ୟ କୌଣସି କାରଣ ଯୋଗୁଁ ସେ ଆତ୍ମହତ୍ୟା କରିଥାଇ ପାରିନ୍ତି ବୋଲି ସନ୍ଦେହ କରାଯାଉଥିବା ବେଳେ ତାହାର କାରଣ ଜଣାପଡି ନାହିଁ। ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୁଲିସ ଏବଂ ସହିଦନଗର ପୁଲିସ ସହ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚିଥିଲେ । ଘଟଣାର ତଦନ୍ତ ଚାଲିଛି । କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଶବ ବ୍ୟବଚ୍ଛେଦ ସରିଛି । ହେଲେ ରାଇମୋହନ୍‌ ଆଉ ଦୁନିଆଁରେ ନାହାନ୍ତି ତାଙ୍କର ପ୍ରଶଂସକ ତଥା ସହକର୍ମୀ କଳାକାରମାନେ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ।

ରୂପେଲୀ ପରାଦର ଖଳନାୟକ ରାଇମୋହନ ବାସ୍ତବ ଜୀବନରେ ଥିଲେ ବେଶ୍‌ ଖୁସ୍‌ ମିଜାଜ୍‌ ଏବଂ ମେଳାପୀ । ବିଭିନ୍ନ ସ୍ଥାନରେ ବନ୍ଧୁ ଏବଂ ପ୍ରଶଂସକଙ୍କୁ ଭେଟୁଥିଲେ । ବିଭିନ୍ନ ଚା’ ଖଟିରେ ତାଙ୍କ ସହ ତାଙ୍କ ପ୍ରଶଂସକ, କଳାକାର ଏବଂ ବନ୍ଧୁମାନଙ୍କୁ ଦେଖିବା ପାଇଁ ମିଳୁଥିଲା । ସେ ଖୁସବାସିଆ ଅନ୍ଦାଜର କଥାବାର୍ତ୍ତା, ହସ୍‌ଖୁସୀ ଏବଂ ମେଳାପୀ ମଣିଷ । ପିଲାଦିନେ ଦେଖିଥିବା ଅଭିନୟର ସ୍ୱପ୍ନ ପୂରଣ କରିବା ପାଇଁ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଭିନୟରେ ନାମ ଲେଖାଇଥିଲେ । ୧୯୮୬ ମସିହାରେ ‘ପକା କମ୍ବଳ ପୋତ ଛତା’ରେ ତାଙ୍କୁ ଛୋଟ ଅଭିନୟ ମିଳିଥିଲା । ପ୍ରଯୋଜକ ବସନ୍ତ ନାୟକଙ୍କ ସହ ଏହି ସିନେମାର ନିର୍ଦେଶନା ଦେଇଥିଲେ ପ୍ରସିଦ୍ଧ ସିନେ ନିର୍ଦେଶକ ପ୍ରଶାନ୍ତ ନନ୍ଦ ।

ପରେ ସେ ୧୦୦ରୁ ଅଧିକ ଓଡ଼ିଆ ଏବଂ ବଙ୍ଗାଳୀ ସିନେମାରେ ଅଭିନୟ କରିଛନ୍ତି । ଦାଦାଗିରି, ସୁନା ସଂସାର, ସ୍ତ୍ରୀ, ରଣଭୂମି, ଜନ୍ମଦାତା, ରାଖି ଭିଜିଗଲା ଆଖି ଲୁହରେ, ରାମଲକ୍ଷ୍ମଣ, ନାଗପଞ୍ଚମୀ,  ଉଦଣ୍ଡି ସୀତା, କୃଷ୍ଣା କାବେରୀ, ଲକ୍ଷ୍ମୀ ପ୍ରତିମା, ଅର୍ଜୁନ, ମେଣ୍ଟାଲ୍‌, ରସିକ ନାଗର, ତୁ ଥିଲେ ମୋ’ ଡର କାହାକୁ, ‘ତୁ ମୋ ସୁନା ଚଢେଇ’ ଏବଂ ‘ମିଷ୍ଟର ମଜନୁ’, ଲକ୍ଷେ ଶିବ ପୂଜି ପାଇଚି ପୁଅ, ରଖିଲେ ଶିବ ମାରିବ କିଏ, କୋଟିଏ ମଣିଷ ଗୋଟିଏ ଜଗା ପରି ସୁପରହିଟ୍‌ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏହା ସହ ସେ ଥିଲେ ଜଣେ ବେଶ୍‌ ଲୋକପ୍ରିୟ ଯାତ୍ରା କଳାକାର । ଅନେକ ଟେଲିଭିଜନ ଧାରାବାହିକରେ ମଧ୍ୟ ସେ ଅଭିନୟ କରିଛନ୍ତି ।

ମୃତ୍ୟୁ ପୂର୍ବରୁ ସେ କେତକ ସିନେମାରେ ଅଭିନୟ କରିଛନ୍ତି । ରକ୍ଷକ, ଓମ୍‌ ସ୍ୱାହା, ଧରମା, ତୋ ପାଇଁ କିଛି କରିପାରେ ଏବଂ ବାଜିବଲୋ ସାହାନାଇ ପରି ସିନେମାରେ ସେ ଅଭିନୟ କରିଛନ୍ତି, ଯାହା ମୁକ୍ତିଲାଭ କରିବା ଅପେକ୍ଷାରେ । ରାଇମୋହନଙ୍କ ମୃତ୍ୟୁରେ ଓଡ଼ିଆ ସିନେଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

Comments are closed.