ପ୍ରବାସୀ ଶ୍ରମିକଙ୍କୁ କର୍ମନିଯୁକ୍ତି : ରେଳବାଇ ସୃଷ୍ଟି କରିବ ୮ଲକ୍ଷ କର୍ମ ଦିବସ

-ଅକ୍ଟୋବର ୩୧ ପର୍ଯ୍ୟନ୍ତ ୧୨୫ ଦିନ ପାଇଁ ପ୍ରବାସୀ ଶ୍ରମିକଙ୍କୁ ଭିତ୍ତିଭୂମି ପ୍ରକଳ୍ପରେ କର୍ମନିଯୁକ୍ତି ଦେବାକୁ ରେଳବାଇ ସୃଷ୍ଟି କରିବ ୮ ଲକ୍ଷ କର୍ମଦିବସ
-ଦେଶର ୬ ରାଜ୍ୟର ୧୧୬ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଗରିବ କଲ୍ୟାଣ ରୋଜଗାର ଅଭିଯାନର ସମୀକ୍ଷା କରୁଛି ରେଳ ମନ୍ତ୍ରଣାଳୟ
-ରାଜ୍ୟ ସ୍ତରରେ ସମସ୍ତ ୧୧୬ ଜିଲ୍ଲାରେ ରେଳବାଇ ନିଯୁକ୍ତି କରିବ ନୋଡାଲ ଅଧିକାରୀ
-ମିଶନ ମୋଡରେ ଚାଲିବ ଅଭିଯାନ, ୧୧୬ ଜିଲ୍ଲାରେ ହେବ ବିଭିନ୍ନ କିସମର କାମ ; ସର୍ବାଧିକ ପ୍ରବାସୀ ଶ୍ରମିକ ଥିବା ରାଜ୍ୟ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଏବଂ ଓଡିଶାରେ ହେବ କାମ
-ପ୍ରାୟ ୧୬୦ ପ୍ରକାରର ବିଭିନ୍ନ କାର୍ଯ୍ୟକ୍ରମ ଚିହ୍ନଟ

 

ନୂଆଦିଲ୍ଲୀ : ରେଳ ମନ୍ତ୍ରଣାଳୟ ଗୁରୁବାରଏହାର ରେଳ ମଣ୍ଡଳ ଓ ପିଏସୟୁ ଦ୍ଵାରା ଭିଡିଓ କନଫରେନ୍ସ ଜରିଆରେ ଗରିବ କଲ୍ୟାଣ ରୋଜଗାର ଅଭିଯାନର ସମୀକ୍ଷା କରିଛି । ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗତ ୨୦ ତାରିଖ ଦିନ ଗରିବ କଲ୍ୟାଣ ରୋଜଗାର ଅଭିଯାନ ୬ଟି ରାଜ୍ୟର ୧୧୬ଟି ଚିହ୍ନିତ ଜିଲ୍ଲାରେ ଆରମ୍ଭ କରାଯାଇଛି । ଏହି ରାଜ୍ୟଗୁଡିକ ହେଲା ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ଓଡିଶା ଓ ଝାଡଖଣ୍ଡ।

ରେଳବାଇ ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିନୋଦ କୁମାର ଯାଦବ ଆଜି ଏସମ୍ପର୍କରେ ସାଧାରଣ ପରିଚାଳକ ଏବଂ ମଣ୍ଡଳ ପରିଚାଳକ ଓ ପିଏସୟୁର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି । ବୈଠକରେ ଶ୍ରୀ ଯାଦବ ଆଞ୍ଚଳିକ ରେଳବାଇଗୁଡ଼ିକୁ ଏହି ଅଭିଯାନ କାର୍ଯ୍ୟକାରୀ ହେଉଥିବା ଜିଲ୍ଲାଗୁଡିକ ପାଇଁ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି । ନିଯୁକ୍ତ ଅଧିକାରୀମାନେ ଅଭିଯାନ ସମ୍ପର୍କରେ ରାଜ୍ୟ ସରକାରଙ୍କ ସହ ସମନ୍ଵୟ ରକ୍ଷା କରିବେ । ଏହାଛଡା ପ୍ରବାସୀ ଶ୍ରମିକମାନେ ଯେପରି ବ୍ନିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ ପାଇବା ସହ ନିୟମିତ ଭାବେ ସେମାନଙ୍କ ଦେୟ ପାଇବେ, ତାହା ଦେଖିବାକୁ ଶ୍ରୀ ଯାଦବ ଆଞ୍ଚଳିକ ରେଳବାଇ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯାନ ପାଇଁ ଚିହ୍ନଟ ଜିଲ୍ଲାଗୁଡିକରେ ଭିତ୍ତିଭୂମି କାର୍ଯ୍ୟ ଯେପରି ଆଗେଇ ଚାଲିବ ତାହା ଦେଖିବାକୁ ଆଞ୍ଚଳିକ ରେଳବାଇ କର୍ତ୍ତୃପକ୍ଷଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରାୟ ୧୬୦ଟି ଭିତ୍ତିଭୂମି ଭିତ୍ତିକ କାର୍ଯ୍ୟ ଚିହ୍ନଟ କରାଯାଇଛି । ଆଗାମୀ ଅକ୍ଟୋବର ମାସ ସୁଦ୍ଧା ସହସ୍ରାଧିକ ପ୍ରବାସୀ ଶ୍ରମିକ ଏଥିରେ ନିଯୁକ୍ତି ପାଇବା ଫଳରେ ପ୍ରାୟ ୮ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହେବ। ଏହିସବୁ ଜିଲ୍ଲାରେ ପ୍ରାୟ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ମନରେଗା ଜରିଆରେ କରାଯିବାକୁ ଥିବା ରେଳବାଇ କାର୍ଯ୍ୟ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି । ଏହି କାର୍ୟ୍ୟଗୁଡିକ ହେଲା – (୧) ରେଳ ଫାଟକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ନିର୍ମାଣ ଓ ରକ୍ଷଣାବେକ୍ଷଣ, (୨) ଜଳ ପରିବେଷ୍ଟିତ ରାସ୍ତା, ନାଳ ଓ ଟ୍ରାକଗୁଡିକର ମରାମତି ଓ ବିକାଶ, (୩) ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ନିର୍ମାଣ ଓ ରକ୍ଷଣାବେକ୍ଷଣ, (୪) ବର୍ତ୍ତମାନ ଥିବା ରେଳବାଇ କଟିଂସ ଗୁଡିକର ମରାମତି ଓ ପ୍ରଶସ୍ତିକରଣ, (୫) ରେଳବାଇ ଜମିରେ ବୃକ୍ଷ ରୋପଣ, (୬) ବିଭିନ୍ନ ପୋଲ, କଟିଂ, ଖାଲି ପଡିଥିବା ଜାଗା ଗୁଡିକର ସୁରକ୍ଷା ଇତ୍ୟାଦି ।

ମନରେଗା ଅଧୀନରେ ପ୍ରସ୍ତାବିତ କାର୍ଯ୍ୟ ପାଇଁ ମଞ୍ଜୁରି ପ୍ରାପ୍ତ କରିବାକୁ ଆଞ୍ଚଳିକ ରେଳବାଇ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିଦିନ ଆଞ୍ଚଳିକ ରେଳବାଇ ପକ୍ଷରୁ କାର୍ଯ୍ୟର ତଦାରଖ କରାଯାଇ ଅକ୍ଟୋବର ମାସ ଶେଷ ପର୍ୟ୍ୟନ୍ତ ପ୍ରତି ଶୁକ୍ରବାର ମନ୍ତ୍ରଣାଳୟକୁ ତଥ୍ୟ ଦେବାକୁ ପଡିବ। ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୃହତ କର୍ମ ନିଯୁକ୍ତି ଅଭିଯାନ ଆରମ୍ଭ କରିଛନ୍ତି। ଗରିବ କଲ୍ୟାଣ ରୋଜଗାର ଅଭିଯାନ ଭାବେ ନାମିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଭିନ୍ନ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ କର୍ମନିଯୁକ୍ତି ସୁଯୋଗ ମିଳିବ । କୋଭିଡ ବୈଶ୍ଵିକ ମହାମାରୀର ମୁକାବିଲା ତଥା ପ୍ରବାସୀ ଶ୍ରମିକଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗତ ୨୦ ତାରିଖ ଦିନ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅଧିନରେ ଗ୍ରାମାଞ୍ଚଳରେ ସ୍ଥାୟୀ ଭିତ୍ତିଭୂମିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ପାଇଁ ଘୋଷଣା କରିଛନ୍ତି । ୧୨୫ ଦିନିଆ ଏହି ଅଭିଯାନ ମିଶନ ମୋଡରେ ଚାଲିବ । ଦେଶର ବଛା ବଛା ୧୧୬ଟି ଜିଲ୍ଲାରେ ୨୫ ପ୍ରକାରର ବିଭିନ୍ନ କାର୍ୟ୍ୟ କାର୍ୟ୍ୟକାରୀ ହେବ । ସର୍ବାଧିକ ପ୍ରବାସୀ ଶ୍ରମିକ ଫେରିଥିବା ଏହି ୬ଟି ରାଜ୍ୟ ଯଥା – ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡିଶା ଏବଂ ଝାଡଖଣ୍ଡରେ ଏହି କାର୍ଯ୍ୟଗୁଡିକ କରାଯିବ। ଏହି ଅଭିଯାନକୁ ୧୨ଟି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଏହି କାର୍ଯ୍ୟକ୍ରମ ଗୁଡିକୁ ସହଯୋଗ କରିବେ।

Comments are closed.