ବୋନସ୍‌ ଦାବି ନେଇ ଧର୍ମଘଟକୁ ଓହ୍ଲାଇବେ ରେଳ କର୍ମଚାରୀ

ନୂଆଦିଲ୍ଲୀ : ବର୍ତ୍ତମାନର କରୋନା ସମୟରେ ଦେଶର ଜୀବନରେଖା କୁହାଯାଉଥିବା ଭାରତୀୟ ରେଳ କର୍ମଚାରୀ ଏବେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି। କାରଣ ବୋନସ୍‌ ଏବଂ ଅନ୍ୟାନ୍ୟ ଦାବି ନେଇ ଧର୍ମଘଟକୁ ଓହ୍ଲାଇବେ ଏହି ରେଳ କର୍ମଚାରୀ। ନ୍ୟାସନାଲ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆନ୍‌ ରେଲୱେମେନ୍‌ (ଏନ୍‌ଏଫ୍‌ଆଇଆର୍‌) ପକ୍ଷରୁ ଏହି ଧର୍ମଘଟ ଦିଆଯାଇଛି। ତେବେ ସଂଘ କେବେଠାରୁ ଧର୍ମଘଟ କରିବ ସେ ନେଇ କୌଣସି ଦିନ ଧାର୍ଯ୍ୟ ହୋଇନାହିଁ। ଏନ୍‌ଏଫ୍‌ଆଇଆର୍‌ ହେଉଛି ରେଳବାଇ ଦ୍ବାରା ମାନ୍ୟତାପ୍ରାପ୍ତ ଦୁଇ କର୍ମଚାରୀ ସଂଘ ମଧ୍ୟରୁ ଗୋଟିଏ।
ଏ ସମ୍ପର୍କରେ ସୂଚନା ଦେଇ ଏନ୍‌ଏଫ୍‌ଆଇଆର୍‌ର ସାଧାରଣ ସମ୍ପାଦକ ଏମ୍‌. ରାଘଭାୟା କହିଛନ୍ତି ଯେ, କରୋନା ସଙ୍କଟ ସମୟରେ ୧୩ ଲକ୍ଷ ରେଳ କର୍ମଚାରୀ ଦିନ ରାତି କଠିନ ପରିଶ୍ରମ କରି ରେଳ ଚାଳଚଳ ଜାରି ରଖିଛନ୍ତି। ଏହା ସତ୍ତ୍ବେ କେନ୍ଦ୍ର ସରକାର ଏହି କର୍ମଚାରୀମାନଙ୍କର ବହୁ ଦିନ ଧରି ପଡିରହିଥିବା ଦାବିଗୁଡିକ ପୂରଣ କରୁନାହାନ୍ତି। ଏହା ଏବେ ରେଳ କର୍ମଚାରୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ଏହାଫଳରେ କର୍ମଚାରୀମାନେ ଏବେ ଆ​‌େ​‌ନ୍ଦାଳନାତ୍ମକ ପନ୍ଥା ଆପଣାଇବାକୁ ଯାଉଛନ୍ତି। ବକେୟା ବାବଦ​ରେ କର୍ମଚାରୀମାନଙ୍କର ୨୦୦୦ କୋଟି ଟଙ୍କା ବାକି ପଡିଛି। ଏହାକୁ ଏ ପର୍ଯ୍ୟନ୍ତ ​କେ‌କନ୍ଦ୍ର ସରକାର କର୍ମଚାରୀମାନଙ୍କୁ ପ୍ରଦାନ କରୁନାହାନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ପାଖାପାଖି ୩୦୦ ରେଳ କର୍ମଚାରୀ କରୋନା ଯୋଗୁ ମୃତ୍ୟୁବରଣ କରିଛନ୍ତି। ଏହି ମୃତକ ରେଳ କର୍ମଚାରୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରେଳବାଇ ନବରତ୍ନ ଅଭିହିତ କରୁଥିବାବେଳେ ଏବେ ଏହି ନବରତ୍ନର ଘରୋଇକରଣ କରାଯାଉଛି। ରେଳ ଚଳାଚଳର ପରିଚାଳନା ଘରୋଇ କମ୍ପାନୀଙ୍କ ହାତକୁ ଟେକିଦିଆଉଛି। ଏହାକୁ ଏନ୍‌ଏଫ୍‌ଆଇଆର୍‌ ଦୃଢ ବିରୋଧ କରୁଥିବା ସେ କହିଛନ୍ତି।

Comments are closed.