ବିଭାଜନର ଦୃଶ୍ୟ ଦେଖିଥିବା ଦୁଇ ରେଳଷ୍ଟେସନ୍

0

ଭାରତ-ପାକିସ୍ତାନ ବିଭାଜନ ସମୟର ଦୃଶ୍ୟ ଅତ୍ୟନ୍ତ କରୁଣ ଥିଲା। ଅନିଚ୍ଛା ସତ୍ତ୍ବେ ସଂଖ୍ୟାଧିକ ପରିବାର ପାକିସ୍ତାନ ଯାତ୍ରା କରୁଥାନ୍ତି। ବିଭିନ୍ନ ବର୍ଗର ଲୋକେ ପୁରୁଣା ଦିଲ୍ଲୀ ଷ୍ଟେସନ୍ ଓ ଲୋଧି କଲୋନି ଷ୍ଟେସନ୍‌ରୁ ରେଳଯାତ୍ରା କରୁଥିଲେ। ୧୯୪୭ ପରଠାରୁ ଏଇ ଦୁଇରେଳଷ୍ଟେସନ୍‌ର ଦୃଶ୍ୟ ପଟ ଅନେକାଂଶରେ ପରିବର୍ତ୍ତନ ହୋଇଛି। ଗୋଟିଏ ରେଳଷ୍ଟେସନ୍ କୋଳାହଳପୂର୍ଣ୍ଣ ଓ ଅବ୍ୟବସ୍ଥାରେ ଆଗେଇ ଚାଲିଥିବାବେଳେ ଲୋଧି କଲୋନି ଷ୍ଟେସନ୍୍ରେ ନିରବତାର ରାଜୁତି ଦେଖିବାକୁ ମିଳେ। ଖାନ୍ନା ମାର୍କେଟ୍‌ ପାଖରେ ଥିବା ଏଇ ଲୋଧୀ କଲୋନି ଷ୍ଟେସନ୍୍‌ର ପ୍ଲାଟଫର୍ମ ଖୁବ୍ ଛୋଟ। ଏଇ ରେଳଷ୍ଟେସନ୍‌ରୁ ପଶ୍ଚିମ ଉତ୍ତର ପ୍ରଦେଶ ଓ ଗୁରୁଗ୍ରାମରୁ ହଜାରହଜାର ମୁସଲିମ୍ ପରିବାର ‘ଟ୍ରେନ୍ ଟୁ ପାକିସ୍ତାନ’ରେ ଯାତ୍ରା କରୁଥିଲେ। ବିଭାଜନ ସମୟରେ ଜନୈକ ଐତିହାସିକଙ୍କ ପୁସ୍ତକ ‘ପାର୍ଟିସନ୍ ଲାଇଫ୍ସ’ରେ ଉଲ୍ଲେଖ କରାଯାଇଥିଲା ଯେ ଅଗଷ୍ଟ ତୃତୀୟ ସପ୍ତାହରୁ ଏଇ ରେଳ ଚଳାଚଳ ଆରମ୍ଭ ହୋଇଥିବାବେଳେ ନଭେମ୍ବର ୧୯୪୭ ପର୍ଯ୍ୟନ୍ତ ଚାଲିଥିଲା। ସେସମୟର ଏଇ ଷ୍ଟେସନ୍‌ର ଦୃଶ୍ୟ ଖୁବ୍ ଦୁଃଖଦ ଥିଲା। ସଂଖ୍ୟାଧିକ ମୁସଲମାନ୍ ପରିବାର  ନିଜ ଅନିଚ୍ଛା ସତ୍ତ୍ବେ ଭାରତରୁ ବିଦାୟ ନେଉଥିଲେ। ଏମାନଙ୍କ ମଧ୍ୟରୁ କେତେଜଣ ସରକାରୀ କର୍ମଚାରୀ ମଧ୍ୟ ଥିବାର ପୁସ୍ତକରେ ଉଲ୍ଲେଖ ହୋଇଛି। ପୁରୁଣା କିଲ୍ଲା ଓ ହୁମାୟୁନ୍ କିଲ୍ଲା କ୍ୟାମ୍ପରେ ରହୁଥିବା ମୁସଲମାନ୍ ପରିବାରଙ୍କୁ ହିଁ ଏଇ ରେଳରେ ଯାତ୍ରା କରିବାର ଅନୁମତି ମିଳିଥିଲା।
ମିଳିଥିବା ତଥ୍ୟ ଅନୁସାରେ ଏଇ ପରିବାରଙ୍କ ମଧ୍ୟରେ ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ପରଭେଜ୍ ମୁସରଫ୍‌ଙ୍କ ପରିବାର ମଧ୍ୟ ଥିଲା। ତାଙ୍କ ବାପା ଏଠାରେ ସରକାରୀ କର୍ମଚାରୀ ଥିଲେ। ୧୯୪୭ବେଳକୁ ପରଭେଜ୍ ମାତ୍ର ୩ ବର୍ଷ ବୟସର ହୋଇଥିଲେ। ଲୋଧି କଲୋନି ଷ୍ଟେସନ୍‌ର ଏଇ ଇତିହାସ ସମ୍ପର୍କରେ ଖୁବ୍ କମ୍ ଲୋକେ ଜାଣନ୍ତି। ଷ୍ଟେସନ୍‌ର ଏଇ ଚମତ୍କାର ଘଟଣା ସମ୍ପର୍କରେ ଲୋକେ ଅବଗତ ହେବା ନିତାନ୍ତ ଆବଶ୍ୟକ ବୋଲି ଷ୍ଟେସନ୍ କର୍ତ୍ତୃପକ୍ଷଙ୍କ ମତ। ଐତିହାସିକ ବିବେକ ଶୁକ୍ଳାଙ୍କ ମତରେ ବିଭିନ୍ନ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମୁସଲମାନ୍ ପରିବାର ଲୋକଙ୍କ କୋଳାହଳ ନୁହେଁ, ବରଂ କାନ୍ଦଣାରେ ହିଁ ପୂରା ଷ୍ଟେସନ୍‌ର ଏକ ଭିନ୍ନ ଚିତ୍ର ସେ ସମୟରେ ହୋଇଥିଲା।

Leave A Reply