ରେଳ ଷ୍ଟେସନ୍‌ରେ ପାଟ୍ରୋଲିଂ ପାଇଁ ଆସିଲା ସେଗ୍‌ୱେ ସ୍କୁଟର ; ଗୋଟିଏ ସ୍କୁଟର୍‌ର ମୂଲ୍ୟ ୮୨,୦୦୦ ଟଙ୍କା

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର, କଟକ ଓ ପୁରୀ ଅପରାଧୀ ଓ ଅସହାୟଙ୍କ ନିକଟରେ ଶୀଘ୍ର ପହଞ୍ଚିବ ଆରପିଏଫ୍‌

ଭୁବନେଶ୍ବର : ଅହମଦାବାଦ, ବିଶାଖାପାଟଣା ଭଳି ଦେଶର କିଛି ପ୍ରମୁଖ ରେଳ ଷ୍ଟେସନ୍‌ ଅନୁରୂପ ରାଜ୍ୟର ତିନିଟି ଗୁରୁତ୍ବପୂର୍ଣ୍ଣ ରେଳ ଷ୍ଟେସନ୍‌ରେ ପାଟ୍ରୋଲିଂ ପାଇଁ ଆରପିଏଫ୍‌ କର୍ମଚାରୀ ଏଣିକି ସେଗ୍‌ୱେ ସ୍କୁଟର୍ ବ୍ୟବହାର ଆରମ୍ଭ ହୋଇଛି। ଆଜି ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ଏହି ବ୍ୟାଟେରୀ ଚାଳିତ ଦୁଇ ଚକିଆ ଗାଡ଼ିର ଶୁଭାରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୬ଟି ସ୍କୁଟର୍ ମିଳିଥବିା ବେଳେ ପରେ ରାଜ୍ୟର ଅନ୍ୟ ଗୁରୁତ୍ବପୂର୍ଣ୍ଣ ରେଳ ଷ୍ଟେସନ୍‌ରେ ଏହାର ବ୍ୟବହାର ଆରମ୍ଭ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ଭୁବନେଶ୍ବର, କଟକ ଓ ପୁରୀ ରେଳ ଷ୍ଟେସନ୍‌ରେ ଦୁଇଟି ଲେଖାଏଁ ସେଗ୍‌ୱେ ସ୍କୁଟର୍ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି।

ରେଳ ଷ୍ଟେସନ୍‌ଗୁଡ଼ିକରେ ସୁରକ୍ଷା ସମ୍ପର୍କିତ କାର୍ଯ୍ୟ ପାଇଁ ଆଧୁନିକ ବ୍ୟବସ୍ଥା ଆରମ୍ଭ ହେଉଥିବା ବେଳେ ପ୍ଲାଟଫର୍ମରେ ତାଦରଖ କାର୍ଯ୍ୟକୁ ଅଧିକ ଦକ୍ଷ କରିବା ଉଦ୍ଦେଶ୍ୟରେ ରେଳ ମନ୍ତ୍ରଣାଳୟ ପ୍ରମୁଖ ରେଳ ଷ୍ଟେସନ୍‌ଗୁଡ଼ିକରେ ସେଗ୍‌ୱେ ସ୍କୁଟର୍ ବ୍ୟବହାର ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ଗାଡ଼ି ଦ୍ବାରା କେବଳ ଅପରାଧୀ ନୁହେଁ ଅସୁବିଧାରେ ପଡ଼ିଥିବା ଯାତ୍ରୀଙ୍କ ନିକଟରେ ଆରପିଏଫ୍‌ କର୍ମଚାରୀ କମ୍ ସମୟ ମଧ୍ୟରେ ପହଞ୍ଚି ପାରିବେ। ଇଣ୍ଟିଗ୍ରେଟେଡ୍ ସିକ୍ୟୁରିଟି ସିଷ୍ଟମ୍ (ଆଇଏସ୍‌ଏସ୍‌) ଯୋଜନା ଅନ୍ତର୍ଭୁକ୍ତ ଭୁବନେଶ୍ବର, କଟକ ଓ ପୁରୀ ରେଳ ଷ୍ଟେସନ୍ ପାଇଁ ୨ ଲେଖାଏଁ ହିସାବରେ ୬ଟି ସେଗ୍‌ୱେ ସ୍କୁଟର୍ ଯୋଗାଇ ଦିଆଯାଇଛି। ପ୍ରତ୍ୟେକ ସ୍କୁଟର୍‌ର ଦାମ ୮୧,୯୦୦ ଟଙ୍କା ଥିବା ବେଳେ ୬ଟି ସ୍କୁଟର୍ କିଣିବା ପାଇଁ ୪,୯୧,୪୦୦ ଟଙ୍କା ଖର୍ଚ୍ଚ ହୋଇଛି। ଥରେ ଚାର୍ଜ କଲେ ଏହା ଘଣ୍ଟାପ୍ରତି ୧୮ କିମି ବେଗରେ ୩୦ କିମି ଗତି କରିପାରିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ସ୍କୁଟର୍‌ ରିମୋର୍ଟ ଦ୍ବାରା ପରିଚାଳିତ ହୋଇପାରୁ ଥିବାରୁ ଏହାକୁ କେହି ଚୋରି କରିପାରିବେ ନାହିଁ। ତେଣୁ ଆବଶ୍ୟକ ସ୍ଥଳେ ଆରପିଏଫ୍‌ କର୍ମଚାରୀ ଏହି ଗାଡ଼ିକୁ ଛାଡ଼ି ଅପରାଧୀଙ୍କ ପଛରେ ଧାଇଁ ପାରିବେ। ୩୬୦ ଡିଗ୍ରୀ ପର୍ଯ୍ୟନ୍ତ ଏହା ବୁଲି ପାରିବ ଏବଂ ସମ୍ପୂର୍ଣ୍ଣ ଚାର୍ଜ ହେବା ପାଇଁ ୬ରୁ ୭ ଘଣ୍ଟା ସମୟ ଲାଗିବ। ଏଥିପାଇଁ ପ୍ଲାଟଫର୍ମରେ ସ୍ବତନ୍ତ୍ର ଚାର୍ଜିଂ ଷ୍ଟେସନ୍‌ ପ୍ରସ୍ତୁତ ହୋଇଛି। ଏଥିରେ ହର୍ଣ୍ଣ ଓ ଲାଇଟ୍‌ ମଧ୍ୟ ରହିଛି। ଆଜି ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ସେଗ୍‌ୱେ ସ୍କୁଟର୍‌ ଲୋକାର୍ପଣ ଅବସରରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ କହିଛନ୍ତି ଯେ ଏହା ଆରପିଏଫ୍‌ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରିବ। ରେଳ ଷ୍ଟେସନ୍ ପରିସରରେ ବିଭିନ୍ନ ପ୍ରକାର ଅପରାଧ ଅବା ଘଟଣା ସମ୍ପର୍କରେ ହେଲ୍ପଲାଇନ୍ ନମ୍ବର ୧୮୨ରେ ସୂଚନା ମିଳିବା ପରେ ଆରପିଏଫ୍‌ ଜବାନ ସ୍କୁଟର୍ ସହାୟତାରେ ସେଠାରେ ତୁରନ୍ତ ପହଞ୍ଚି ପାରିବେ । ଏଥିରେ ବାୟୁ ପ୍ରଦୂଷଣର ସମ୍ଭାବନା ନାହିଁ। ଦିନକୁ ଦିନ ଗୁରୁତ୍ବପୂର୍ଣ୍ଣ ରେଳ ଷ୍ଟେସନ୍‌ରେ ଭିଡ଼ ବୃଦ୍ଧି ପାଉଥିବାରୁ ଏପରି ଗାଡ଼ିର ଆବଶ୍ୟକତା ରହିଥିଲା। ଏବେ ତିନିଟି ରେଳ ଷ୍ଟେସନ୍‌ରେ ଏହାର ଉପଯୋଗ ହୋଇଥିବା ବେଳେ ଭବିଷ୍ୟତରେ ଅନ୍ୟ ଷ୍ଟେସନ୍‌ମାନଙ୍କରେ ସେଗ୍‌ୱେ ଉପଲବ୍ଧ ହେବ ବୋଲି ଶୀ ଭୂଷଣ କହିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରେଳପଥର ପ୍ରମୁଖ ନିରାପତ୍ତା ଆୟୁକ୍ତ ରାଜା ରାମ ଓ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶଶୀକାନ୍ତ ସିଂହଙ୍କ ସମେତ ରେଳବାଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.