ପାଖକୁ ଆସିଲେ ବାଜିବ ଆଲାର୍ମ: ସାମାଜିକ ଦୂରତ୍ବ ନିମନ୍ତେ ଦକ୍ଷିଣ ରେଳବାଇର ନୂଆ ଯନ୍ତ୍ରାଂଶ

କରୋନା କାଳରେ ସାମାଜିକ ଦୂରତ୍ବ ବଜାୟ ରଖିବା ବାଧ୍ୟତାମୂଳକ । ମାତ୍ର ଅନେକ କ୍ଷେତ୍ରରେ ତାହାର ଅନୁପାଳନ ହେଉନାହିଁ । ଏପରି କ୍ଷେତ୍ରରେ ଦକ୍ଷିଣ ରେଳବାଇ ସିଗନାଲ ଏଣ୍ଡ ଟେଲି କମ୍ୟୁନିକେସନ ବିଭାଗ ଇଞ୍ଜିନିଅରମାନେ ପ୍ରସ୍ତୁତ କରିଛନ୍ତି ଏକ ନୂଆ ଯନ୍ତ୍ର । ଯାହା କି ସାମାଜିକ ଦୂରତ୍ବ ବଜାୟ ରଖିବାରେ ସହାୟକ ହେବ । ଏହି ଯନ୍ତ୍ର ସହାୟତାରେ କରୋନା ସହ ଲଢ଼ିବା ସହଜ ହେବ ଏବଂ ଏହାକୁ ରୋକାଯାଇ ପାରିବ । ଏହି ଯନ୍ତ୍ରର ବଡ଼ ଭୂମିକା ହେଉଛି ଯେତେବେଳେ ଜଣେ ଅନ୍ୟ ଜଣକର ନିକଟତର ହେବ ଓ ୨ ମିଟରରୁ ପାଖକୁ ଆସିବ ସେତେବେଳେ ସତର୍କ ଘଣ୍ଟି ଅର୍ଥାତ୍ ଆଲାର୍ମ ବାଜିବ । ଏହା ଫଳରେ ଲୋକମାନେ ସତର୍କ ହେବେ । ଏହି ଡ଼ିଭାଇସକୁ ପକେଟ ବା ପର୍ସରେ ରଖାଯାଇ ପାରିବ କିମ୍ବା ହାତରେ ଘଣ୍ଟା ପରି ମଧ୍ୟ ବନ୍ଧା ଯାଇ ପାରିବ । ଏହି ଯନ୍ତ୍ରର ଓଜନ ମାତ୍ର ୩୦ ଗ୍ରାମ୍ ।

ଦକ୍ଷିଣ ରେଳବାଇର ତ୍ରିଭେନ୍ଦ୍ରମ ଡ଼ିଭଜନର ସିନିଅର ଡ଼ିଭଜନାଲ ସିଗନାଲ ଏଣ୍ଡ ଟେଲି କମ୍ୟୁନିକେସନ ଇଞ୍ଜିନିୟର ଆର୍ ଦୀନେଶ କହିଛ୍ତି ଯେ ଏହି ଡ଼ିଭାଇସଟିକୁ ଟ୍ରେନରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ପ୍ରସ୍ତୁତ କରାଯାଇଛି । ସେ ନିଜର କନିଷ୍ଠ ସହଯୋଗୀ ଆର୍ ନିଧେଜଙ୍କ ସହିତ ମିଶି ଏହି ଡ଼ିଭାଇସଟିକୁ ବିକାଶିତ କରିଛନ୍ତି । ଡ଼ିଭାଇସ ରଖିଥିବା ବ୍ୟକ୍ତିଙ୍କଠାରୁ ଅନ୍ୟୂନ ୨ ମିଟର ପରିଧି ମଧ୍ୟରେ କେହି ଆସିଲେ ଆଲାର୍ମ ବାଜିବ । ଯେ ପର୍ଯ୍ୟନ୍ତ ଏହି ଦୂରତା ୩ ମିଟର ପର୍ଯ୍ୟନ୍ତ ନ ହୋଇଛି ସେ ପର୍ଯ୍ୟନ୍ତ ଆଲାର୍ମ ବାଜୁଥିବ ।

ଏହି ଆଲାର୍ମ ବାଜିବା ଫଳରେ ଜଣେ ନିଜ ପାଖରେ ଲୋକଙ୍କ ଉପସ୍ଥିତି ନେଇ ସତର୍କ ହୋଇ ପାରିବ । କାର୍ଯ୍ୟସ୍ଥଳ ଯେପରିକି ଅଫିସ, କାରଖାନା, ବଜାର ଆଦିରେ ଏହି ଯନ୍ତ୍ରାଂଶ ବେଶ ଉପଯୋଗୀ ସାବ୍ୟସ୍ତ ହୋଇପାରେ । ଡ଼ିଭାଇସଟିକୁ ଚାର୍ଜର ସହାୟତାରେ ଚାର୍ଜ କରାଯାଇ ପାରିବ ଓ ଥରେ ଚାର୍ଜ ହେଲେ ଏହା ୧୨ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ଦୀନେଶ କହିଛନ୍ତି ଯେ ଆମେ ପ୍ରଥମେ ଗୋଟିଏ ପ୍ରୋଟୋଟାଇପ ବିକଶିତ କରିଛୁ ଓ ଏହାକୁ ସଫଳତାର ସହ ପରୀକ୍ଷଣ ମଧ୍ୟ କରି ସାରିଛୁ । ଅନ୍ୟ ରେଳବାଇ ଜୋନ ନିମନ୍ତେ ଏହି ଡ଼ିଭାଇସ ପ୍ରସ୍ତୁତ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି । ଅବଶ୍ୟ ଏହା ପ୍ରଥମଥର ନୁହେଁ, ଏହା ପୂର୍ବରୁ ରେଳବାଇ କ୍ୟାପଟେନ୍ ଅର୍ଜୁନ ନାମକ ଏକ ରୋବୋ ପ୍ରସ୍ତୁତ କରିଥିଲା । ଯାହା ଯାତ୍ରୀମାନଙ୍କ ସ୍କ୍ରିନିଂ କରିବାରେ ସକ୍ଷମ ହେଉଥିଲା । ଏଥିରେ କ୍ୟାମେରା ଲାଗିଥିଲା, ଯାହା ଯାତ୍ରୀଙ୍କୁ ସ୍କ୍ରିନିଂ କରିବାକୁ ସକ୍ଷମ ହେଉଥିଲା । ଯାହା ଦେହରେ ଅଧିକ ତାପମାତ୍ରା ରହୁଥିଲା ତାହାକୁ ରୋବୋ ତୁରନ୍ତ ଚିହ୍ନଟ କରି ସୂଚନା ଦେଉଥିଲା ।

Comments are closed.