ରେଳବାଇ ଆଣିଲା ରେଳ ବାଇ-ସାଇକେଲ: ସହଜ ହେବ ରେଳ ଧାରଣା ଯାଞ୍ଚ , ବେଗ ଘଣ୍ଟା ପ୍ରତି ୧୫ କିମି

ନୂଆଦିଲ୍ଲୀ : ଆଗକୁ ରେଳ ଧାରଣା ଯାଞ୍ଚ ପାଇଁ ଗ୍ୟାଙ୍ଗମ୍ୟାନଙ୍କୁ ଆଉ ଟ୍ରାକ ଉପରେ ମାଇଲ ମାଇଲ ଦୂର ଚାଲିବାକୁ ପଡିବନି । ବର୍ତ୍ତମାନ ରେଳ ଧାରଣା ଯାଞ୍ଚ କରିବାକୁ ରେଳବାଇର ଗ୍ୟାଙ୍ଗମ୍ୟାନ ବହୁଦୂର ଯାଏ ପାଦରେ ଟ୍ରାକ ଉପରେ ଚାଲି ଚାଲି ଯାଉଛନ୍ତି । ଯାହାଫଳରେ ଏଥିପାଇଁ ଅଧିକ ସମୟ ଅପଚୟ ହେବା ସହ ରେଳ ଧାରଣାକୁ ଭଲ ଭାବେ ଯାଞ୍ଚ କରାଯାଇପାରୁ ନ ଥିଲା । ଏମିତିକି ଅନେକ ସମୟରେ ଦୁର୍ଘଟଣାମାନ ଘଟି ଧନଜୀବନ କ୍ଷୟକ୍ଷତି ଘଟୁଥିଲା । ଆହୁରିମଧ୍ୟ ଅଧିକ ଲୋକଙ୍କୁ ଏହି କାମରେ ନିୟୋଜିତ କରାଯାଉଥିଲା । ଏଣିକି ଆଉ ସେ ସମସ୍ୟା ରହିବନି କାରଣ ଏବେ ରେଳବାଇ ଆଣିଛି ନୂଆ ରେଳ ବାଇ-ସାଇକେଲ । ଏହି ରେଳ ବାଇ-ସାଇକେଲ ରେଳ ଧାରଣା ଉପରେ ଚାଲିବ । ରେଳ ବାଇ-ସାଇକେଲର ଭିଡିଓକୁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଆଜି ଟ୍ୱିଟରରେ ସେୟାର କରିଛନ୍ତି । ଏହି ବାଇ-ସାଇକେଲ ଘଣ୍ଟା ପ୍ରତି ୧୦ କିମି ବେଗରେ ଚାଲିବ । ଏହାର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୫ କିମି ରହିବ । ଏଥିରେ ଏକ ସଙ୍ଗରେ ଦୁଇଜଣ ବ୍ୟକ୍ତି ବସିକରି ଯାଇ ଟ୍ରାକ ଯାଞ୍ଚ କରିପାରିବେ । ଏହି ବାଇ-ସାଇକେଲର ଓଜନ ୨୦ କିଲୋଗ୍ରାମ ରହିଛି । ଏହାକୁ ଜଣେ ବ୍ୟକ୍ତି ସହଜରେ ଉଠାଇ ଟ୍ରାକରେ ରଖି ତଳକୁ ଖସାଇପାରିବେ । ବାଇ-ସାଇକେଲର ଆଗ ଚକରୁ ଆଗକୁ ଏକ ପାଇପ ଯାଇଛି ଯେଉଁଥିରେ ଏକ ଲୁହାର ଛୋଟ ଚକ ଲାଗିଛି । ସେହିଭଳି ଆଗ ଓ ପଛ ଚକରୁ ଏକ ପାଇପ ଅପରପାଶ୍ୱର ଧାରଣାରେ ଏକ ଲୁହାର ଛୋଟ ଚକରେ ସଂଯୁକ୍ତ କରାଯାଇଛି । ଉକ୍ତ ବାଇ-ସାଇକଲର ନିର୍ମାଣରେ ୫୦୦୦ ଟଙ୍କା ଖର୍ଚ୍ଚ କରାଯାଇଛି । ଉତ୍ତର-ପଶ୍ଚିମ ରେଳପଥର ଅଜମୀର ଡିଭିଜନର ସିନିୟର ଡିଭିଜନାଲ ଇଂଜିନିୟର ପଙ୍କଜ ସୋଏନ ଏହି ରେଳ ବାଇ-ସାଇକେଲ ନିର୍ମାଣର ମାଷ୍ଟର ମାଇଣ୍ଡ , ଯେ କି ପ୍ରଥମ କରି ଏଭଳି ଏକ ପରିକଳ୍ପନା ମନକୁ ଆଣିଥିଲେ । ଯଦି ଏହି ଉଦ୍ୟମ ଫଳପ୍ରଦ ହୁଅ ତେବେ ଓଡ଼ିଶାରେ ମଧ୍ୟ ଏହି ବାଇ-ସାଇକଲକୁ ରେଳ ଧାରଣା ଯାଞ୍ଚରେ ବ୍ୟବହାର କରାଯାଇପାରିବ ।

Comments are closed.