ଡାକ ବିଭାଗର ଦୁର୍ନୀତି, ରାଗିଗଲେ ରେଳ ମନ୍ତ୍ରୀ

ଜୟପୁର: ଜୟପୁରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଜନଆର୍ଶିବାଦ ଶୋଭାଯାତ୍ରା କରିବାବେଳେ ହଠାତ୍ ଜୟପୁର ମୁଖ୍ୟରାସ୍ତାରେ ଥିବା ମୁଖ୍ୟ ଡାକ ବିଭାଗ କାର୍ଯ୍ୟାଳୟରେ ଅଚାନକ ପ୍ରବେଶ କରିଥିଲେ। ମାଲକାନଗିରି ଜିଲାର ତିନିଟି ଡାକ ବିଭାଗର କାର୍ଯ୍ୟାଳୟରେ ଟଙ୍କା ଆତ୍ମସାତ ମାମଲାକୁ ନେଇ ମନ୍ତ୍ରୀ ବିଗିଡ଼ିଥିଲେ। ଏକମାସରେ ବିଭାଗୀୟ ତଦନ୍ତ କରି ରିପୋର୍ଟ ଦେବାକୁ କେନ୍ଦ୍ରମନ୍ତ୍ରୀ ନିର୍ଦେଶ ଦେବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଗତ ଦିନରେ ମାଲକାନଗିରି ଜିଲାର ତିନିଟି ଡାକ ବିଭାଗ କାର୍ଯ୍ୟାଳୟରୁ ହୋଇଥିବା ଟଙ୍କା ଆତ୍ମସାତ ଘଟଣା ପଚାରି ବୁଝିଥିଲେ।

ମାଲକାନଗିରି ଜିଲାର ଲାଛିପେଟା ଶାଖାରୁ ୯୩ଲକ୍ଷ ୫୦ ହଜାର ଓ ମାଲକାନଗିରି କଲୋନୀରୁ ୧କୋଟି ଏବଂ ଭେଜାଙ୍ଗିବେଡାରୁ ୫୦ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି। ଏବେ ମାଲକାନଗିରି କଲୋନୀ ଓ ଲାଛିପେଟା ଶାଖାରୁ ଡାକ ଅଧିକାରୀ ତଞ୍ଚକତା କରି ଟଙ୍କା ଆତ୍ମସାତ କରିଥିବା ଧରାପଡିଛି। ଡାକ ଅଧିକାରୀ (ପୋଷ୍ଟମାଷ୍ଟର) ନିଜ ଆକାଉଣ୍ଟରେ ମିଥ୍ୟାରେ ଟଙ୍କା ଜମା କରିବା ଭଳି ଦେଖାଇ ଦେଇ ଆଇପିପିବି ଜରିଆରେ ଅନ୍ୟ ସ୍ଥାନରୁ ଟଙ୍କା ଉଠାଇ ନେଇଛନ୍ତି। ସମ୍ପ୍ରତି କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ବେଳେ ଏହା ପ୍ରକାଶ କରିଛନ୍ତି ବରିଷ୍ଠ ଡାକ ଅଧିକ୍ଷକ (ସିନିୟର ସୁପରିଟେଣ୍ଡେଣ୍ଟ ପୋଷ୍ଟ ଅଫିସର) ଅତିରିକ୍ତ ଦାୟିତ୍ୱ ତୁଲାଇଥିବା ତାରିଣୀ ଚରଣ ପାଢ଼ି। ତେବେ ମନ୍ତ୍ରୀ ନିଜ ବିଭାଗ ପକ୍ଷରୁ ତଦନ୍ତରେ ବିଳମ୍ବ ହୋଇଥିବାରୁ ସମସ୍ତ କର୍ମଚାରୀଙ୍କୁ ତାଗିଦ କରିଥଲେ। ତୁରନ୍ତ ୩୦ଦିନ ମଧ୍ୟରେ ଡାକ ବିଭାଗର ତଦନ୍ତ ରିପୋର୍ଟ ଦେବା ପାଇଁ ଉକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ।

Comments are closed.