ରେଳଯାତ୍ରା ଭଡ଼ା ବୃଦ୍ଧି : ପରିଚାଳନାଗତ ଦକ୍ଷତା ବୃଦ୍ଧି ଆବଶ୍ୟକ

ବର୍ଷ ଆରମ୍ଭରୁ ଭାରତୀୟ ରେଳ ବିଭାଗ ଯାତ୍ରୀମାନଙ୍କ ପାଇଁ ଅସୁଖ ଖବର ଆଣିଛି। ଯାତ୍ରୀ ବଢ଼ା କିଲୋମିଟର ପିଛା ୧ ରୁ ୪ ପଇସା ପର୍ଯ୍ୟନ୍ତ ବଢ଼ିଛି। ଇନ୍ଧନ ମୂଲ୍ୟ ବୃଦ୍ଧି ଓ ଆନୁଷଙ୍ଗିକ ଖର୍ଚ୍ଚ ହିସାବକୁ ନେଲେ ଏହି ବର୍ଦ୍ଧିତ ଭଡ଼ା ସାମାନ୍ୟ ବୋଲି କୁହାଯାଇପାରେ, କିନ୍ତୁ ଯେତିକି ବି ହେଉ, ଦର ବୃଦ୍ଧିକୁ ଉପଭୋକ୍ତାମାନେ ସହଜରେ ଗ୍ରହଣ କରିପାରନ୍ତି ନାହିଁ। ତେଣୁ ସେମାନେ ଅସୁଖୀ ହେବା ଅସ୍ୱାଭାବିକ ନୁହେଁ। ଦେଖିବାକୁ ଗଲେ ବିଗତ ୫ ବର୍ଷ ଧରି ଯାତ୍ରୀ ଭଡ଼ା ବଢ଼ି ନଥିଲା। ଅପରପକ୍ଷରେ ରେଳବାଇ କର୍ମଚାରୀଙ୍କ ଦରମା, ପେନ୍‍ସନ୍‍ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧା ବାବଦ ଖର୍ଚ୍ଚ ବିଭାଗ ଉପରେ ବୋଝ ବୃଦ୍ଧି କରି ଚାଲିଥିଲା। ଯଥାସମ୍ଭବ ଖର୍ଚ୍ଚ କାଟ ଉଦ୍ଦେଶ୍ୟରେ ନିକଟରେ ରେଳବାଇ ପରିଚାଳନା ମଣ୍ଡଳୀରେ ସଦସ୍ୟ ସଂଖ୍ୟା ହ୍ରାସ କରାଯାଇଥିବାବେଳେ କେତୋଟି ଆନୁଷଙ୍ଗିକ ସେବାର ଘରୋଇକରଣ କରାଯାଇଛି। କ୍ରମାଗତ ରାଜସ୍ୱ ହାନି ଓ ଖର୍ଚ୍ଚ ବୃଦ୍ଧି କାରଣରୁ ରେଳବାଇ ଘରୋଇକରଣ ଦିଗକୁ ମୁହାଁଉଥିବାର ଆଶଙ୍କା ପ୍ରକାଶ ପାଇଛି। ନିତି ଆୟୋଗ ସଦସ୍ୟ ବିବେକ ଦେବରାୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରେଳବାଇର ଆଂଶିକ ଘରୋଇକରଣ ପାଇଁ ସୁପାରିସ କରିସାରିଛନ୍ତି। ଇତିମଧ୍ୟରେ ଅନେକ ଥର ଏ ପ୍ରସଙ୍ଗରେ ଆଲୋଚନା-ପର୍ଯ୍ୟାଲୋଚନା ଏବଂ ବାଦ-ବିବାଦ ହୋଇଛି। ତେଣୁ ଯଦି ଖର୍ଚ୍ଚ ଅନୁଯାୟୀ ରାଜସ୍ୱ ବୃଦ୍ଧି ନ ପାଏ, ତେବେ ଦେଶର ସର୍ବବୃହତ୍‍ ନିଯୁକ୍ତିଦାତା ଭାବେ ପରିଗଣିତ ଭାରତୀୟ ରେଳବାଇର ଘରୋଇକରଣ ଅନିବାର୍ଯ୍ୟ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ଦୃଷ୍ଟିରୁ ବିଚାର କଲେ ଯାତ୍ରୀ ଭଡ଼ା ବୃଦ୍ଧି ସମୟୋପଯୋଗୀ ନିଷ୍ପତ୍ତି ବୋଲି କୁହାଯାଇପାରେ। କାରଣ ଯଦି କ୍ରମାଗତ ରାଜସ୍ୱ ହାନି ଯୋଗୁଁ ରେଳବାଇର ଘରୋଇକରଣ ଅବଶ୍ୟମ୍ଭାବୀ ହୋଇଥାନ୍ତା ତେବେ ଯାତ୍ରୀ ଅଧିକ ଶୋଷିତ ହୋଇଥାନ୍ତେ। ଦେଖିବାକୁ ଗଲେ ବର୍ଦ୍ଧିତ ଯାତ୍ରୀ ଭଡ଼ା ନିମ୍ନ-ମଧ୍ୟବିତ୍ତ ଲୋକଙ୍କୁ ପ୍ରଭାବିତ କରିବ ନାହିଁ। କାରଣ ମୋଟ ରେଳବାଇ ଯାତ୍ରୀସଂଖ୍ୟାର ୬୭% ହେଉଛନ୍ତି ନିତିଦିନିଆ ବା ମାସିକ୍‍ ପାସ୍‍ଧାରୀ ଏବଂ ଅର୍ଦ୍ଧ-ସହରାଞ୍ଚଳର ଯାତ୍ରୀ। ଏହି ବର୍ଗ ପାଇଁ ଯାତ୍ରୀ ଭଡ଼ାରେ ଆଦୌ ବୃଦ୍ଧି କରାଯାଇନାହିଁ। ଏହି ସବୁ ପ୍ରସଙ୍ଗକୁ ବିଚାରକୁ ନେଲେ ରେଳ ଯାତ୍ରୀ ଭଡ଼ା ନିଷ୍ପତ୍ତି ସମୟୋପଯୋଗୀ ବୋଲି ଜଣାପଡ଼ୁଛି। ତଥାପି ରେଳବାଇର ଆର୍ଥିକ ସ୍ଥିତି ସୁଦୃଢ଼ କରିବାକୁ ହେଲେ କର୍ତ୍ତୃପକ୍ଷଙ୍କୁ ଆହୁରି ଅନେକ ବିକଳ୍ପ ପ୍ରତି ଦୃଷ୍ଟି ଦେବାକୁ ହେବ। ରାଜସ୍ୱ ହାନି ରୋକି ପାରିଲେ ଏବଂ ଖର୍ଚ୍ଚ କାଟ ଦିଗରେ ଧ୍ୟାନ ଅଧିକ କେନ୍ଦ୍ରୀଭୂତ କଲେ ଆର୍ଥିକ ପରିସ୍ଥିତିରେ ସୁଧାର ଆସିପାରିବ। ସାମ୍ପ୍ରତିକ ପ୍ରତିଯୋଗିତାପୂର୍ଣ୍ଣ ବଜାରରେ ପରିଚାଳନାଗତ ଦକ୍ଷତା ବୃଦ୍ଧି ନିହାତି ଜରୁରୀ ବୋଲି ମନେ ହୁଏ।

Comments are closed.