ହମିରପୁର ଡବଲ ମର୍ଡର ଘଟଣା: ଅନୁପଙ୍କ ନାର୍କୋ ଟେଷ୍ଟ ବ୍ରେନ ମେପିଙ୍ଗ ଆବେଦନ ଖାରଜ

ଝାରସୁଗୁଡ଼ା : ମାଆ କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ଦାସ ଡବଲ ମର୍ଡର ହତ୍ୟାକାଣ୍ଡର ଅଧିକ ତଦନ୍ତ ପାଇଁ ପୁଲିସ ପକ୍ଷରୁ ଅଭିଯୁକ୍ତ ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ଓ ବ୍ରେନ ମେପିଙ୍ଗ ପାଇଁ କରାଯାଇଥିବା ଆବେଦନକୁ ଗୁରୁବାର ରାୟଗଡ କୋର୍ଟ ଖାରଜ କରିଥିବା ସରକାରୀ ଓକିଲ ବେଦ ପ୍ରକାଶ ପଟେଲଙ୍କ ପକ୍ଷରୁ ସୂଚନା ମିଳିଛି। ଏହା ପୂର୍ବରୁ ପୁଲିସ ପକ୍ଷରୁ କରାଯାଇଥିବା ନାର୍କୋ ଟେଷ୍ଟର ଆବେଦନକୁ ବୁଧବାର କୋର୍ଟ ଖାରଜ କରିଥିଲେ। ପ୍ରାଥମିକ ତଦନ୍ତ ଓ ପ୍ରଥମ ରିମାଣ୍ଡ ଅବଧିରେ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ସମ୍ପୂର୍ଣ୍ଣ ସହଯୋଗ କରି ନ ଥିବାରୁ ନାର୍କୋ ଟେଷ୍ଟ ଓ ବ୍ରେନ ମେପିଙ୍ଗର ଆବଶ୍ୟକତା ରହିଛି ବୋଲି ସରକାରୀ ଓକିଲ ଦେବ ପ୍ରକାଶ ପଟେଲ କୋର୍ଟରେ କହିଥିଲେ।

ହେଲେ ଅନୁପଙ୍କ ହୃଦ ଜନିତ ସମସ୍ୟା ଥିବାରୁ ନାର୍କୋ ଟେଷ୍ଟ ବା ବ୍ରେନ ମେପିଙ୍ଗ ଅନୁପଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦଜନକ ରହିଥିବା ବୋଲି ତାଙ୍କ ଓକିଲ ବିଜୟ ସରାଫ କହିଥିବା ଜଣାପଡ଼ିଛି। ଏହାସହ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଅନୁପ ଚିକିତ୍ସା ହୋଇଥିବା ରିପୋର୍ଟ କୋର୍ଟକୁ ପ୍ରଦାନ କରିଥିଲେ। ଉଭୟ ପକ୍ଷ୍ୟଙ୍କ ଦଲିଲ ଶୁଣିଲା ପରେ ରାୟଗଡ କୋର୍ଟ ନାର୍କୋ ଟେଷ୍ଟ ଓ ବ୍ରେନ ମେପିଙ୍ଗର ଆବେଦନକୁ ଖାରଜ କରିଥିଲେ। ଏହା ଖାରଜ ହେଲା ପରେ ପୁଲିସ ପାଇଁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ବୋଲେରୋ, ଲୁହାରଡ ଖୋଜିବା ସହ ସାମିଲ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପୁଲିସ ପାଇଁ ଆହ୍ୱାନ ହୋଇପଡିଛି। ତେବେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ବୋଲେରୋ ଏପର୍ଯ୍ୟନ୍ତ ପୁଲିସକୁ ମିଳିପାରିନାହିଁ। ହତ୍ୟାରେ ବ୍ୟବହୃତ ବୋଲେରୋ, ଲୁହା ରଡ଼କୁ ଖୋଜିବା ପାଇଁ ପୁଲିସ ଅଧିକ ତଦନ୍ତ ଜାରି ରଖିବା ସହ ଅନୁପ ଓ କଳ୍ପନାଙ୍କ ସମ୍ପର୍କୀୟମାନଙ୍କୁ ଚକ୍ରଧରନଗର ଥାନକୁ ଡକାଇ ପଚରା ଉଚୁରା କରୁଛି। ଅନ୍ୟପକ୍ଷରେ କଳ୍ପନାଙ୍କ ବାପା ରୁଦ୍ରାକ୍ଷ ଦାସ ତୀର୍ଥ ଶେଷ କରି ଶୁକ୍ରବାର ନିଜ ଘର ବଗରାଚକା ଗ୍ରାମକୁ ଫେରୁଛନ୍ତି ବୋଲି ଜଣାପଡ଼ିଛି। ପୂର୍ବରୁ ତାଙ୍କୁ ରାୟଗଡ ପୁଲିସ ପକ୍ଷରୁ ଥାନାରେ ହାଜର ହୋଇ ବୟାନ ରେକର୍ଡ କରାଇବା ପାଇଁ ନୋଟିସ ଦେଇଛି। ତେବେ ତୀର୍ଥ ଯାତ୍ରାରେ ଯାଇଥିବାରୁ ଘରେ ସେ ଅଞ୍ଚଳରେ ଅନୁପସ୍ଥିତ ଥିଲେ। ତେଣୁ ଏପର୍ଯ୍ୟନ୍ତ ଥାନାରେ ହାଜିର ହୋଇ ନଥିଲେ। ତେବେ ସେ ଗୁରୁବାର ପୁରୀ ପହଞ୍ଚିଥିବାବେଳେ ଶୁକ୍ରବାର ନିଜ ଘରକୁ ଫେରିବେ। ଏହାପରେ ସେ ଥାନାରେ ହାଜିର ହୋଇ ନିଜ ବୟାନ ରେକର୍ଡ କରାଇବା ପରେ ତାଙ୍କ ଝିଅ କଳ୍ପାନ ଓ ନାତୁଣି ବବଲିର ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ଜଣାପଡ଼ିଛି।

Comments are closed.