୮ଟି ବେଆଇନ ମଦ ଭାଟିରେ ଚଢାଉ

୧୨୪୮୦ ଲିଟର ପୋଚ ଓ ୩୬୦ ଲିଟର ମଦ ଜବତ

ଆଠଗଡ : ଆଠଗଡ ଅଞ୍ଚଳ ଏବେ ଦେଶୀ ମଦ ପ୍ରସ୍ତୁତି ଓ ଚାଲାଣର ଏକ କୁଟୀର ଶିଳ୍ପରେ ପରିଣତ ହୋଇଛି। ଯେତେ ଅବକାରୀ ପକ୍ଷରୁ ଚଢାଉ ହେଲେ ମଧ୍ୟ କୁଟୀର ଶିଳ୍ପ ବନିଥିବା ଦେଶୀମଦ କାରବାର ବନ୍ଦ ହେବାର ନାଁ ଧରୁନାହିଁ। ନିୟମିତ ଚଢାଉ ହୋଇ ବିପୁଳ ପରିମାଣର ଗୁଡପୋଚ ଓ ଦେଶୀମଦ ଜବତ ହେଉଥିବାବେଳେ ଏଥିରେ ସଂପୃକ୍ତ ମୁଖ୍ୟ ମାଫିଆ କେବେବି ଅବକାରୀ ବିଭାଗ ହାତରେ ଧରାପଡିବା ବା ଗିରଫ ହେବା ଦେଖାଯାଉନାହିଁ।

କଟକ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ଅବକାରୀ, କଟକ ସଦର ଅବକାରୀ ଓ ଅବକାରୀ ଭ୍ରାମ୍ୟମାଣ ସ୍କାର୍ଡ ଶୁକ୍ରବାର ସକାଳେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ସଂରକ୍ଷିତ ଜଙ୍ଗଲର ଭୋଗୁଆ ଠାରୁ କୃଷ୍ଣପୁର ପର୍ଯ୍ୟନ୍ତ ଚଢାଉ କରିଥିଲେ। ଜଙ୍ଗଲ ମଧ୍ୟରେ ଥିବା ପ୍ରାକୃତିକ ନାଳ ଓ ଝରଣା କୂଳେ କୂଳେ ଥିବା ପ୍ରାୟ ୮ଟି ମଦଭାଟି ଉପରେ ଏହି ମିଳିତ ସ୍କାର୍ଡ ଚଢାଉ କରିବା ସମୟରେ ବଡ ବଡ ଗାତ କରି ଶହ ଶହ ପ୍ଲାଷ୍ଟିକ ଜାରକିନ୍‍ରେ ଗୁଡପୋଚ ରଖି ପୋତା ଯାଇଥିବା ଦେଖିବାକୁ ମିଳିଥିଲା। ଏହି ପ୍ଲାଷ୍ଟିକ ଜାରକିନ୍‍ ଗୁଡିକରେ ୧୨୪୮୦ଲିଟର ଗୁଡପୋଚ ମଦପ୍ରସ୍ତୁତି ପାଇଁ ଗଚ୍ଛିତ ଥିବାବେଳେ ସେହି ଭାଟି ଗୁଡିକରେ ସଦ୍ୟପ୍ରସ୍ତୁତ ହୋଇ ଚାଲାଣ ପାଇଁ ରଖାଯାଇଥିବା ୪୬୦ଲିଟର ଦେଶୀମଦ ଜବତ କରାଯାଇଥିଲା। ଜବତ ଗୁଡପୋଚ ଓ ଦେଶୀମଦକୁ ସେଠାରେ ନଷ୍ଟ କରାଯାଇ ଥିବାବେଳେ ଏହାର ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଥିଲା। ମୁଖ୍ୟରାସ୍ତାରୁ ଜଙ୍ଗଲ ମଧ୍ୟକୁ ଏକାଧିକ ଅବକାରୀ ଗାଡି ପ୍ରବେଶ କରିବା ମାତ୍ରେ ତାହା ମଦ ମାଫିଆଙ୍କୁ ସୂଚନା ମିଳିଯାଉଥିବାରୁ ମଦପ୍ରସ୍ତୁତି ଭାଟି ଅଞ୍ଚଳରୁ ସେମାନେ ଫେରାର ହୋଇଯାଉଛନ୍ତି। ଫଳରେ ସେମାନଙ୍କୁ ବା ମଦ ପ୍ରସ୍ତୁତିରେ ନିୟୋଜିତ ଲୋକଙ୍କୁ ଗିରଫ କରାଯାଇ ପାରିନଥିଲା। ଆଠଗଡ ଅବକାରୀ ନିରୀକ୍ଷକ ସଂଜିତ୍‍ ବାର୍ଲା, ସହକାରୀ ନିରୀକ୍ଷକ ବିଜୟ କୁମାର ଭଞ୍ଜ, ସଦର ସହକାରୀ ନିରୀକ୍ଷକ କେଶବଚନ୍ଦ୍ର ଦାସ, ନରସିଂହପୁର ସହକାରୀ ନିରୀକ୍ଷକ ନିରାକାର ଦେହୁରୀଙ୍କ ନେତୃତ୍ୱରେ ବହୁ ଅବକାରୀ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

Comments are closed.