ରାହୁଲଙ୍କ ନାମାଙ୍କନପତ୍ର ବୈଧ: ନିର୍ବାଚନ ଅଧିକାରୀ

ଆମେଠି: ଉତ୍ତର ପ୍ରଦେଶର ଆମେଠି ଆସନରୁ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନପତ୍ର ରଦ୍ଦ କରିବା ଲାଗି ହୋଇଥିବା ଆବେଦନକୁ ନିର୍ବାଚନ ଅଧିକାରୀ ଖାରଜ କରିଦେଇଛନ୍ତି। ରାହୁଲଙ୍କ ନାମାଙ୍କନପତ୍ର ବୈଧ ବୋଲି ନିର୍ବାଚନ ଅଧିକାରୀ ସୋମବାର ଘୋଷଣା କରିଛନ୍ତି।

ଆମେଠି ଲୋକସଭା ଆସନ ପାଇଁ ରାହୁଲ ଗତ ୧୦ ତାରିଖରେ ୪ଟି ସେଟ୍‌ରେ ନାମାଙ୍କନପତ୍ର ଦାଖଲ କରିଥିଲେ। ଗତ ଶନିବାର ନାମାଙ୍କନପତ୍ର ଯାଞ୍ଚ ସମୟରେ ବହୁଜନ ମୁକ୍ତି ପାର୍ଟିର ଅଫଜାଲ ୱାରିସ, ସ୍ବାଧୀନ ନେତା ଧ୍ରୁବଲାଲ, ସୁରେଶ କୁମାର କୁକ୍ଳ ଏବଂ ସୁରେଶ ଚନ୍ଦ୍ର ଯାଦବ ପ୍ରମୁଖ ରାହୁଲ ପ୍ରାର୍ଥିପତ୍ରର ବୈଧତାକୁ ନେଇ ପ୍ରଶ୍ନ ଉଠାଇବା ସହ ନିଜ ନିଜ ଓକିଲଙ୍କ ଜରିଆରେ ରିଟର୍ନିଂ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରି ତାଙ୍କ ନାମାଙ୍କନପଦ୍ର ରଦ୍ଦ କରିବାକୁ ଦାବି କରିଥିଲେ।

ସେମାନେ ରାହୁଲଙ୍କ ନାଗରିକତା, ଏମ୍‌.ଫିଲ ଡିଗ୍ରୀ ଏବଂ ସେଥିରେ ଉଲ୍ଲେଖ ଥିବା ନାମରେ ପାର୍ଥକ୍ୟ, ଏମ୍‌.ଫିଲ ଡିଗ୍ରୀ ପୂର୍ବରୁ ଥିବା ଶିକ୍ଷାଗତ ଯୋଗ୍ୟତା ସ୍ତମ୍ଭରେ ଅନୁଷ୍ଠାନର ନାମ ନ ଲେଖିବା, ସତ୍ୟପାଠରେ ଲାଗିଥିବା ଷ୍ଟାମ୍ପକୁ ଦିଲ୍ଲୀରୁ କିଣିବା, ସମ୍ପତ୍ତି ଦର୍ଶାଇବାକୁ ରହିଥିବା ସ୍ତମ୍ଭକୁ ଫାଙ୍କା ଛାଡ଼ିବା ଏବଂ ନାମାଙ୍କନପତ୍ରରେ ବ୍ରିଟେନରେ ଥିବା ତାଙ୍କ କମ୍ପାନୀର ସମ୍ପତ୍ତି ସମ୍ପର୍କରେ ନ ଦର୍ଶାଇବା ଆଦି ଅଭିଯୋଗ ଆଣିଥିଲେ।

ଏହାପରେ ସୋମବାର ଆମେଠି ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଜିଲା ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ମାମଲାର ଶୁଣାଣି ହୋଇଥିଲା। ରାହୁଲଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଉପରେ ତାଙ୍କ ଓକିଲ ଜବାବ ରଖିଥିଲେ। ନିର୍ବାଚନ ଅଧିକାରୀ ମାମଲାର ଶୁଣାଣି କରିବା ପରେ ପ୍ରାର୍ଥିପତ୍ର ଯାଞ୍ଚ କରିବା ସହ ଏହାକୁ ବୈଧ ରଖିଥିଲେ।

Comments are closed.