ସମ୍ପୂର୍ଣ୍ଣ କୃଷି କାରବାରକୁ ଦୁଇ ବନ୍ଧୁଙ୍କ ହାତରେ ଟେକିଦେବାକୁ ଚାହୁଁଛନ୍ତି ମୋଦୀ: ରାହୁଲ

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀ ଦେଶର ସମଗ୍ର କୃଷି ବ୍ୟବସାୟକୁ ନିଜର ଦୁଇ ବନ୍ଧୁଙ୍କ ହାତରେ ଟେକିଦେବାକୁ ଚାହୁଁଛନ୍ତି ମୋଦୀ ରାହୁଲ କହିଛନ୍ତି। ଦୁଇ ଦିନିଆ ରାଜସ୍ଥାନ ଗସ୍ତରେ ଯାଇଥିବା ରାହୁଲ ଶନିବାର ଆଜମେର ନିକଟ ରୂପନଗଡ଼ରେ କୃଷକମାନଙ୍କୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି।

ରାହୁଲ କହିଥିଲେ, ହିନ୍ଦୁସ୍ତାନର ସବୁଠ ବଡ଼ ବ୍ୟବସାୟ ହେଉଛି କୃଷି। ଦେଶର ୪୦ ପ୍ରତିଶତ ଲୋକ ଏହି ବ୍ୟବସାୟ କରନ୍ତି। ଏଥିରେ ୪୦ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେଉଛି। ଏହା ଦୁନିଆର ସବୁଠୁ ବଡ଼ ବ୍ୟବସାୟ ଏବଂ ଏହା କୌଣସି ଜଣେ ବ୍ୟକ୍ତିର ବ୍ୟବସାୟ ନୁହେଁ। ଏଥିରେ କୃଷକ, କ୍ଷୁଦ୍ର ବ୍ୟବସାୟୀ, ଶ୍ରମିକ ଆଦି ସମସ୍ତେ ଅଂଶୀଦାର ରହିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଚହୁଁଛନ୍ତି ଯେ, ଏହି ସମ୍ପୂର୍ଣ୍ଣ ବ୍ୟବସାୟ ତାଙ୍କର ଦୁଇ ବନ୍ଧୁଙ୍କ ପାଖକୁ ଚାଲିଯାଉ। ଏହା ହେଉଛି କୃଷି ଆଇନର ଅସଲ ଲକ୍ଷ୍ୟ।

ରାହୁଲ ଆହୁରି କହିଥିଲେ, ମୋଦୀ ଚାହୁଁଛନ୍ତି ଯାହା ସବୁ ଆପଣମାନଙ୍କର, ଯାହା ସବୁ ୪୦ ପ୍ରତିଶତ ଭାରତୀୟଙ୍କର, ସେସବୁ କେବଳ ଦୁଇ ଜଣଙ୍କ ହାତକୁ ଚାଲିଯାଉ। କିନ୍ତୁ କୃଷକମାନେ କହୁଛନ୍ତି ସେମାନେ ମରିଯିବେ ପଛେ ଏହା ହେବାକୁ ଦେବେନାହିଁ। କେବେ ବି ହେବାକୁ ଦେବେନାହିଁ। ସୂଚନାଯୋଗ୍ୟ, ରାହୁଲ କୃଷି ଆଇନକୁ ନେଇ ପୂର୍ବରୁ ମଧ୍ୟ ଅନେକ ଥର କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଆସିଛନ୍ତି।

Comments are closed.