କଂଗ୍ରେସ ସଙ୍କଟ ବଢ଼ିଲା: ରାହୁଲଙ୍କୁ ମନାଇବାକୁ ପହଞ୍ଚିଲେ ପ୍ରିୟଙ୍କା, ଗେହଲଟ, ସଚିନ ପାଇଲଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବଡ଼ ଧରଣର ପରାଜୟର ସମ୍ମୁଖୀନ ହେବା ପରେ କଂଗ୍ରେସରେ ହଟଚମଟ ସୃଷ୍ଟି ହୋଇଛି। କର୍ନାଟକ, ରାଜସ୍ଥାନରେ କଂଗ୍ରେସରେ ଅନ୍ତଃକନ୍ଦଳ ଦେଖାଦେଇଥିବାବେଳେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେବା ଜିଦରେ ଅଟଳ ରହିଛନ୍ତି। ଫଳାଫଳ ପ୍ରକାଶ ପାଇବା ପରେ ଗତ ଶନିବାର ବସିଥିବା କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ରାହୁଲ ଇସ୍ତଫା ଦେବେ ବୋଲି କହିଥିଲେ। କିନ୍ତୁ ତାଙ୍କ ଇସ୍ତଫାକୁ ଅଗ୍ରାହ୍ୟ କରିଦିଆଯାଇଥିଲା। ମାତ୍ର ରାହୁଲ ଇସ୍ତଫା ଦେବା ନେଇ ନିଜ ଜିଦରେ ଅଟଳ ରହିଥିବାରୁ ଦଳରେ ନେତୃତ୍ଵ ସଙ୍କଟ ଦେଖାଦେଇଛି। ମଙ୍ଗଳବାର ରାହୁଲଙ୍କୁ ମନାଇବା ପାଇଁ ଉଦ୍ୟମ କରାଯାଇଛି। ପ୍ରିୟଙ୍କା ଗାନ୍ଧ୍ରୀ ଭଦ୍ରା, ଅହମଦ ପଟେଲ, ସଚିନ ପାଇଲଟ, ଅଶୋକ ଗେହଲଟଙ୍କ ସମେତ ବଡ଼ ବଡ଼ ନେତାମାନେ ରାହୁଲଙ୍କୁ ମନାଇବାକୁ ତାଙ୍କ ବାସଭବନରେ ପହଞ୍ଚିଛନ୍ତି।

ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ରାହୁଲଙ୍କ ବାସଭବନରେ ହୋଇଥିବା ଆଲୋଚନାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳର ଜଣେ ବଡ଼ ନେତାଙ୍କୁ କହିଛନ୍ତି ଯେ, ଆପଣଙ୍କୁ ଗୋଟିଏ ମାସ ସମୟ ଦେଉଛି। ତାହା ଭିତରେ ଆପଣ ମୋର ବିକଳ୍ପ ଖୋଜନ୍ତୁ। ରାହୁଲ କହିଛନ୍ତି ଯେ, ମୁଁ ପଦ ଛାଡ଼ିବାକୁ ମନ ସ୍ଥିର କରିସାରିଛି। କିନ୍ତୁ ପ୍ରିୟଙ୍କାଙ୍କୁ ଏସବୁରୁ ଦୂରେଇ ରଖାଯିବା ଉଚିତ। କୌଣସି ପରିସ୍ଥିତିରେ ବି ସେ ମୋ ସ୍ଥାନରେ ଅଧ୍ୟକ୍ଷ ହେବନାହିଁ। ଲୋକସଭାରେ ମୁଁ ଦଳର ନେତୃତ୍ଵ ନେବାକୁ ପ୍ରସ୍ତୁତ ରହିଛି। ଅନ୍ୟ କୌଣସି ଭୂମିକାରେ ବି କାମ କରିପାରିବି। ଦଳକୁ ମଜଭୁତ କରିବା ଦିଗରେ କାର୍ଯ୍ୟ ଜାରି ରଖିବି। କିନ୍ତୁ ଅଧ୍ୟକ୍ଷ ରହିବି ନାହିଁ।

Comments are closed.