ଜାଲିଆନୱାଲା ବାଗ୍‌ରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାହୁଲ; କହିଲେ ସ୍ବାଧୀନତାର ମୂଲ୍ୟ  କେବେ ଭୁଲି ହେବ ନାହିଁ

ଅମୃତସର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ଜାଲିଆନୱାଲା ବାଗ୍‌ରେ ପହଞ୍ଚି ଗଣହତ୍ୟାର ଶିକାର ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୧୯୧୯ ଏପ୍ରିଲ ୧୩ ତାରିଖରେ ବ୍ରିଟିଶ ସରକାର ଜାଲିଆନୱାଲା ବାଗରେ ଶାନ୍ତିପୂର୍ଣ୍ଣ ଭାବେ  ସଭା କରୁଥିବା ୨୦ ହଜାର ଭାରତୀୟଙ୍କ ଉପରକୁ ଗୁଳିମାଡ଼ କରିଥିଲେ, ଯେଉଁଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଶନିବାର ଏହି ଅମାନବୀୟ ଘଟଣାର ୧୦୦ ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜାଲିଆନୱାଲା ବାଗରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ରାହୁଲ ସେଠାରେ ଭିଜିଟର୍ସ ବୁକ୍‌ରେ ଉଲ୍ଲେଖ କରିଥିଲେ ଯେ, ‘ସ୍ବାଧୀନତାର ମୂଲ୍ୟକୁ କେବେ ଭୂଲି ହେବନାହିଁ। ଭାରତୀୟଙ୍କୁ ସାଲ୍ୟୁଟ୍‌ କରୁଛୁ ଯେଉଁମାନେ ସ୍ବାଧୀନତା ପାଇଁ ନିଜର ସବୁକିଛି ତ୍ୟାଗ କରିଦେଇଥିଲେ। ଜୟ ହିନ୍ଦ।’ ରାହୁଲଙ୍କ ସହିତ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁ, ପଞ୍ଜାବର କଂଗ୍ରେସ ପ୍ରଭାରୀ ଆଶା କୁମାରୀ ଏବଂ ପଞ୍ଜାବ କଂଗ୍ରେସ ସଭାପତି ସୁନୀଲ ଝାକର ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Comments are closed.