ନିଜ ଜନ୍ମ ସମୟରେ ଉପସ୍ଥିତ ଥିବା ନର୍ସଙ୍କୁ ଭେଟିଲେ ରାହୁଲ

ୱାୟନାଡ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଜନ୍ମ ସମୟରେ ଉପସ୍ଥିତ ଥିବା ନର୍ସଙ୍କୁ ରବିବାର ଭେଟିଛନ୍ତି। ରାହୁଲ ବର୍ତ୍ତମାନ କେରଳର ୱାୟନାଡ ଗସ୍ତରେ ଅଛନ୍ତି। ସେ ଏହି ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ତେଣୁ ୱାୟନାଡ ବୁଲିବାକୁ ଆସିଥିବାବେଳେ ରାହୁଲ ସମ୍ପୃକ୍ତ ନର୍ସ ରାଜମ୍ମାଙ୍କୁ ଭେଟିଥିଲେ।

ୱାୟନାଡରେ ରାହୁଲି ଶନିବାର ରାତ୍ରିଯାପନ କରିଥିଲେ। ରବିବାର ସକାଳେ ରାଜମ୍ମା ରାହୁଲ ରହୁଥିବା ସ୍ଥାନକୁ ଆସିଥିଲେ। ରାହୁଲ ତାଙ୍କୁ ଭେଟିବା ସହ ଆଲିଙ୍ଗନ କରି ତାଙ୍କ ସୁଖଦୁଃଖ ପଚାରି ବୁଝିଥିଲେ। ରାଜମ୍ମା ରାହୁଲଙ୍କୁ କହିଥିଲେ ଯେ, ତୁମେ ଜନ୍ମ ହେବା ପରେ ରାଜୀବ ଗାନ୍ଧୀ ନୁହନ୍ତି କି ସୋନିଆ ଗାନ୍ଧୀ ନୁହନ୍ତି, ମୁଁ ତୁମକୁ ପ୍ରଥମେ କୋଳେଇଥିଲି ଏବଂ ଆଦର କରିଥିଲି। ଏହା ଶୁଣିବା ପରେ ରାହୁଲ ଭାବବିହ୍ବଳ ହୋଇ ପୁଣି ଥରେ ତାଙ୍କୁ ଆଲିଙ୍ଗନ କରିଥିଲେ। ଏହି ମୁହୂର୍ତ୍ତକୁ ବିରୋଧୀ ଦଳ ନେତା ରମେଶ ଚେନିଥାନା ନିଜ କ୍ୟାମେରାରେ କଏଦ କରି ଫେସବୁକରେ ପୋଷ୍ଟ କରିଥିଲେ।

ସୂଚନାଯୋଗ୍ୟ, ୫ଦଶନ୍ଧି ପୂର୍ବେ ରାଜମ୍ମା ନୂଆଦିଲ୍ଲୀର ହୋଲିକ୍ରସ ହସ୍ପିଟାଲରେ କାମ କରୁଥିଲେ। ୧୯୭୦ରେ ରାହୁଲ ଏହି ହସ୍ପିଟାଲରେ ଜନ୍ମଲାଭ କରିଥିଲେ। ରାହୁଲଙ୍କ ଜନ୍ମ ସମୟରେ ରାଜମ୍ମା ଡେଲିଭରି ନର୍ସ ଭାବେ କାର୍ଯ୍ୟ କରିଥିଲେ।

Comments are closed.