ପୁଣି କଂଗ୍ରେସ ମଙ୍ଗ ଧରିବେ ରାହୁଳ! କାର୍ଯ୍ୟକାରିଣୀରେ ଗେହେଲଟ ଦେଲେ ପ୍ରସ୍ତାବ

ପୁଣିଥରେ ରାହୁଳ ଗାନ୍ଧୀ କଂଗ୍ରେସ ସଭାପତି ହେବେ । କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଗାନ୍ଧି ପରିବାରର ଅନୁଗତ ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏ ସମ୍ପର୍କରେ ପ୍ରସ୍ତାବ ଦେବା ଓ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି.ଭି. ଏହାକୁ ସମର୍ଥନ କରିବା ପରେ ରାହୁଳଙ୍କୁ ପୁନର୍ବାର ଦଳର ମୁଖ୍ୟ କରାଯାଇପାରେ ବୋଲି ଚର୍ଚା ଆରମ୍ଭ ହୋଇଛି । ଗେହଲଟ୍ ତୁରନ୍ତ କଂଗ୍ରେସ ଦଳ ଏକ ଭର୍ଚୁଆଲ ବୈଠକ ଡ଼ାକି ରାହୁଳଙ୍କୁ କଂଗ୍ରେସର ସଭାପତି କରାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଗତ ଲୋକସଭା ନିର୍ବାଚନରେ ଦଳର ପରାଜୟ ପରେ ରାହୁଳ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ ଓ ସୋନିଆଙ୍କୁ ଦଳ ସଭାପତି ଭାବରେ ନିଯୁକ୍ତି ଦେଇଥିଲା । କେଇଦିନ ତଳେ ୫୦ ବର୍ଷ ପୂରଣ କରିଥିବା ରାହୁଳ ପୁନର୍ବାର ସଭାପତି ହେଲେ ଦଳ ପୁଣି ଜୀବନ୍ୟାସ ପାଇବ ବୋଲି ଅନେକ କଂଗ୍ରେସ ନେତା ଓ ଗାନ୍ଧୀ ପରିବାରର ଅନୁଗତ ବିଶ୍ବାସ କରୁଛନ୍ତି । 

ଅନ୍ୟପକ୍ଷରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ଦଳ ସରକାର ଓ ବିଜେପି ଉପରେ ନିଜର ନିଶାଣ ତୀବ୍ର କରିଛି । ବିଶେଷଭାବରେ କରୋନା ସଂକ୍ରମଣ ଜନିତ ଲକ୍ଡ଼ାଉନ, ଚୀନ-ଭାରତ ସୀମାରେ ସଂଘର୍ଷ ଓ ୨୦ ଭାରତୀୟ ସେନାଙ୍କ ମୃତ୍ୟୁ ଏବଂ ପେଟ୍ରୋଲିୟମ ସାମଗ୍ରୀ ଦର ବୃଦ୍ଧିକୁ ନେଇ ଦଳ ଚିନ୍ତାବ୍ୟକ୍ତ କରିଛି ଏବଂ ସରକାରଙ୍କୁ କଟୁ ସମାଲୋଚନା କରିଛି । ଦଳର ବରିଷ୍ଠ ନେତା ରଣଦୀପ ସୁରଜେୱାଲା କାର୍ଯ୍ୟକାରିଣୀର ବିବରଣୀ ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି ।

ବୈଠକର ସୂଚନା ଦେଇ  ସୁରଜେଓ୍ଵାଲା କହିଛନ୍ତି, ଏହି ବିଶେଷ ବୈଠକରେ ୩ଟି ପ୍ରସ୍ତାବ ପାରିତ ହୋଇଛି। କଂଗ୍ରେସ କାର୍ଯ୍ୟକାରୀ କମିଟି ୧୭ ଦିନ ଧରି ସରକାରଙ୍କ ଦ୍ଵାରା ବଢାଯାଉଥିବା ତୈଳ ଦର ନେଇ ଗଭୀର ଚିନ୍ତା ପ୍ରକାଶ କରିଛି।  ଗତ ୬ ବର୍ଷରେ ୧୨ ଥର ଉତ୍ପାଦ ଶୁଳ୍କ ବୃଦ୍ଧି କରି ମୋଦୀ ସରକାର ୧୮ ଲକ୍ଷ କୋଟି ଟଙ୍କା ଆୟ କରି ସାରିଛନ୍ତି।

ସିଡବ୍ଲ୍ୟୁସି ୧୮ ଲକ୍ଷ କୋଟି ଟଙ୍କାକୁ  ସଙ୍କଟର ଏହି ଘଡିରେ ଦେଶର ଜନତାଙ୍କ ଲାଗି କଣ ପାଇଁ ବ୍ୟବହାର କରାଯାଉ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଗତ  ୧୭ ଦିନରୁ କ୍ରମାଗତ ତୈଳ ଦର ବୃଦ୍ଧି, ମେ ୫ରେ ପେଟ୍ରୋଲ-ଡିଜେଲ୍‌ ଉପରେ କ୍ରମଶଃ ୧୦ ଓ ୧୩ ପଇସା ଲିଟର ପ୍ରତି ଉତ୍ପାଦ ଶୁଳ୍କ ବୃଦ୍ଧି କରାଯିବା ସରକାରଙ୍କ ମନୋଭାବକୁ ଦର୍ଶାଉଛି ବୋଲି ସୁରଜେଓ୍ଵାଲା କହିଛନ୍ତି।

ଅନ୍ୟପକ୍ଷରେ ଚୀନ୍ ସୀମାରେ ଭାରତୀୟ ସେନାଙ୍କ ସହିଦ ହେବାକୁ ନେଇ ଉଦବେଗ ପ୍ରକାଶ କରିଛି କଂଗ୍ରେସ । ଏହି ପ୍ରସଙ୍ଗରେ ରାହୁଳ ଗାନ୍ଧୀ ଗତ କିଛିଦିନ ହେଲା ନିୟମିତ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟୁ ସମାଲୋଚନା କରି ଆସୁଛନ୍ତି ।

Comments are closed.