ରାହୁଲ ଜଣେ ସମଲିଙ୍ଗୀ: ସ୍ବାମୀ ଚକ୍ରପାଣି

ନୂଆଦିଲ୍ଲୀ: କଂଗ୍ରେସ ସେବା ଦଳ ପୁସ୍ତିକାରେ ବିନାୟକ ଦାମୋଦର ସାୱରକରଙ୍କ ଚରିତ୍ର ସଂହାର କରାଯିବା ଘଟଣାକୁ ନେଇ ବିବାଦ ଘନେଇବାରେ ଲାଗିଛି। ନାଥୁରାମ ଗୋଡ୍‌ସେଙ୍କ ସହିତ ସାୱରକରଙ୍କ ଶାରିରୀକ ସମ୍ବନ୍ଧ ଥିବା ଏହି ପୁସ୍ତିକାରେ ଦର୍ଶାଯିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଅଖିଳ ଭାରତୀୟ ହିନ୍ଦୁ ମହାସଭା ସଭାପତି ସ୍ବାମୀ ଚକ୍ରପାଣି ଏହାକୁ ହାସ୍ୟାସ୍ପଦ କହିବା ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ସମଲିଙ୍ଗୀ ବୋଲି ସେ ଶୁଣିଥିବା କହିଛନ୍ତି।

କଂଗ୍ରେସ ସେବା ଦଳ ପକ୍ଷରୁ ପ୍ରକାଶିତ ‘ବୀର ସାୱରକର କେତେ ବୀର ?’ ଶୀର୍ଷକ ପୁସ୍ତିକା ସେବା ଦଳର ୧୦ ଦିନିଆ ଶିବିରରେ ବଣ୍ଟନ କରାଯାଇଥିଲା। ବ୍ରହ୍ମଚର୍ଯ୍ୟ ଗ୍ରହଣ କରିବା ପୂର୍ବରୁ ଗୋଡ୍‌ସେଙ୍କ ସମଲିଙ୍ଗୀ ସମ୍ପର୍କ ଥିଲା। ତାଙ୍କ ସାଥୀ ହେଉଛନ୍ତି ବୀର ସାୱରକର, ଯିଏ ତାଙ୍କର ରାଜନୈତିକ ଗୁରୁ ବୋଲି ପୁସ୍ତିକାରେ ଉଲ୍ଲେଖ କରାଯାଇଛି। କଂଗ୍ରେସ ସେବା ଦଳ ମୁଖ୍ୟ ଲାଲଜୀ ଦେଶାଇ କହିଛନ୍ତି, କିଛି ପ୍ରମାଣକୁ ଆଧାର କରି ଲେଖକ ଏହା ଲେଖିଛନ୍ତି। କିନ୍ତୁ ସାୱରକର ସମଲିଙ୍ଗୀ କିମ୍ବା ନୁହନ୍ତି, ତାହା ଗୁରୁତ୍ଵପୂର୍ଣ୍ଣ ନୁହେଁ। ଆମ ଦେଶରେ ସମସ୍ତଙ୍କର ନିଜର ସ୍ବତନ୍ତ୍ର ରୁଚି ନେଇ ଆଇନଗତ ଅଧିକାର ରହିଛି।

ଏହି ବିବାଦୀୟ ପୁସ୍ତିକାରେ ଆହୁରି ଉଲ୍ଲେଖ ରହିଛି ଯେ, ସାୱରକର ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାଙ୍କୁ ବଳାତ୍କାର କରିବା ଲାଗି ତାଙ୍କ ଅନୁଗାମୀମାନଙ୍କୁ ପ୍ରରୋଚିତ କରୁଥିଲେ ଏବଂ ମାତ୍ର ୧୨ ବର୍ଷ ବୟସରେ ସେ ମସଜିଦ୍‌ ଉପରକୁ ପଥର ଫିଙ୍ଗିଥିଲେ।

କଂଗ୍ରେସର ଏଭଳି କାର୍ଯ୍ୟକୁ ଭୋପାଳର ବିଜେପି ବିଧାୟକ ରାମେଶ୍ଵର ଶର୍ମା ନିନ୍ଦା କରିବା ସହିତ କଂଗ୍ରେସ ଦେଶଭକ୍ତମାନଙ୍କୁ ବଦନାମ କରୁଛି ବୋଲି କହିଛନ୍ତି। କଂଗ୍ରେସ ସାୱରକରଙ୍କୁ ମୁସଲିମ ବିରୋଧୀ ବୋଲି ଦର୍ଶାଇବାକୁ ଚାହୁଁଛି। କଂଗ୍ରେସ ମୁସଲମାନଙ୍କୁ ଖୁସି କରିବାର ନୀତି ଅନୁସରଣ କରିଛି। ସାୱରକର ଜଣେ ଦେଶଭକ୍ତ। ତାଙ୍କ ନାମରେ ଏଭଳି ଅପପ୍ରଚାର ଅଯୌକ୍ତିକ। କଂଗ୍ରେସ ନେତାମାନେ ଦେଶଭକ୍ତମାନଙ୍କୁ ଅପମାନ କରିବା ବନ୍ଦ କରୁ ବୋଲି ସେ କହିଛନ୍ତି।

Comments are closed.