ଡୋକଲାମ ପ୍ରସଙ୍ଗର ଯବନିକା ପଡି ନାହିଁ: ରାହୁଲ

0

ଲଣ୍ଡନ : ସିକିମ ସୀମାନ୍ତ ଡୋକଲାମରେ ଚୀନ ସେନାର ଉପସ୍ଥିତି ଏବେ ବି ରହିଛି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ଶୁକ୍ରବାର ଲଣ୍ଡନସ୍ଥିତ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଷ୍ଟ୍ରାଟେଜିକ୍‍ ଷ୍ଟଡିଜର ଆଲୋଚନାରେ ରାହୁଲ ଭାଗନେଇ କହିଛନ୍ତି ଯେ ଡୋକଲାମ ପ୍ରସଙ୍ଗର ଯବନିକା ପଡି ନାହିଁ। ଏଥିପାଇଁ ଭାରତକୁ ସର୍ବଦା ସତର୍କ ରହିବାକୁ ହେବ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗକୁ ପରିଚାଳନା କରିବାରେ ବିଫଳ ହୋଇଛନ୍ତି। ମୋଦୀ ଏହାକୁ ଏକ ପାରମ୍ପରିକ ପ୍ରକ୍ରିୟା ଭାବେ ବିବେଚନା କରିବାରୁ ଏହି ବିବାଦ ଜଟିଳ ହୋଇପଡିଲା। ମୋଦୀ ଯଦି ଏହାକୁ ଠିକ୍‍ ଅନୁଧ୍ୟାନ କରିଥାନ୍ତେ ତେବେ ଏହା ଏତେ ଜଟିଳ ହୋଇ ନଥାନ୍ତା। ଭାରତ-ଚୀନ-ଭୁଟାନ ସୀମାନ୍ତ ଡୋକଲାମରେ ଚୀନ ସେନାର ଉପସ୍ଥିତିକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ଦେଖାଯାଇଥିଲା। ଗତବର୍ଷ ଜୁନ ୧୬ରୁ ଆରମ୍ଭ ହୋଇଥିବା ଏହି ବିବାଦ ୭୩ଦିନ ଧରି ଲାଗି ରହିଥିଲା।
ଆଲୋଚନା କାଳରେ ରାହୁଲ କହିଛନ୍ତି ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ବିଜୟ ଅସମ୍ଭବ। ସେ କହିଛନ୍ତି ଯେ ଉତ୍ତରପ୍ରଦେଶ ଓ ବିହାରରେ କଂଗ୍ରେସ ଯଦି ମେଣ୍ଟ କରିବାରେ ସଫଳ ହୁଏ ; ତେବେ ବିଜେପି ପାଇଁ ବିଜୟ ଅସମ୍ଭବ ହୋଇପଡିବ। ଏହି ଦୁଇ ରାଜ୍ୟର ଲୋକସଭା ଆସନ ସଂଖ୍ୟା ୧୨୦। ଉତ୍ତରପ୍ରଦେଶରେ କଂଗ୍ରେସ-ବହୁଜନ ସମାଜ ପାର୍ଟି-ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ଅଛି। ବିହାରରେ ମଧ୍ୟ ଦଳ ଆରଜେଡି ଓ ଅନ୍ୟାନ୍ୟ ଦଳ ସହ ମେଣ୍ଟ କରି ନିର୍ବାଚନ ଲଢିବାର ଅଛି। ଏହି ଦୁଇ ରାଜ୍ୟରେ ଯଦି ବିଜେପିକୁ ରୋକାଯିବ ତେବେ ଲୋକସଭା ନିର୍ବାଚନରେ ଏହା ସଂଖ୍ୟା ଗରିଷ୍ଠତା ହାସଲ କରିପାରିବ ନାହିଁ। ସେହିପରି ୨୦୧୪ ନିର୍ବାଚନରେ ପରାଜୟ ପାଇ ରାହୁଲ କଂଗ୍ରେସର ଔଦ୍ଧତ୍ୟକୁ ଦାୟୀ କରିଛନ୍ତି। ସେ କହିଛନ୍ତି କଂଗ୍ରେସ ୧୦ବର୍ଷ ଧରି କ୍ଷମତାରେ ରହିବା ପରେ ଏହାର ଔଦ୍ଧତ୍ୟ ବଢିଯାଇଥିଲା।
ଜାତୀୟ ନାଗରିକ ପଞ୍ଜୀକରଣ ବାବଦରେ ରାହୁଲ କହିଛନ୍ତି ଯେ ଏହି ଯୋଜନା କଂଗ୍ରେସ ଆରମ୍ଭ କରିଥିଲା। ତେବେ ଏହାକୁ କାର୍ଯ୍ୟକାରୀ କରିବାରେ କେତେକ ସମସ୍ୟା ରହିଛି। ବହୁ ସଂଖ୍ୟାରେ ଭାରତୀୟ ଏହି ଯୋଜନାରୁ ବାଦ୍‍ ପଡିଛନ୍ତି। ପାକିସ୍ତାନ ସୀମାରେ ଭାରତୀୟ ସୈନିକ କରିଥିବା ସର୍ଜିକାଲ ଷ୍ଟ୍ରାଇକକୁ ରାହୁଲ ଶତପ୍ରତିଶତ ସତ୍ୟ ବୋଲି ଦର୍ଶାଇଛନ୍ତି।

Leave A Reply