ପୁଣି ସରକାରଙ୍କୁ ନିଶାଣ କଲେ ରାହୁଳ: ବିମୁଦ୍ରାୟନ, ଜିଏସଟି ଓ ବିଫଳ ଲକଡ଼ାଉନ ଦେଶକୁ ବରବାଦ କରିଛି

ନୂଆଦିଲ୍ଲୀ: ଦେଶର ଅର୍ଥବ୍ୟବସ୍ଥାକୁ ନେଇ କଂଗ୍ରେସ ନେତା ରାହୁଳ ଗାନ୍ଧୀ ପୁଣିଥରେ ମୋଦୀ ସରକାରଙ୍କୁ ନିଶାଣ କରିଛନ୍ତି । ଶୁକ୍ରବାର ଟ୍ବିଟ୍ କରି ସେ ଦେଶର ବିପର୍ଯ୍ୟସ୍ତ ଅର୍ଥ ବ୍ୟବସ୍ଥା ନିମନ୍ତେ ୩ଟି ପ୍ରସଙ୍ଗକୁ ଦାୟୀ କରିଛନ୍ତି । ଗୋଟିଏ ହେଉଥି ବିମୁଦ୍ରାୟନ, ଦ୍ବିତୀୟଟି ଜିଏସଟି ଓ ତୃତୀୟଟି ହେଉଛି ବିଫଳ ଲକଡ଼ାଉନ । ଏହି ତିନି କାରଣ ଯୋଗୁଁ ଦେଶର ଅର୍ଥବ୍ୟବସ୍ଥା ନିମ୍ନଗାମୀ ହୋଇଛି ବୋଲି ରାହୁଳ କହିଛନ୍ତି ।

ଗତକାଲି ଜିଏସଟି କାଉନସିଲ ବୈଠକ ପରେ ଅର୍ଥମନ୍ତ୍ରୀ କରୋନା ସଂକ୍ରମଣ ଯୋଗୁଁ ଦେଶର ଆର୍ଥିକ ଅବସ୍ଥା ନିମ୍ନଗାମୀ ହୋଇଥିବା ଉଲ୍ଲେଖ କରି ବର୍ତମାନ ପରିସ୍ଥିତିକୁ ‘‘ଆକ୍ଟ ଅଫ୍ ଗଡ଼୍’’ ବୋଲି ଅଭିହିତ କରିଥିଲେ । କରୋନାର ପ୍ରଭାବ ଦେଶର ଅର୍ଥବ୍ୟବସ୍ଥା ଉପରେ ପଡ଼ିଛି ବୋଲି କହିଥିଲେ । ୨୦୨୦-୨୧ ଆର୍ଥିକ ବର୍ଷରେ ଜିଏସଟି ରାଜସ୍ବ ୨.୩୫ ଲକ୍ଷ କୋଟି ଟଙ୍କା ହ୍ରାସ ପାଇବ ବୋଲି ସେ ଆଶଙ୍କା କରିବା ସହ କରୋନାକୁ ଏକ ‘ଦୈବୀ ଦୁର୍ବିପାକ’ ଭାବରେ ବର୍ଣ୍ଣନା କରି ଏହାଦ୍ବାରା ଜିଏସଟି ଆଦାୟ ପ୍ରଭାବିତ ହୋଇଥିବା କହିଥିଲେ ।

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଏହି ବିବୃତି ଆଧାରରେ ଶୁକ୍ରବାର ରାହୁଳ କହିଛନ୍ତି ଯେ ଭାରତର ଅର୍ଥବ୍ୟବସ୍ଥା ସମ୍ପର୍କରେ ଯିଏ ବି ଯାହା କହୁ ସବୁ ମିଛ କହୁଛନ୍ତି । ଅର୍ଥବ୍ୟବସ୍ଥା ୩ଟି କାରଣ ନିମନ୍ତେ ଖରାପ ହୋଇଛି । ଗୋଟିଏ ହେଉଛି ବିଫଳ ଲକଡ଼ାଉନ, ଦ୍ବିତୀୟଟି ବିମୁଦ୍ରାୟନ ଓ ତୃତୀୟଟି ଜିଏସଟି । ଏହାବ୍ୟତୀତ ଅନ୍ୟ ସବୁ ମିଛ ।

Comments are closed.