ଲୋକଙ୍କ ସହ ଯୋଡ଼ି ହୁଅ: ରାହୁଲ

କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପଦଯାତ୍ରା

ଜୟପୁର: ରାଜସ୍ଥାନ ଉଦୟପୁରରେ ଚାଲିଥିବା କଂଗ୍ରେସ ନବ ସଙ୍କଳ୍ପ ଚିନ୍ତନ ଶିବିର ରବିବାର ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ଦିବସରେ ଦଳର ନେତା ରାହୁଲ ଗାନ୍ଧୀ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ଲୋକଙ୍କ ସହିତ ଯୋଡି ହେବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ଲୋକଙ୍କ ସହିତ କଂଗ୍ରେସର ସମ୍ପର୍କ ଛିନ୍ନ ହୋଇଯାଇଥିବାବେଳେ ଏହାକୁ ପୁଣି ଥରେ ଯୋଡିବାକୁ ସମସ୍ତେ ପ୍ରୟାସ କରିବା ଦରକାର। ଦଳର ଅନ୍ତରୀଣ ପ୍ରସଙ୍ଗ ପରିବର୍ତ୍ତେ ଲୋକ କଲ୍ୟାଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ହେବ। ରାହୁଲ ଅଭିଯୋଗ କରିଛନ୍ତି ଯେ ଚିନ୍ତନ ଶିବିରରେ ସମସ୍ତେ ଦଳର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦଳରେ କିଏ କେଉଁ ପଦରେ ରହିବ ତାହା ଚର୍ଚ୍ଚା କରାଯାଇଛି। ଏହା ଦଳର ଆଭ୍ୟନ୍ତରୀଣ ପ୍ରସଙ୍ଗ।

ମାତ୍ର ଆମର ଧ୍ୟାନ ଦଳ ବାହାରକୁ ଯିବା ଦରକାର। ସାଧାରଣ ଲୋକଙ୍କ ପାଇଁ ଦଳ କ’ଣ କରିପାରିବ ତାହା ଶିବିରରେ ଆଲୋଚନା ହେବା ଉଚିତ୍। ଆମେ ଆମ ପାଇଁ କିଛି କରିବା ନାହିଁ ଦେଶ ପାଇଁ କିଛି କରିବା। ଦଳର ବରିଷ୍ଠ ନେତା ହୁଅନ୍ତୁ ଅବା କନିଷ୍ଠ। ଆମେ ସମସ୍ତେ ଲୋକଙ୍କ ପାଖରେ ଯାଇ ବସିବା, ତାଙ୍କ ସମସ୍ୟାକୁ ଶୁଣିବା। ଏହା ଆମକୁ ଗ୍ରହଣ କରିବାକୁ ହେବ ଯେ ଲୋକଙ୍କ ସହିତ କଂଗ୍ରେସର ସମ୍ପର୍କ ଛିନ୍ନ ହୋଇଯାଇଛି। ଏହାକୁ ଆମେ ପୁନର୍ବାର ଯୋଡିବାକୁ ହେବ। ଲୋକଙ୍କ ସହିତ ଯୋଡି ହେବା ଲାଗି ଆସନ୍ତା ଅକ୍ଟୋବରରୁ ଦଳ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ‘ଭାରତ ଯୋଡା ଯାତା’ ନାମରେ ପଦଯାତ୍ରା ହେବ। ପଦଯାତ୍ରାରେ ଲୋକଙ୍କୁ ଦେଶର ମାନ୍ଦାବସ୍ଥା, ବେରୋଜଗାରୀ ବିଷୟରେ ଅବଗତ କରାଯିବ। ପ୍ରତ୍ୟେକ ରାଜ୍ୟରେ ଏହି ପଦଯାତ୍ରା କରାଯିବ।

ରାହୁଲ କହିଛନ୍ତି ଯେ ଦଳ ଯେପରି ଢଙ୍ଗରେ କାର୍ଯ୍ୟ କରୁଛି ସେଥିରେ ପରିବର୍ତ୍ତନ ଆଣିବା ଦରକାର। ଗୋଟିଏ ପରିବାର ଜଣେ ନେତାଙ୍କୁ ନିର୍ବାଚନ ଲଢିବା ଲାଗି ଟିକଟ ପ୍ରଦାନ କରାଯିବ। ଦଳର କୌଣସି ସଂଗଠନରେ ଗୋଟିଏ ପରିବାର ୬-୭ଜଣ କାର୍ଯ୍ୟ କରିପାରିବେ ନାହିଁ। ଦଳରେ ଯୁବନେତାଙ୍କୁ ସବୁକ୍ଷେତ୍ରରେ ଅଧିକ ପ୍ରତିନିଧିତ୍ବ ପ୍ରଦାନ କରାଯିବ। ଏକବିଂଶ ଶତାବ୍ଦୀ ଯୋଗାଯୋଗର ଯୁଗ। ଏହି କ୍ଷେତ୍ରରେ ଆମ ବିରୋଧୀମାନେ ଆମଠାରୁ ବହୁତ ଆଗରେ ରହିଛନ୍ତି। ତେଣୁ ବର୍ତ୍ତମାନ ସମୟରେ ଲୋକଙ୍କ ସହିତ ଯୋଗାଯୋଗ ନିମନ୍ତେ କଂଗ୍ରେସ ସଂସ୍କାର ଆଣିବା ଦରକାର।

Comments are closed.