ଦିଲ୍ଲୀରେ ଆପ ସହ ମେଣ୍ଟ ପାଇଁ ୪ ଆସନର ପ୍ରସ୍ତାବ ରଖିଲେ ରାହୁଲ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ) ସହ ସମ୍ଭାବ୍ୟ ମେଣ୍ଟ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ପ୍ରସ୍ତାବ ରଖିଛନ୍ତି। ୭ ଆସନ ବିଶିଷ୍ଟ ଦିଲ୍ଲୀରେ ଆପ ପାଇଁ ରାହୁଲ ୪ଟି ଲୋକସଭା ଆସନ ଛାଡ଼ିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାସହ ଏବେ ନିଷ୍ପତ୍ତି ନେବାର ସମୟ ଆପର ବୋଲି ରାହୁଲ କହିଛନ୍ତି।
ରାହୁଲ ଗାନ୍ଧୀ ଆପ ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ୟୁ-ଟର୍ଣ୍ଣର ଅଭିଯୋଗ ଲଗାଇଛନ୍ତି। ସେପଟେ କେଜରିୱାଲ ମଧ୍ୟ ରାହୁଲ ବିଜେପିକୁ ସହଯୋଗ କରୁଥିବା ଅଭିଯୋଗ କରିଛନ୍ତି। ବିଜେପି ନେତୃତ୍ୱାଧୀନ ଏନଡିଏକୁ ହରାଇ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାଚ୍ୟୁତ କରିବାକୁ ସବୁ ପ୍ରକାର ବଳିଦାନ ଦେବା ପାଇଁ ପ୍ରସ୍ତୁତ ବୋଲି ରବିବାର କେଜରିୱାଲ କହିଥିଲେ। ଏହାର ଗୋଟିଏ ଦିନ ପରେ ରାହୁଲ ଗାନ୍ଧୀ ଟ୍ୱିଟ୍‍ କରି ମେଣ୍ଟ ପାଇଁ ଏହି ପ୍ରସ୍ତାବ ରଖିଛନ୍ତି। ରାହୁଲ କହିଛନ୍ତି ଦ୍ୱାର ଏବେ ବି ଖୋଲା ଅଛି। ଦିଲ୍ଲୀରେ ଆପ ସହ ମେଣ୍ଟର ଅର୍ଥ ବିଜେପିର ବଡ଼ ପରାଜୟ। କଂଗ୍ରେସ ଏହାକୁ ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀରେ ଆପକୁ ୪ଟି ଆସନ ଦେବାକୁ ଚାହୁଁଛି।
ଦିଲ୍ଲୀରେ ଆପ-କଂଗ୍ରେସ ମେଣ୍ଟ ପାଇଁ ବହୁ ସମୟ ଧରି କଳ୍ପନାଜଳ୍ପନା ଚାଲିଛି। ମେଣ୍ଟ ପାଇଁ ଆପ ପଞ୍ଜାବ ଏବଂ ହରିୟାଣାରେ କେତେକ ଆସନ ମାଗୁଥିଲା। ହେଲେ କଂଗ୍ରେସ ପଞ୍ଜାବ ଏବଂ ହରିୟାଣରେ ମେଣ୍ଟ ପାଇଁ ମନା କରିଦେଇଥିଲା। ଫଳରେ ଆପ-କଂଗ୍ରେସ ମେଣ୍ଟ ଆଉ ସମ୍ଭବ ନୁହେଁ ବୋଲି ଆଲୋଚନା ହେଉଥିଲା। ଏହା ମଧ୍ୟରେ ରାହୁଲ ଗାନ୍ଧୀ ଏହି ପ୍ରସ୍ତାବ ରଖିଛନ୍ତି। ଏବେ କେଜରିୱାଲଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।

Comments are closed.