କଂଗ୍ରେସର ଉତ୍‍ଥାନ ପାଇଁ ରାହୁଳ ଯୋଗ୍ୟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ପାଇଁ ସବୁଠାରୁ ଲୋକପ୍ରିୟ ନେତା ହୋଇ ରହିଛନ୍ତି। ଏପରିକି ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପାଇଁ ମୋଦୀ ସବୁଠାରୁ ବେଶୀ ପସନ୍ଦର ନେତା ହୋଇଛନ୍ତି। ଇଣ୍ଡିଆ ଟୁଡେ ପକ୍ଷରୁ ‘ମୁଡ ଅଫ ଦ ନେସନ’ ନାମରେ ହୋଇଥିବା ଏକ ଜନମତ ସର୍ଭେ ଅନୁଯାୟୀ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପାଇଁ ମୋଦୀଙ୍କୁ ୬୬% ଜନତା ପସନ୍ଦ କରିଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାତ୍ର ୮% ଲୋକ ପସନ୍ଦ କରିଛନ୍ତି। ତୃତୀୟରେ ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମାତ୍ର ୫% ପସନ୍ଦ କରିଛନ୍ତି। ଏହି ସର୍ଭେ ଅନୁଯାୟୀ ଦେଶର ସବୁଠାରୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସର୍ବାଗ୍ରେ ରହିଛନ୍ତି। ଆଦିତ୍ୟନାଥଙ୍କ ପଛକୁ ଅରବିନ୍ଦ କେଜରିୱାଲ ଓ ଜଗନମୋହନ ରେଡ୍ଡି ରହିଛନ୍ତି। ସର୍ଭେ ଅନୁଯାୟୀ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ୭୭% ଲୋକଙ୍କ ଭରସା ରହିଛି।
ସମ୍ପ୍ରତି ସଙ୍କଟ ସମୟ ଦେଇ ଗତି କରିଥିବା କଂଗ୍ରେସର ପୁନରୁତ୍‍ଥାନ ପାଇଁ ରାହୁଲ ଗାନ୍ଧୀ ହିଁ ଦଳର ସବୁଠାରୁ ଯୋଗ୍ୟ ନେତା ବୋଲି ଉକ୍ତ ଜନମତ ସର୍ଭେରୁ ଜଣାପଡ଼ିଛି। ଏହି ଜନମତରେ ୧୨,୦୨୧ଜଣଙ୍କ ମତାମତ ନିଆଯାଇଥିବାବେଳେ ୨୩ ପ୍ରତିଶତ ଜନତା କଂଗ୍ରେସର ଉତ୍‍ଥାନ ପାଇଁ ରାହୁଲଙ୍କୁ ଯୋଗ୍ୟ ବିବେଚନା କରିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ରାହୁଳ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ରାହୁଲ ସବୁଠାରୁ ଶ୍ରେଷ୍ଠ ହୋଇଥିବାବେଳେ ତାଙ୍କ ପଛକୁ ଦଳର ଦ୍ୱିତୀୟ ଯୋଗ୍ୟ ନେତା ହେଉଛନ୍ତି ମନମୋହନ ସିଂହ। ମନମୋହନ ସିଂହଙ୍କୁ ୧୮% ଭୋଟ ମିଳିଥିବାବେଳେ ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ୧୪% ଭୋଟ ମିଳିଛି। ସୋନିଆ ଓ ପ୍ରିୟଙ୍କାଙ୍କ ଅପେକ୍ଷା ମନମୋହନଙ୍କ ନେତୃତ୍ୱକୁ ଲୋକେ ଅଧିକ ପସନ୍ଦ କରନ୍ତି।

Comments are closed.