ସ୍ବାର୍ଥଜଡ଼ିତ ସମସ୍ୟା ଅଭିଯୋଗରୁ ଦ୍ରାବିଡ଼ ମୁକ୍ତ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କୁ ନେଇ ଆସିଥିବା ସ୍ବାର୍ଥଜଡ଼ିତ ସମସ୍ୟା ଅଭିଯୋଗର ପରିସମାପ୍ତି ଘଟିଛି। ଦ୍ରାବିଡ଼ଙ୍କୁ ସମସ୍ତ ଅଭିଯୋଗରୁ ଦୋଷମୁକ୍ତ ଘୋଷଣା କରିଛନ୍ତି ବିସିସିଆଇର ଏଥିକ୍‌ସ ଅଫିସର ଜଷ୍ଟିସ୍ ଡି.କେ. ଜୈନ୍। ଗତ ମଙ୍ଗଳବାର ଜଷ୍ଟିସ୍ ଜୈନ୍ ଦୁଇ ଥର ଦ୍ରାବିଡ଼ଙ୍କ ଉପରେ ହୋଇଥିବା ସ୍ବାର୍ଥଜଡ଼ିତ ସମସ୍ୟା ଅଭିଯୋଗର ଶୁଣାଣି କରିଥିଲେ। ଗୁରୁବାର ଜଷ୍ଟିସ୍ ଡି.କେ. ଜୈନ୍ ତାଙ୍କ ରାୟ ଶୁଣାଇଛନ୍ତି। ଏଥିରେ ଜଷ୍ଟିସ୍ ଜୈନ୍ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ରାହୁଲ ଦ୍ରାବିଡ଼ଙ୍କ ବିରୋଧରେ କୌଣସି ପ୍ରକାର ସ୍ବାର୍ଥଜଡ଼ିତ ସମସ୍ୟା ନାହିଁ।

ମଙ୍ଗଳବାର ଶୁଣାଣିରେ ଦ୍ରାବିଡ଼ ନିଜେ ହାଜର ହୋଇନଥିଲେ ଏବଂ ତାଙ୍କ ଓକିଲ ଦ୍ରାବିଡ଼ଙ୍କ ପକ୍ଷ ରଖିଥିଲେ। ଦ୍ରାବିଡ଼ଙ୍କ ବିରୋଧରେ ସ୍ବାର୍ଥଜଡ଼ିତ ସମସ୍ୟା ଅଭିଯୋଗ ଆଣିଥିଲେ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନ୍‌ର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା। ସେ ଅଭିଯୋଗ କରିଥିଲେ ଯେ ଦ୍ରାବିଡ଼ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ର ନିର୍ଦେଶକ ରହିବା ସହ ଇଣ୍ଡିଆ ସିମେଣ୍ଟ୍‌ସ କମ୍ପାନୀର ଉପସଭାପତି ରହିଛନ୍ତି। ଇଣ୍ଡିଆ ସିମେଣ୍ଟ୍‌ସ ଆଇପିଏଲ୍‌ ଦଳ ଚେନ୍ନଇ ସୁପର କିଙ୍ଗ୍‌ସର ମାଲିକାନାସ୍ବତ୍ବ ହାସଲ କରିଛି। ଦ୍ରାବିଡ଼ଙ୍କ ଓକିଲ ଦର୍ଶାଇଥିଲେ ଯେ ଦ୍ରାବିଡ଼ ଇଣ୍ଡିଆ ସିମେଣ୍ଟ୍‌ସରୁ ଅବ୍ୟାହତି ନେଇ ସାରିଛନ୍ତି ଏବଂ ଚେନ୍ନଇ ସୁପର କିଙ୍ଗ୍‌ସ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ତେବେ ତାଙ୍କ ରାୟରେ ଜଷ୍ଟିସ୍ ଜୈନ୍ ଦର୍ଶାଇଛନ୍ତି ଯେ ସଞ୍ଜୀବ ଗୁପ୍ତାଙ୍କ ଅଭିଯୋଗରେ ସେପରି ଗୁରୁତ୍ବ ନାହିଁ। ସମସ୍ତ ପ୍ରସଙ୍ଗର ଅଧ୍ୟୟନ କରିବା ପରେ ଜାଣିବାକୁ ପାଇଲେ ଯେ ରାହୁଲ ଦ୍ରାବିଡ଼ଙ୍କ ବିରୋଧରେ କୌଣସି ପ୍ରକାର ସ୍ବାର୍ଥଜଡ଼ିତ ସମସ୍ୟା ନାହିଁ। ତେବେ ପୂର୍ବରୁ ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣଙ୍କ ବିପକ୍ଷରେ ଅନୁରୂପ ଅଭିଯୋଗ ଆସିଥିବା ବେଳେ ଉଭୟଙ୍କୁ ସେ ପୁନଃ ଶୁଣାଣି ପାଇଁ ଡାକିଥିବାରୁ ଦ୍ରାବିଡ଼ଙ୍କୁ ଡାକିବା ପାଇଁ ​‌େ​‌ସ ବାଧ୍ୟ ହୋଇଥିଲେ। ସୂଚନାଯୋଗ୍ୟ; ଉଭୟ ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣ ବିପକ୍ଷରେ ସ୍ବାର୍ଥଜଡ଼ିତ ସମସ୍ୟା ଅଭିଯୋଗକୁ ଜଷ୍ଟିସ୍ ଡି.କେ. ଜୈନ୍ ଗ୍ରହଣ କରିଥିଲେ। ପୂର୍ବରୁ ଏହା ବିଷୟରେ ସ୍ପଷ୍ଟୀକରଣ ଦେଇ ଦ୍ରାବିଡ଼ କହିଥିଲେ ଯେ ସେ ଇଣ୍ଡିଆ ସିମେଣ୍ଟ୍‌ସରୁ ଛୁଟି ନେଇଛନ୍ତି ଏବଂ ଏହା ସହ କୌଣସି ଭାବେ ଆଉ ଜଡ଼ିତ ନାହାନ୍ତି। ପୂର୍ବରୁ ସୌରଭ ଗାଙ୍ଗୁଲି, ଭିଭିଏସ୍ ଲକ୍ଷ୍ମଣ ଓ ସଚିନ ତେନ୍ଦୁଲକରଙ୍କ ବିରୋଧରେ​‌ ମଧ୍ୟ ସଞ୍ଜୀବ ଅନୁରୂପ ଅଭିଯୋଗ ଆଣିଥିଲେ। ବିସିସିଆଇ ସମ୍ବିଧାନ ଅନୁସାରେ; କୌଣସି ବ୍ୟକ୍ତି ଏକାଧିକ ପଦରେ ରହିପାରିବେ ନାହିଁ।

Comments are closed.