ପ୍ରଧାନମନ୍ତ୍ରୀଙ୍କୁ କୁଟନୀତି ଶିଖାନ୍ତୁ ବିଦେଶ ମନ୍ତ୍ରୀ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ‘ଅବ୍‌କି ବାର ଟ୍ରମ୍ପ ସରକାର’ ମନ୍ତବ୍ୟ ଉପରେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ସଫେଇ ଦେବା ପରେ ରାହୁଲ ତାହାକୁ ନେଇ ମଙ୍ଗଳବାର ସକାଳେ ଟ୍ବିଟ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଆପଣ କୂଟନୀତି ବିଷୟରେ ଶିଖାନ୍ତୁ ବୋଲି ରାହୁଲ ବିଦେଶମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି।

ରାହୁଲ ଟ୍ବିଟ୍‌ରେ ଲେଖିଛନ୍ତି, ଏସ. ଜୟଶଙ୍କରଙ୍କୁ ଧନ୍ୟବାଦ, ଯିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅକ୍ଷମତାକୁ ଲୁଚାଇଦେଲେ। ତାଙ୍କର ଏପରି ସମର୍ଥନ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୋର ଆଶା ଅଛି ଯେ ଆପଣଙ୍କ ହସ୍ତକ୍ଷେପ ଫଳରେ ବର୍ତ୍ତମାନ ଏହା ଠିକ୍‌ ହୋଇଯିବ। ଏବେ ଆପଣ ଏହା ଉପରେ କାମ କରୁଛନ୍ତି ଯଦି, ତା’ହେଲେ ପ୍ରଧାନମନ୍ତ୍ରୀଙ୍କୁ କୂଟନୀତି ବିଷୟରେ କିଛି ଶିଖାଇ ଦିଅନ୍ତୁ।

ସୂଚନାଯୋଗ୍ୟ, ହାଓଡୀ ମୋଦୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଉଦବୋଧନ ଦେବା ସମୟରେ ‘ଅବକୀ ବାର ଟ୍ରମ୍ପ ସରକାର’ ନାରା ଦେଇଥିଲେ। ଏହାକୁ ନେଇ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ନେତାମାନେ ପ୍ରଶ୍ନ କରିଥିଲେ। ଦେଶର ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ କରି ନିର୍ବାଚନ ପ୍ରଚାର କରିବା ଭାରତର ବିଦେଶ ନୀତି ନୁହେଁ ବୋଲି କଂଗ୍ରେସ ନେତା ଆନନ୍ଦ ଶର୍ମା କହିଥିଲେ। ଏ ସମ୍ପର୍କରେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକା ଗସ୍ତ ସମୟରେ ସଫେଇ ଦେଇ କହିଥିଲେ, ପ୍ରଧାନମନ୍ତ୍ରୀ ଏପରି କହିନାହାନ୍ତି। ଏହାକୁ ତ୍ରୁଟିପୂର୍ଣ୍ଣ ଭାବେ ଉପସ୍ଥାପନ କରାଯାଉଛି। ଟ୍ରମ୍ପ ‘ଅବକୀ ବାର୍‌ ଟ୍ରମ୍ପ ସରକାର’ କହିଥିଲେ। ପ୍ରଧାନମନ୍ତ୍ରୀ ଏ ବିଷୟରେ ଲୋକଙ୍କୁ ଜଣାଇଥିଲେ।

Comments are closed.