କେତେ ଜନ୍ମ ନେଲେ ମଧ୍ୟ ରାହୁଲ ଗାନ୍ଧୀ ସାୱରକର ହୋଇପାରିବେ ନାହିଁ : ଆରଏସଏସ୍

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଭି.ଡି. ସାୱରକର ଙ୍କ ଉପରେ ଦେଇଥିବା ବୟାନକୁ ନେଇ ରାଜନୈତିକ ବୟାନବାଜି ଲଗାତର ଆସିବାରେ ଲାଗିଛି। ବିଜେପି ଏବଂ ଶିବସେନା ରାହୁଲଙ୍କ ବୟାନକୁ ବିରୋଧ କରିବା ସହ ରାହୁଲ କ୍ଷମା ମାଗନ୍ତୁ ବୋଲି କହୁଥିବା ବେଳେ ଆରଏସଏସ ନେତା ଇନ୍ଦ୍ରେସ ରାହୁଲଙ୍କ ବୟାନକୁ ନେଇ ମୁହଁ ଖୋଲିଛନ୍ତି। ଇନ୍ଦ୍ରେସ କହିଛନ୍ତି ରାହୁଲ କେତେ ଜନ୍ମ ନେଲେ ମଧ୍ୟ ସାୱରକର ହୋଇପାରିବେ ନାହିଁ।
ଆରଏସଏସ୍ ନେତା ଇନ୍ଦ୍ରେସ କୁମାର ରବିବାର କହିଥିଲେ ରାହୁଲ ଗାନ୍ଧୀ ଦେଇଥିବା ବୟାନ ଦୁଖଃଦାୟକ ଅଟେ। ସେ କହିଥିଲେ ରାହୁଲ କେତେ ଜନ୍ମନେଲେ ମଧ୍ୟ ସେ ସାୱରକର ହୋଇପାରିବେ ନାହିଁ। ରାହୁଲ ‘ଗାନ୍ଧୀ‘ ଉପନାମର ପ୍ରୟୋଗ କରି ମହାତ୍ମା ଗାନ୍ଧୀଙ୍କୁ ଅପମାନ କରିବା ଉଚିତ ନୁହେଁ।

ଇନ୍ଦ୍ରେସ କୁମାର କହିଥିଲେ ସାୱରକରଙ୍କୁ ଇଂରେଜ ମାନେ ଡରୁଥିଲେ ଏଣୁ ତାଙ୍କୁ ଦୁଇଥର ଆଜୀବନ କାରାଦଣ୍ଡ ଦେଇଥିଲେ। ରାହୁଲ ଗାନ୍ଧୀ କେବେବି ତାଙ୍କ ସମକକ୍ଷ ହୋଇପାରିବେ ନାହିଁ। ରାହୁଲଙ୍କ ଏପରି ବୟାନ ସାରା ଦେଶକୁ ଆଘାତ ପହଞ୍ଚାଇଛି।
ଏଠାରେ ସୂଚନାଯୋଗ୍ୟ ରାହୁଲ କହିଥିଲେ ବିଜେପି ସରକାରର ମେକ୍ ଇନ୍ ଇଣ୍ଡିଆକୁ ବଦଳାଇ ବର୍ତ୍ତମାନ ରେପ୍ ଇନ୍ ଇଣ୍ଡିଆ କରିଦେଇଛନ୍ତି । ବିଜେପି ରାହୁଲଙ୍କ ବୟାନକୁ ନେଇ ନିନ୍ଦା କରିବା ସହ ରାହୁଲ କ୍ଷମା ମାଗନ୍ତୁ ବୋଲି କହିଥିଲା। ଶନିବାର ଦିଲ୍ଲୀର ରାମଲୀଳା ମଇଦାନରେ କଂଗ୍ରେସର ଭାରତ ବଞ୍ଚାଅ ରାଲିରେ ରାହୁଲ କହିଥିଲେ ବଜେପି ତାଙ୍କୁ କ୍ଷମା ମାଗିବାକୁ କହୁଛି। ମୋ ନାଁ ରାହୁଲ ସାୱରକର ନୁହେଁ। ମୋ ନାଁ ରାହୁଲ ଗାନ୍ଧୀ ଏଣୁ କେବେ କ୍ଷମା ମାଗିବି ନାହିଁ।

Comments are closed.