ରାହୁଲ ଏବଂ ସୀତାରାମ ୟେଚୁରୀଙ୍କୁ ନିଜ କାର୍ଯ୍ୟକ୍ରମକୁ ଡାକିବ ଆରଏସ୍‍ଏସ୍‍

0

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‍ଏସ) କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ସିପିଏମ୍‍ ମହାସଚିବ ସୀତାରାମ ୟେଚୁରୀଙ୍କ ସମେତ ବିରୋଧୀ ଦଳର କେତେକ ନେତାଙ୍କୁ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ନିଜ କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରଣ କରିବ ବୋଲି ସୂଚନା ମିଳିଛି।
ଉଲ୍ଲେଖ ଯେ ସେପ୍ଟେମ୍ବର ୧୭ରେ ଆରଏସ୍‍ଏସ୍‍ ପକ୍ଷରୁ ଦିଲ୍ଲୀଠାରେ ‘ଭବିଷ୍ୟତର ଭାରତ; ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦୃଷ୍ଟିକୋଣ’ ଶୀର୍ଷକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଆରଏସ୍‍ଏସ୍‍ ପ୍ରମୁଖ ମୋହନ ଭାଗବତ ବୁଦ୍ଧଜୀବୀଙ୍କ ସହ ଆଲୋଚନା କରିବେ। କାର୍ଯ୍ୟକ୍ରମ ୧୭ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ନିକଟରେ ରାହୁଲ ଗାନ୍ଧି ଆରଏସ୍‍ଏସ୍‍ର ତୁଳନା ମୁସଲିମ୍‍ ବ୍ରଦରହୁଡ଼ ସହ କରିଥିଲେ ଓ ଆରଏସ୍‍ଏସ୍‍ ଉପରେ ବର୍ଷିଥିଲେ। ସୋମବାର ସଂଘ ପ୍ରଚାର ପ୍ରମୁଖ ଅରୁଣ କୁମାର କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରର ଲୋକଙ୍କୁ ଆମନ୍ତ୍ରଣ କରାଯିବ। ସଂଘ ପ୍ରମୁଖ ମୋହନ ଭାଗବତ ‘ଭବିଷ୍ୟତରେ ଭାରତ ପରିକଳ୍ପନା ଏବଂ ସଂଘର ଚିନ୍ତାଧାରା’ ଶୀର୍ଷକ ବିଷୟ ଉପରେ ଉଦ୍‍ବୋଧନ ଦେବେ। ଦେଶର ଏକ ବଡ଼ ବର୍ଗ ସଂଘ ସହ ସମ୍ପର୍କ ରଖିବାକୁ ଚାହୁଁଛନ୍ତି ଓ ସଂଘର ଦୃଷ୍ଟକୋଣ ଜାଣିବାକୁ ଚାହୁଁଛନ୍ତି। ତେଣୁ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଆମନ୍ତ୍ରଣ କରାଯିବ।
ପ୍ରକାଶଯୋଗ୍ୟ ଯେ ରାହୁଲ ଗାନ୍ଧି ଦୀର୍ଷ ଦିନ ଧରି ଆରଏସ୍‍ଏସ୍‍କୁ କଡ଼ା ସମାଲୋଚନା କରି ଆସୁଛନ୍ତି। ନିକଟରେ ନିଜ ଜର୍ମାନି ଏବଂ ଲଣ୍ଡନ ଗସ୍ତ ସମୟରେ ରାହୁଲ ଆରଏସ୍‍ଏସ୍‍ ଚିନ୍ତାଧାରାକୁ କଡ଼ା ସମାଲୋଚନା କରିଥିଲେ।

Leave A Reply