କରୋନା କଷ୍ଟରୁ ମୁକୁଳିବାକୁ ଲୋକଙ୍କୁ ଲୋଡ଼ା ନଗଦ ଟଙ୍କା : ନୋବେଲ ବିଜେତା ଅଭିଜିତ୍ ବାନାର୍ଜୀ

ନୂଆଦିଲ୍ଲୀ: କରୋନା କଷ୍ଟ ସମୟରେ ଲୋକଙ୍କ ପାଖରେ ଅର୍ଥର ଅଭାବ ରହିଛି ।  ବର୍ତ୍ତମାନ ପରିସ୍ଥିତିରେ ଦେଶରେ ଏକ ଅର୍ଥନୈତିକ ପ୍ୟାକେଜ୍ ଆବଶ୍ୟକତା ରହିଛି । ଆମେରିକା ଏବଂ ଜାପାନ ପରି ଦେଶ ଲୋକଙ୍କୁ ନଗଦ ଅର୍ଥ ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଭାରତରେ ସେପରି ବ୍ୟବସ୍ଥା ହୋଇନାହିଁ । ଲୋକଙ୍କ ହାତକୁ ନଗଦ ଅର୍ଥ ଆସିବା ଆବଶ୍ୟକ ଓ ଛୋଟ ଶିଳ୍ପଗୁଡ଼ିକୁ କରୋନା ପରବର୍ତୀ ସ୍ଥିତିରେ ବିକାଶ ପାଇଁ ସହାୟତା ଦେବାର ଆବଶ୍ୟକ । ଅନୁରୂପ ଭାବରେ ଚଳିତ ତ୍ରୟମାସିକର ଋଣ ଦେୟ ଛାଡ଼ କରାଯିବା ଦରକାର ବୋଲି କହିଛନ୍ତି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ୍ ବାନାର୍ଜୀ । କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ସହ ଆଲୋଚନାକାଳରେ ଶ୍ରୀ ବାନାର୍ଜୀ ଏପରି ମତ ରଖିଛନ୍ତି ।

ଅଭିଜିତ୍ କହିଛନ୍ତି ଯେ ମହାମାରୀ ବିଷୟରେ ଆମକୁ ଜାଣିବା ଉଚିତ । ଲକଡାଉନ ବଢ଼ାଇଲେ କିଛି ହେବ ନାହିଁ । ସରକାରଙ୍କୁ ବର୍ତ୍ତମାନ ଅସ୍ଥାୟୀ ରାସନ କାର୍ଡ ଜାରି କରିବା ଉଚିତ । ଯାହା ଅତି କମରେ ୩ ମାସ କାମ କରିବା ଉଚିତ ଏବଂ ସମସ୍ତେ ମାଗଣାରେ ରାସନ ପାଇପାରିବେ । ସମସ୍ତଙ୍କୁ ଏହି ସମୟରେ ଚାଉଳ, ଡାଲି, ଗହମ ଏବଂ ଚିନି ଦରକାର । ସେ ଆହୁରି କହିଛନ୍ତି ଯେ ଯଦି ସମସ୍ତଙ୍କ ନିକଟକୁ ଟଙ୍କା ପହଞ୍ଚାଇବାର ଅଛି, ତା’ହେଲେ ତା ପାଇଁ ଏକ ପରିବେଶ ଦରକାର । ଯେଉଁମାନଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ଅଛି ସେ ଏହାକୁ ପାଇପାରିବେ । କିନ୍ତୁ ଯଦି କାହାର ବ୍ୟାଙ୍କ ଆକାଉଣ୍ଟ ନାହିଁ, ତେବେ ସେମାନଙ୍କ ବିଷୟରେ ଚିନ୍ତା କରିବାକୁ ପଡିବ । ଏଭଳି ପରିସ୍ଥିତିରେ ରାଜ୍ୟ ସରକାରଙ୍କୁ ସର୍ବାଧିକ ସହାୟତା ପ୍ରଦାନ କରିବାକୁ ପଡିବ । ଯାହାଫଳରେ ଏହି ଅର୍ଥ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିପାରିବ

ମଙ୍ଗଳବାର ନୋବେଲ ବିଜେତା ଅଭିଜିତ ବାନାର୍ଜୀଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଲୋଚନା କରିବା ଅବସରରେ ଶ୍ରୀ ବାନାର୍ଜୀ ଅନେକ ଗୁରୁତ୍ବପୂର୍ଣ୍ଣ ମତ ରଖିଛନ୍ତି । ସେ କହିଛନ୍ତି ଯେ, ୟୁପିଏ ସରକାର ବହୁତ ଭଲ ନୀତି ଲାଗୁ କରିଥିଲେ । କିନ୍ତୁ ବର୍ତ୍ତମାନର ସରକାର ଏହାକୁ କାର୍ଯ୍ୟକାରୀ କରୁନାହାଁନ୍ତି ।  ଆଧାର ପରି ଯୋଜନା ଯାହା ୟୁପିଏ ସରକାର ଦ୍ୱାରା କାର୍ଯ୍ୟକାରୀ ହୋଇଥିଲା । ଏବେକାର ସରକାର ମଧ୍ୟ ଏହାକୁ ଠିକ୍ କହିଥିଲେ । ଆଉ ଏହା ଉପରେ କାର୍ଯ୍ୟ କରିଥିଲେ । ଆଜିର ସମୟରେ ଏଭଳି ସୁବିଧା ଯଥାର୍ଥ ପ୍ରମାଣିତ ହୋଇପାରେ, କିନ୍ତୁ ତାହା ହୋଇପାରିବ ନାହିଁ । ଏହାର ଅର୍ଥ ହେଉଛି ଦେଶବ୍ୟାପୀ ଯୋଜନା କାର୍ଯ୍ୟକାରୀ ହୋଇନାହିଁ ବୋଲି ସେ କହିଛନ୍ତି ।

ସେହିପରି ବ୍ୟାଙ୍କଗୁଡିକ ଚ୍ୟାଲେଞ୍ଜର ସାମ୍ନା କିପରି କରିବେ ସେନେଇ ମଧ୍ୟ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଅଭିଜିତ । ଏହା ଉପରେ ଅଭିଜିତ୍ କହିଛନ୍ତି ଯେ, ଏପରି ପରିସ୍ଥିତିରେ ଦେଶରେ ଏକ ଅର୍ଥନୈତିକ ପ୍ୟାକେଜ୍ ଆବଶ୍ୟକତା ରହିଛି । ବର୍ତ୍ତମାନ ଭାରତରେ ଚାହିଦା  ରହିଛି , କିନ୍ତୁ କିଣାକିଣି କରିବାକୁ କାହା ପାଖରେ ଟଙ୍କା ନାହିଁ । ତେଣୁ ତୁରନ୍ତ ଲୋକମାନଙ୍କୁ ଆର୍ଥିକ ସହାୟତା ଦେବା ଆବଶ୍ୟକ ବୋଲି ଅଭିଜିତ୍ କହିଛନ୍ତି ।

Comments are closed.