ବିଗତ ୩ ହଜାର ବର୍ଷ ମଧ୍ୟରେ ମହିଳାଙ୍କ ଉପରେ ଏଭଳି ଅତ୍ୟାଚାର ହେଉ ନଥିଲା: ରାହୁଲ୍‍

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ ଅମଳରେ ଭାରତର ମହିଳାଙ୍କ ଉପରେ ଯେଭଳି ଭାବେ ଅତ୍ୟାଚାର ହେଉଛି ତାହା ବିଗତ ୩ ହଜାର ବର୍ଷ ମଧ୍ୟରେ କେବେ ହୋଇନ ଥିଲା। ସ୍ଥାନୀୟ ତାଲକାଟୋରା ଷ୍ଟାଡିୟମରେ ମହିଳା ଅଧିକାର ସମ୍ମେଳନକୁ ସମ୍ବୋଧିତ କରିବା ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହା କହିଛନ୍ତି। ଏଥିସହିତ ତାଙ୍କ ଦଳରେ ମହିଳାଙ୍କ ପାଇଁ ୫୦% ସ୍ଥାନ ସଂରକ୍ଷଣ କରିବାକୁ ସେ ଚିନ୍ତା କରୁଛନ୍ତି ଏବଂ ଏ ସମ୍ପର୍କିତ ଏକ ବିଲ୍‍ ମଧ୍ୟ ସଂସଦରେ ଆଗତ କରିବେ ବୋଲି ରାହୁଲ୍‍ କହିଛନ୍ତି।
ସଂରକ୍ଷଣ ପ୍ରସଙ୍ଗରେ ରାହୁଲ୍‍ କହିଛନ୍ତି ଯେ ବିଜେପି କେବେ ବି ଦଳରେ ମହିଳାଙ୍କ ଲାଗି ୫୦% ପଦବୀ ସଂରକ୍ଷଣ କଥା ଚିନ୍ତା କରିପାରିବନି। କାରଣ ବିଜେପିକୁ ପରିଚାଳିତ କରୁଥିବା ଆରଏସଏସ୍‍ ଏକ ପୁରୁଷ କୈନ୍ଦ୍ରିକ ଦଳ। ଭାରତରେ ୭୦ ବର୍ଷରେ ପରିବର୍ତ୍ତନ ଆଣିବା ପାଇଁ ମୋଦି ଯାହା କହୁଛନ୍ତି ତାହା କେବଳ ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ହିଁ ଦେଖିବାକୁ ମିଳିଛି।
ମୋଦି ସରକାରଙ୍କ ବେଟି ପଢ଼ାଓ ବେଟି ବଞ୍ଚାଓ ଯୋଜନାକୁ କଟାକ୍ଷ କରି ରାହୁଲ୍‍ କହିଛନ୍ତି ଯେ ବିଜେପି ନେତାଙ୍କଠାରୁ ଝିଅଙ୍କୁ ସୁରକ୍ଷା ଦେବା ପାଇଁ ଏହା ଏକ ପରୋକ୍ଷ ଘୋଷଣା। କାରଣ ଅତୀତରେ ଅନେକ ବିଜେପି ନେତା ବଳାତ୍କାର ମାମଲାରେ ଜଡ଼ିତ ଥିବା ଦେଖିବାକୁ ମିଳିଛି। ମୋଦି ସବୁବେଳେ ବୁଲେଟ୍‍ ଟ୍ରେନ୍‍, ଏରୋପ୍ଲେନ୍‍ ଓ ଟଏଲଟ୍‍ ବିଷୟରେ କହୁଥିବା ବେଳେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ନିରବ ରହୁଛନ୍ତି। ସେହିପରି ପଛୁଆବର୍ଗର ଲୋକମାନେ ସବୁଠାରେ ଅସୁରକ୍ଷିତ ଥିଲେ ମଧ୍ୟ ମୋଦି ସରକାର ସେମାନଙ୍କ ସୁରକ୍ଷା ଦିଗରେ ଯତ୍ନବାନ ନୁହନ୍ତି ବୋଲି ରାହୁଲ୍‍ କହିଛନ୍ତି।

Leave A Reply