ସମ୍ବିଧାନର ସୁରକ୍ଷା ପାଇଁ ବଡ଼ ତ୍ୟାଗ କରିବେ ରାହୁଲ!

0

ନୂଆଦିଲ୍ଲୀ: ମୂଳରୁ ସ୍ତ୍ରୀ ନଥାଇ ପୁଅର ନାମକରଣକୁ ନେଇ ପାଲା ହେବା ଭଳି ପରିସ୍ଥିତି ଉପୁଜିଛି କଂଗ୍ରେସ ଓ ବିରୋଧୀ ମେଣ୍ଟରେ। ଦୁଇ ଦିନ ପୂର୍ବେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀରେ ଦଳର ସଭାପତି ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରାଯିବା ସହ ମେଣ୍ଟ ଗଠନର ପୂର୍ଣ୍ଣ କ୍ଷମତା ଅର୍ପଣ କରାଯିବା ପରେ ବିରୋଧୀ ଦଳରେ ଥିବା ପ୍ରଧାନମନ୍ତ୍ରୀ ଆଶାୟୀମାନେ ଚିହିଙ୍କି ଉଠିଛନ୍ତି। ବିଶେଷକରି ପ୍ରଧାନମନ୍ତ୍ରୀ ହେବା ପାଇଁ ପାଗ ବାନ୍ଧି ବସିଥିବା ବିଏସ୍‍ପି ନେତ୍ରୀ ମାୟାବତୀଙ୍କୁ ଏହା ବେଶି ବାଧିଛି। ସେ କିଛି ପ୍ରତିକ୍ରିୟା ପ୍ରକାଶ କରିବା ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ ରାଜନୈତିକ ଉତ୍ତରାଧିକାରୀ ତେଜସ୍ୱୀ ଯାଦବ ମଙ୍ଗଳବାର କହିଛନ୍ତି ଯେ କେବଳ ରାହୁଲ ନୁହନ୍ତି; ବିରୋଧୀ ଦଳରେ ପ୍ରଧାନମନ୍ତ୍ରୀ ପଦ ପାଇଁ ବହୁ ଯୋଗ୍ୟ ନେତା ଅଛନ୍ତି। ମିଳିତ ବିରୋଧୀ ଦଳ ଯାହାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ବାଛିବେ ତାଙ୍କ ଦଳ ତାଙ୍କୁ ସମର୍ଥନ କରିବ ବୋଲି ତେଜସ୍ୱୀ ସ୍ପଷ୍ଟ କରିଛନ୍ତି। ସବୁ ବିରୋଧୀ ଦଳ ଏକାଠି ବସି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଛିବେ ବୋଲି ସେ କହିଛନ୍ତି। ନିଜ ବକ୍ତବ୍ୟକୁ ଅଧିକ ବଳିଷ୍ଠ କରିବାକୁ ଯାଇ ସେ ମମତା ବାନାର୍ଜୀ, ଚନ୍ଦ୍ରବାବୁ ନାଇଡୁ, ମାୟାବତୀ ଓ ଶରଦ ପୱାରଙ୍କ ନାମ ନେବାକୁ ପଛାଇ ନାହାନ୍ତି। ମିଳିତ ବିରୋଧୀ ଦଳର ଗୋଟିଏ ମାତ୍ର ଉଦ୍ଦେଶ୍ୟ ହେଉଛି ସମ୍ବିଧାନର ସୁରକ୍ଷା କରିବା; ତେଣୁ ରାହୁଲ ସେମାନଙ୍କର ନେତା ହେବାରେ କିଛି ସମସ୍ୟା ନାହିଁ। ରାହୁଲଙ୍କୁ ଏଥିପାଇଁ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଏହି ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାତିରେ ମାମଲା ସ୍ପଷ୍ଟ କରିଦିଆଯାଇଛି। ମେଣ୍ଟ ଦଳର ଅଂଶୀଦାରମାନେ ଯାହାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବେ କଂଗ୍ରେସ ତାଙ୍କୁ ସମର୍ଥନ ଦେବାରେ କୌଣସି ଆପତ୍ତି ନାହିଁ ବୋଲି ସୂଚନା ଦିଆଯାଇଛି। ତେବେ ସେହି ପ୍ରାର୍ଥୀଙ୍କ ପଛରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‍ଏସ୍‍)ର ସମର୍ଥନ ନଥିବା ନିତାନ୍ତ ଆବଶ୍ୟକ। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସେହି ପ୍ରାର୍ଥୀଙ୍କୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ବୋଲି କଂଗ୍ରେସ ସୂତ୍ରରୁ କୁହାଯାଇଛି। ଏହି ସୂଚନା ଯଦି ସଠିକ୍‍ ହୋଥାଏ; ତେବେ କଂଗ୍ରେସ ଯେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ସର୍ବବୃହତ୍‍ ବଳିଦାନ ପାଇଁ ମନ ପ୍ରସ୍ତୁତ କରିଛି ତାହା ଉଲ୍ଲେଖନୀୟ। ପୁନଶ୍ଚ; ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯିବାର ମାତ୍ର ଦୁଇ ଦିନ ପରେ ଦଳୀୟ କର୍ତ୍ତୃପକ୍ଷଙ୍କର ଏଭଳି ମନ ପରିବର୍ତ୍ତନ ମହତ୍ତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି। ବାରମ୍ବାର ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରସ୍ତୁତ ବୋଲି କହୁଥିବା ରାହୁଲ ଯେ ଏତେବଡ଼ ତ୍ୟାଗ କରିପାରିବେ ତାହା ମଧ୍ୟ ବିସ୍ମୟ ସୃଷ୍ଟି କରିଛି।
ବିରୋଧୀ ମେଣ୍ଟ ପାଇଁ ନେତୃତ୍ୱ ଯଦି କଣ୍ଟା ହେଉଛି; ତେବେ ରାହୁଲ ସେ ଦୌଡ଼ରୁ ହଟି ଯିବାକୁ ପ୍ରସ୍ତୁତ ଅଛନ୍ତି। ଆସନ୍ତା ନିର୍ବାଚନରେ ଉତ୍ତରପ୍ରଦେଶ ଓ ବିହାରରେ ବିଜେପି ବିରୋଧୀ ଶକ୍ତି ମିଳିତ ଭାବେ ଭଲ ପ୍ରଦର୍ଶନ କରିବାର ଆଶା ରହିଛି। ଏହି ଦୁଇ ରାଜ୍ୟରୁ ବିରୋଧୀ ୧୨୦ଟି ଆଶନରେ ବିଜୟର ଆଶା ରଖିଛନ୍ତି। ଦାକ୍ଷିଣାତ୍ୟ ରାଜ୍ୟ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ବିରୋଧୀ ତଥା କଂଗ୍ରେସ ଦଳ ଭଲ କରିବାର ଆଶା ରହିଛି। କର୍ଣ୍ଣାଟକର ଶାସକ ଜେଡି(ଏସ୍‍) କଂଗ୍ରେସକୁ କୌଣସି ପରିସ୍ଥିତିରେ ଧୋକା ଦେବ ନାହିଁ। ମମତା ନିଜ ରାଜ୍ୟରେ ବିଜେପିକୁ ଅଟକାଇବା ପାଇଁ ଯେକୌଣସି ସ୍ତରକୁ ଖସିଯାଇପାରନ୍ତି। ମଧ୍ୟପ୍ରଦେଶ, ଛତିଶଗଡ଼ରେ ମାୟାବତୀଙ୍କ ଦଳ ଭଲ ପ୍ରଦର୍ଶନ କରିବ। ମାୟାବତୀ ଓ ମମତାଙ୍କର ପ୍ରଧାନମନ୍ତ୍ରୀ ପଦ ପାଇଁ ଲୋଭ ରହିଛି। ମାୟାବତୀଙ୍କ ପ୍ରଭାବ ବୃଦ୍ଧି ପାଉଥିବାରୁ ଦେଶକୁ ଜଣେ ଦଳିତ ପ୍ରଧାନମନ୍ତ୍ରୀ ଦେବା ପାଇଁ କଂଗ୍ରେସ ବାଟ ଛାଡ଼ିଦେବ ବୋଲି ଆକଳନ କରାଯାଉଛି। ତେବେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ରାହୁଲଙ୍କ ଉପରେ ନ୍ୟସ୍ତ କରାଯାଇଛି। ମାୟାବତୀଙ୍କ ସହିତ ମେଣ୍ଟ ଚାହୁଁ ନଥିବା ରାହୁଲ ଆଗକୁ କି ନିଷ୍ପତ୍ତି ଗ୍ରହଣ କରୁଛନ୍ତି ତାହାକୁ ହିଁ ଅପେକ୍ଷା। ନିର୍ବାଚନର ଅନ୍ୟୂନ ଛ’ମାସ ପୂର୍ବରୁ ମେଣ୍ଟ ଚୂଡ଼ାନ୍ତ କରିବାକୁ ଏବେ ରାହୁଲଙ୍କ ଉପରେ ଚାପ ପଡ଼ୁଛି। ଯଥା ଶୀଘ୍ର ସମ୍ଭବ ମେଣ୍ଟ ଗଠନ ଓ ଆସନ ଭାଗବଣ୍ଟା ଚୂଡ଼ାନ୍ତ କରାଯିବ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।

Leave A Reply