ସମର୍ଥକ ବିଧାୟକଙ୍କ ସହ ଦିଲ୍ଲୀରେ ପାଇଲଟ; ରାଜସ୍ଥାନ ଗେହଲଟ ସରକାର ଉପରେ କଳାବାଦଲ

ଜୟପୁର: ରାଜ୍ୟସଭା ନିର୍ବାଚନ ପରେ ସୁରକ୍ଷିତ ଦିଶୁଥିବା ରାଜସ୍ଥାନର କଂଗ୍ରେସ ସରକାର ପୁଣିଥରେ ସଙ୍କଟ ମଧ୍ୟରେ ପଡ଼ି ଯାଇଥିବା ଦେଖାଯାଉଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ତାଙ୍କ ସରକାର ଭାଙ୍ଗିବା ନେଇ ବିଜେପି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି । ଏପରିକି ବିଧାୟକଙ୍କୁ ୨୫ କୋଟି ଟଙ୍କା ଲେଖାଏଁ ଦେଇ ଖରିଦ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ୨ ଜଣଙ୍କୁ ଗିରଫ ମଧ୍ୟ କରିଛନ୍ତି । ମାତ୍ର ଏହାର ଠିକ୍ ପରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଅସନ୍ତୋଷ ପ୍ରକାଶ କରିବା ଓ ନିଜ ସମର୍ଥକ ବିଧାୟକଙ୍କ ସହ ସୋନିଆଙ୍କୁ ଦିଲ୍ଲୀରେ ଭେଟିବା ଖବର ରାଜସ୍ଥାନ ରାଜନୀତିକୁ ସରଗରମ କରି ଦେଇଛି । ଏହି ସବୁ ସୂତ୍ରଗୁଡ଼ିକୁ ଯୋଡ଼ିବା ପରେ ରାଜସଥାନର ଗେହଲଟ ସରକାର ଉପରେ ବିପଦ ଯେ ଟଳିନାହିଁ ତାହା ସ୍ପଷ୍ଟ ହୋଇ ଯାଇଛି । ଏପରିକି କଂଗ୍ରେସର ଅସନ୍ତୋଷ ଗୋଷ୍ଠୀକୁ ନିଜ ସପକ୍ଷକୁ ନେଇ ବିଜେପି ରାଜସ୍ଥାନରେ ମଧ୍ୟପ୍ରଦେଶ ଓ କର୍ଣାଟକ ପରି ସରକାର ଗଢ଼ିପାରେ ବୋଲି ମଧ୍ୟ କେହି କେହି ଅନୁମାନ କରିବା ଆରମ୍ଭ କଲେଣି । ଆଉ ଯଦି ଏହି ଘଟଣା ଘଟେ ତେବେ ଏଥିପାଇଁ ଅସନ୍ତୁଷ୍ଟ ବା ବିଦ୍ରୋହୀ ନେତାମାନେ ନୁହନ୍ତି କଂଗ୍ରେସର ମୁଖ୍ୟ ଓ ହାଇକମାଣ୍ଡ ଏଥିପାଇଁ ଦାୟୀ ହେବେ ।

ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ଦଳର ଦୁଇ ଯୁବ ଚେହେରାଙ୍କୁ ସାମ୍ନାକୁ ଆଣିଥିଲା । ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରାଜସ୍ଥାନରେ ସଚିନ ପାଇଲଟଙ୍କୁ ଲୋକଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲା। ସେମାନଙ୍କ ନେତୃତ୍ବରେ ସରକାର ଗଠନ ହେବାର ଆଭାସ ଦେଇଥିଲା । ସାଧାରଣ ଲୋକ ମଧ୍ୟ ଯୁବ ଚେହେରା ଉପରେ ଆସ୍ଥା ସ୍ଥାପନ କରିଥିଲେ । ମାତ୍ର ଯେତେବେଳେ ସରକାର ଗଠନ ହେଲା ସେତେବେଳେ ଯୁବ ନେତାମାନଙ୍କୁ ଉପେକ୍ଷା କରାଗଲା । ସିନ୍ଧିଆଙ୍କୁ ନା ମୁଖ୍ୟମନ୍ତ୍ରୀ ପଦ ମିଳିଲା ନା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ; ରାଜସ୍ଥାନରେ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଗଲା ସତ, ମାତ୍ର ତାହାକୁ ନେଇ ନିୟମିତ ବିବାଦ ଲାଗୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ଯାହା ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ।

ଦୁଇ ଯୁବ ନେତାଙ୍କ ମଧ୍ୟରେ ନିବିଡ଼ ବନ୍ଦୁତା

ଜ୍ୟୋତିରାଦିତ୍ୟ ଓ ସଚିନ ପାଇଲଟଙ୍କ ମଧ୍ୟରେ ସମ୍ପର୍କ ଅତି ମଧୁର । ଚଳିତ ବର୍ଷ ମାର୍ଚ ମାସରେ ଜ୍ୟୋତିରାଦିତ୍ୟ ଯେତେବେଳେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଲେ ସେତେବେଳେ ସଚିନ ମଧ୍ୟ ଚର୍ଚାରେ ଥିଲେ । ସେ ମଧ୍ୟ ଜ୍ୟୋତିରାଦିତ୍ୟଙ୍କ ପଥ ଅନୁସରଣ କରିପାରନ୍ତି ବୋଲି ଚର୍ଚା ଆରମ୍ଭ ହୋଇଥିଲା । ରାଜନୈତିକ ସମୀକ୍ଷକଙ୍କ ଅନୁସାରେ ଯଦି କେବେ ବି ଗେହଲଟ୍ ସରକାର ଉପରେ ରାଜନୈତିକ ସର୍ଜିକାଲ ଷ୍ଟ୍ରାଇକ୍ ହୁଏ, ତେବେ ଏଥିରେ ଜ୍ୟୋତିରାଦିତ୍ୟଙ୍କ ଭୂମିକାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । କାରଣ କମଳନାଥ ସରକାରରେ ଜ୍ୟୋତିରାଦିତ୍ୟ ଯେଉଁପରି ଦ୍ବିବିଧାରେ ଥିଲେ, ଗେହଲଟ ସରକାରରେ ମଧ୍ୟ ସଚିନ ଅନୁରୂପ ସ୍ଥିତିରେ ରହିଛନ୍ତି ।

କଣ କହୁଛି ରାଜସ୍ଥାନର ରାଜନୀତି ଅଙ୍କ

ଅବଶ୍ୟ ରାଜସ୍ଥାନରେ କଂଗ୍ରେସର ସ୍ଥିତି ବେଶ୍ ଭଲ ଅଛି । ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ କଂଗ୍ରେସ ନିକଟରେ ୧୦୭ ବିଧାୟକ ରହିଛନ୍ତି ଓ ୧୩ ସ୍ବାଧୀନ ବିଧାୟକ ଦଳକୁ ସମର୍ଥନ ଦେଉଛନ୍ତି । ଅର୍ଥାତ ଗେହଲଟ ସରକାର ନିକଟରେ ୧୨୦ ବିଧାୟକଙ୍କ ସମର୍ଥନ ରହିଛି । ଅନ୍ୟପକ୍ଷରେ ବିଜେପି ନିକଟରେ ମାତ୍ର ୭୨ ଜଣ ବିଧାୟକ ଅଛନ୍ତି ଓ ସରକାର ଗଢ଼ିବାକୁ ୨୯ ଜଣ ସମର୍ଥନର ଆବଶ୍ୟକତା ଅଛି ।  ସବୁ ସ୍ବାଧୀନ ବିଧାୟକଙ୍କୁ ନିଜ ସପକ୍ଷକୁ ଆଣିଲେ ମଧ୍ୟ ବିଜେପି ୭୨ରୁ ଯାଇ ୮୫ ପର୍ଯ୍ୟନ୍ତ ପହଞ୍ଚି ପାରେ । ଯାହା କି ବର୍ତମାନ ସ୍ଥିତିରେ ସମ୍ଭବପର ନୁହେଁ ।

ଗେହଲଟ ସରକାର ପତନ ପାଇଁ କଣ ହୋଇପାରେ ଗେମ୍ ପ୍ଲାନ??

ସଂଖ୍ୟାବଳରେ ଦୃଢ଼ ଦିଶୁଥିବା ଗେହଲଟ ସରକାର କଣ କ୍ଷମତାରୁ ଯାଇପାରେ ? କଂଗ୍ରେସର ଦୁଇ ତୃତୀୟାଂଶ ବିଧାୟକ ଦଳ ଛାଡ଼ିବା ପରି ଦିଶୁନାହିଁ ଓ ସ୍ବାଧୀନ ବିଧାୟକ ମଧ୍ୟ ସମର୍ଥନ ପ୍ରତ୍ୟାହାର କରିବା ଦିଶୁନାହିଁ । ବର୍ତମାନ ସରକାର ପତନ ନିମନ୍ତେ ଯେଉଁ ରାସ୍ତାଟି ରହିଛି ତାହା ହେଉଛି ମଧ୍ୟପ୍ରଦେଶ ଫର୍ମୁଲା । କମଳନାଥ ସରକାର ପତନ ନିମନ୍ତେ ଯେଉଁ ପଦ୍ଧତି ଅବଲମ୍ବନ କରାଯାଇଥିଲା ରାଜସ୍ଥାନରେ ସେଇ ପଦ୍ଧତି ଅବଲମ୍ବନ କରାଯାଇପାରେ ବୋଲି ମଧ୍ୟ ଆକଳନ ଆରମ୍ଭ ହୋଇଛି ।

ପାଇଲଟଙ୍କ ସପକ୍ଷରେ ୨୪ ବିଧାୟକ

ଯଦି ମଧ୍ୟପ୍ରଦେଶ ପରି କଂଗ୍ରେସର କିଛି ବିଧାୟକ ରାଜସ୍ଥାନରେ ଇସ୍ତଫା ଦିଅନ୍ତି ଓ ସବୁ ସ୍ବାଧୀନ ବିଜେପିକୁ ସମର୍ଥନ ଦିଅନ୍ତି ତେବେ ଏଠାରେ ବିଜେପି ସରକାର ଗଠନ କରିବାର ସମ୍ଭାବନା ରହିଛି । ୧୦୭ ବିଧାୟକଙ୍କ ମଧ୍ୟରୁ ୨୪ ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସ ନିକଟରେ ମାତ୍ର ୮୩ ବିଧାୟକ ରହିବେ । ଏହି ସ୍ଥିତିରେ ସମସ୍ତ ୧୩ ଜଣ ସ୍ବାଧୀନ ବିଧାୟକ ବିଜେପିକୁ ସମର୍ଥନ ଦେଲେ ବିଜେପି ୮୫ରେ ପହଞ୍ଚିବ । ୨୪ ବିଧାୟକଙ୍କ ଇସ୍ତଫା ପରେ ମୋଟ ବିଧାୟକଙ୍କ ସଂଖ୍ୟା ବିଧାନସଭାରେ ୧୭୬ରେ ପହଞ୍ଚିବ ଓ ୮୯ ସଦସ୍ୟ ଥିବା ଦଳ ସଂଖ୍ୟାଗରିଷ୍ଠ ବୋଲି ବିଚାର କରାଯିବ । ବିଜେପି( ୭୨) ସମସ୍ତ ସ୍ବାଧୀନ (୧୩)ଙ୍କ ସମର୍ଥନ ପରେ ଆରଏଲଡ଼ି, ଅକାଧ ଓ ଅନ୍ୟ ବିଧାୟକଙ୍କ ସମର୍ଥନରେ ସରକାର ଗଠନ ନିମନ୍ତେ ସ୪ମ ହୋଇ ପାରିବ ।

Comments are closed.