ମ୍ୟାଚ୍‍ ଖେଳିବା ପୂର୍ବରୁ ୧ ମାସର ଅଭ୍ୟାସ ଆବଶ୍ୟକ: ରାହାଣେ

ମୁମ୍ବଇ: ସାରା ବିଶ୍ୱ ଏକ ମହାମାରୀ କୋଭିଡ୍‍-୧୯ କବଳରେ। ଭାରତରେ ମଧ୍ୟ କରୋନା କାୟାବିସ୍ତାର କରିଚାଲିଛି ଏବଂ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଫଳରେ ସାରା ବିଶ୍ୱରେ କ୍ରୀଡ଼ା ପ୍ରତିଯୋଗିତା ସବୁ ବନ୍ଦରହିଛି। କରୋନାର ପ୍ରଭାବ କ୍ରିକେଟ ଉପରେ ମଧ୍ୟ ପଡ଼ିଛି। ସାରାବିଶ୍ୱରେ ସିରିଜ୍‍ ପରେ ସିରିଜ୍‍ ବାତିଲ ହେବାରେ ଲାଗିଛି। ତେଣୁ କେବେ ପୁଣି କ୍ରିକେଟ ଆରମ୍ଭହେବ; ତାହା ଏବେ କହିବା ଅସମ୍ଭବ। କେବଳ ଭାରତ ନୁହେଁ; ସାରାବିଶ୍ୱ କରୋନାମୁକ୍ତ ନ ହେବା ପର୍ୟ୍ୟନ୍ତ ଆନ୍ତର୍ଜାତିକ କ୍ରିକେଟ ଅସମ୍ଭବ ମନେହେଉଛି। ଏପରି ସ୍ଥିତିରେ ବହୁ ଖେଳାଳି କ୍ରିକେଟ୍‍ର ଭବିଷ୍ୟତ ନେଇ ଚିନ୍ତାରେ ଥିବା ବେଳେ ଆଉ କିଛି ଖେଳାଳି ସେମାନଙ୍କ କ୍ରିକେଟ ଭବିଷ୍ୟତ କଥା ଏବେଠାରୁ ଚିନ୍ତାକଲେଣି ଏବଂ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାଣେ। ସେ କହିଛନ୍ତି ଯେ କରୋନା ଭୂତାଣୁର ପ୍ରତିଷେଧକ ନ ବାହାରିବା ପର୍ୟ୍ୟନ୍ତ ଏହି ମହାମାରୀ ଉପରେ ନିୟନ୍ତ୍ରଣ ଆଣିବା ଅସମ୍ଭବ। ପୁଣି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ ଖେଳିବା ପାଇଁ ସମସ୍ତଙ୍କୁ ପାଖାପାଖି ମାସେ ଅଭ୍ୟାସ କରିବା ଆବଶ୍ୟକ।

ରାହାଣେ ଏହା ମଧ୍ୟ କହିଛନ୍ତି ଯେ କରୋନା ପରବର୍ତ୍ତୀ ସମୟରେ କ୍ରିକେଟରଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିପାରେ। ବୁଧବାର ରାହାଣେ କହିଛନ୍ତି, ଯେକୌଣସି ଆନ୍ତର୍ଜାତିକ କ୍ରିକେଟ୍‍ ଖେଳିବା ପାଇଁ କ୍ରିକେଟରଙ୍କୁ ୩ରୁ ୪ ସପ୍ତାହ ଅଭ୍ୟାସ କରିବା ଆବଶ୍ୟକ। ଏହା ସତ ଯେ ମୋର ବ୍ୟାଟିଂକୁ ବହୁତ ମିସ୍‍ କରୁଛି। ତେବେ ଏହା ସତ ଯେ ଉକ୍ତ ଭୂତାଣୁକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ପ୍ରତିଷେଧକ ବାହାରିଲେ ହିଁ କ୍ରିକେଟ ଆରମ୍ଭ ହୋଇପାରିବ। ମୋ ଟ୍ରେନର ଦେଇଥିବା ପରାମର୍ଶ ଅନୁସାରେ ଘରେ ଶାରୀରିକ ଅଭ୍ୟାସ ମଧ୍ୟ କରୁଛି। ମାନସିକ ଶାନ୍ତି ପାଇଁ ଯୋଗାଭ୍ୟାସ ମଧ୍ୟ କରୁଛି। ମୁଁ ଭାବୁଛି ଯେ କରୋନା ପରବର୍ତ୍ତୀ ସମୟରେ ଆମେ ବୋଧହୁଏ ପୁରୁଣା ଦିନକୁ ଫେରିଯିବା। ଯେମିତି ଏକ ୱିକେଟର ପତନ ପରେ ଫିଲ୍‍ଡର ନିଜ ସ୍ଥାନରେ ଛିଡ଼ା ହୋଇ କେବଳ ତାଳି ମାରୁଥିଲେ। ବୋଧହୁଏ କରମର୍ଦ୍ଦନ ସ୍ଥାନରେ ଖେଳାଳି ‘ନମସ୍ତେ’ କରିବେ। ଖେଳ ଆରମ୍ଭହେଲେ ମଧ୍ୟ ବେପରୁଆ ହେବ ଠିକ୍‍ ହେବନାହିଁ। ଆମକୁ ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ। ପ୍ରଶଂସକଙ୍କ ନିରାପତ୍ତା ପ୍ରତି ମଧ୍ୟ ଧ୍ୟାନ ରଖାଯିବା ଉଚିତ। ଖେଳିବା ପାଇଁ ଯାତ୍ରା ସମୟରେ ଏବଂ ମ୍ୟାଚ୍‍ ପୂର୍ବରୁ ଓ ପରେ ଖେଳାଳିଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିପାରେ। ଭାରତୀୟ ସୀମିତ ଓଭର ଦଳରୁ ବାଦ୍‍ ପଡ଼ିଥିବା ରାହାଣେ ଆଇପିଏଲ୍‍ ଜରିଆରେ ଧଳାବଲ୍‍ କ୍ରିକେଟ୍‍କୁ ଫେରିବାର ଲକ୍ଷ୍ୟ ରଖିଥିଲେ। ତେବେ ଆଇପିଏଲ୍‍କୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଘୁଞ୍ଚାଇ ଦିଆ ଯାଇଥିବାରୁ ସେ ନିରାଶ ହୋଇଛନ୍ତି। ରାହାଣେ ଭାରତ ପାଇଁ ୬୫ଟି ଟେଷ୍ଟ, ୯୦ଟି ଦିନିକିଆ ଓ ୨୦ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିଛନ୍ତି।

Comments are closed.