ରାହାଡପୁରରୁ ସର୍ବାଧିକ କଳାପଥର ଚୋରି, ଲିଜ୍‌ ଆଢୁଆଳରେ ଚୋର

ଗଡମଧୁପୁର: ଧର୍ମଶାଳା ତହସିଲ ଅଧିନ ରାହାଡପୁର କଳାପଥର ପାହାଡରୁ ପଥରଚୋରୀ ରୋକିବା ପାଇଁ ଜିଲା ପ୍ରଶାସନ, ତହସିଲ ପ୍ରଶାସନ ଓ ଥାନା ସର୍ବାଧିକ ଥର ଖାଦନ ସଂଲଗ୍ନ ରାସ୍ତାକୁ ତାଡିବା ସହିତ ନାଲି ପତାକା ମାରି ୧୪୪ ଧାରା ପ୍ରୟୋଗ କରିବାରେ ରେକର୍ଡ କରିଛନ୍ତି। ଏହା ବ୍ୟତୀତ ଅନେକ ସମୟରେ ଖାଦାନରୁ, ସୈରାତ ଭିତରୁ ଓ ରାସ୍ତାରୁ ଏକାଧିକବାର ପରିବହନକାରୀ ଗାଡି ଓ ଖନନ କରୁଥିବା ମେସିନକୁ ଧରି ଜୋରିମାନା କରିବାରେ ମଧ୍ୟ ରେକର୍ଡ ଏହି ତହସିଲ ନାଁରେ ରହିଛି। ଏସବୁ ସତ୍ୱେ ପଥର ଚୋରି ପୂର୍ବ ଭଳି ଜାରିରହିଛି। ଯାହାଦ୍ୱାରା ସରକାର ଅଜସ୍ର ରାଜସ୍ୱ ହରାଉଥିବା ବେଳେ ଧର୍ମଶାଳା ତହସିଲ ରେକର୍ଡ ରାଜସ୍ୱ ଆଦାୟରେ ବିଫଳ ହେଉଛି।

ବିଭିନ୍ନ ପ୍ରକାର ଗଳାବାଟ ଦେଇ ଲିଜଧାରୀ ଲିଜ ଅବଧି ପୁରି ସାରିଥିଲେ ମଧ୍ୟ ପଥର ଉତ୍ତୋଳନ ଜାରି ରଖିଛନ୍ତି। ୪, ୫, ୭ ନଂ କ୍ୱାରୀ ସହିତ ଏହି ପାହାଡରେ ଥିବା ୧୦ଏକର, ୬ଏକର ଓ ୪ଏକରରୁ ବେଆଇନ ଭାବରେ ଏବେ ଶହ ଶହ ଟ୍ରିପ ଚୋରା ଚାଲାଣ କରାଯାଉଛି। ଖୁବ ନିକଟରେ ଏହି ପାହାଡରୁ ତିନୋଟି ଗାଡି ମିତଲ ଓ ଉତ୍କଳ ହଇୱେଜ କ୍ରସରକୁ କଳାପଥର ଚାଲାଣ କରୁଥିଲା ବେଳେ ଧରା ଯାଇଥିଲା। ଟେଣ୍ଡର ପ୍ରକ୍ରିୟା ଏବେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଟକି ରହିଥିଲେ ମଧ୍ୟ ମାଫିଆଙ୍କର ପଥର ଚୋରି ଅଟକି ଯାଇନାହିଁ। ପୂର୍ବ ଲିଜ୍‌ ଆଧାରରେ ପଥର ମାଫିଆ ଏବେ ରାତି ଅଧିଆ କଳାପଥର ଚାଲାଣ କରୁଛନ୍ତି। ଏହି ପାହାଡରେ ମାତ୍ର ଗୋଟିଏ କ୍ୱାରୀର ଲିଜ ଅବଧି ସରିନାହିଁ। ବାକି ସମସ୍ତ କ୍ୱାରୀ ଏବେ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇ ପଡିରହିଛି। ଏହାର ସୁଯୋଗ ନେଇ ଏହି କ୍ୱାରୀମାନଙ୍କରୁ ଶହ ଶହ ଟ୍ରିପ କଳାପଥର ଏବେ ନିକଟରେ ଥିବା କ୍ରସରକୁ ପରିବହନ କରାଯାଇ ବେଶ କଳା ଟଙ୍କା ଉପାର୍ଜନ କରୁଛନ୍ତି ମାଫିଆ। ସେଥିମଧ୍ୟରୁ ଅନେକ କ୍ୱାରୀ ମାଲିକଙ୍କର କ୍ୱାରୀଠାରୁ ଅଳ୍ପଦୂରରେ କ୍ରସର ରହିଛି।

ଲିଜ୍‌ ଶେଷ ପର୍ଯ୍ୟନ୍ତ କ୍ରସର ବନ୍ଦ ରହିଲେ ଲାଭ ବୁଡିଯିବାର ଆଶାରେ ସେମାନେ ଆଖିବୁଜି ଏବେ କଳାପଥର ଚୋରି କରୁଥିବା ଦେଖାଯାଇଛି। ଲିଜ ଅବଧି ସରିଯାଇଥିଲେ ମଧ୍ୟ ଖାଦାନରେ ପଥର ପଡି ରହିଥିବାର ବାହାନା କରି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ
ହୋଇ କିଛିଦିନ କାମ କରିବା ପାଇଁ ଆଦେଶ ପାଇବାକୁ ବ୍ୟାକୁଳ ଲିଜଧାରୀମାନେ ଏବେ ରାଜସ୍ୱ ନିରିକ୍ଷକ ଓ ତହସିଲଦାରଙ୍କ ଉପରେ ଚାପ ପକାଉଥିଲେ ହେଁ ସେମାନେ ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି। ରାଜସ୍ୱ ନିରିକ୍ଷକଙ୍କ କହିବା କଥା ସେମାନେ କେତେ ଘନମିଟର ଉଠାଇବାକୁ ଚୁକ୍ତି କରିଥିଲେ, ଉଠାଇଛନ୍ତି କି ଆଉ ଉଠାଇବାକୁ ରହିଛି ତାର ହିସାବ କିତାବ ଖଣି ବିଭାଗର ଅଧିକାରୀ ଦେଖିବେ। ଏବେ କିନ୍ତୁ ଯାହାର ଲିଜ ସରିଛି ସେମାନେ ଲିଜ ଚୁକ୍ତି ହେବା ପର୍ଯ୍ୟନ୍ତ କ୍ୱାରୀକୁ ପ୍ରବେଶ କରିବା ଅଇନତଃ ଅପରାଧ। କିନ୍ତୁ ସେମାନେ ଏହିଭଳି କରି ପଥର ଲୁଟିବାକୁ ଚେଷ୍ଠା ଚଳାଇଛନ୍ତି। ଏହି ପାହାଡରେ ଏବେ ୬ଟି ସୈରାତ ମଧ୍ୟରୁ ୫ଟିର ଅବଧି ସରି ପୁନଃ ଲିଜ ପାଇଁ ଟେଣ୍ଡର ସରିଛି। ଏକ ମାତ୍ର ସୈରାତ ପ୍ରହଲ୍ଲାଦ ଲେଙ୍କା ଯିଏକି ପଛରେ ଲିଜ ନେଇଥିଲେ ତାଙ୍କର ଲିଜ ଅବଧି ସରିନାହିଁ। ସେଥିରେ ଡିବିଏଲ କମ୍ପାନୀ ନିଜର ପଥର ଉତ୍ତୋଳନ କାର୍ଯ୍ୟ ଚଳାଇଛି। ଯାହା ଅଭିଯୋଗ ରହିଛି ଏହି ପାହାଡର ଅବଶିଷ୍ଟ ୫ଟି ସୈରାତରୁ ଏବେ କଳାପଥର ଚୋରି ସୁବିଧା ଅନୁଯାଇ ରାତିଅଧିଆ କରାଯାଉଛି। ଦେଖିବାକୁ ଗଲେ ଏଠାରେ ଥିବା ୭ରୁ ଅଧିକ ମେଗା କ୍ରସରରେ ଏବେ ମଧ୍ୟ ହଜାର ହଜାର ଟନର କଳାପଥର ମହଜୁଦ ରହିଛି। କ୍ୱାରୀ ଚାଲିବାକୁ ଅନୁମତି ନାହିଁ।

ଏପଟେ କ୍ରସରରେ ହଜାର ହଜାର ଟନର ମାଲ ମହଜୁଦ। କ୍ରସରକୁ ଏତେ ପରିମାଣର କଳାପଥର କେଉଁଠାରୁ ଆସିଛି ତାର ତଦାରଖ କରି ଏହି କ୍ରସର ଉପରେ ଜୋରିମନା କରିବାକୁ କିଏ ପ୍ରାସାଶନର ହାତ ବାନ୍ଧିଛି? ଯଦି ଏହିସବୁ ସୈରାତରେ ଏହିଭଳି ରାତି ଅଧିଆ ପଥର ଉଠାଣ କାର୍ଯ୍ୟ ଚାଲୁ ରହେ ତେବେ ଟେଣ୍ଡର ନେଇ ଚୁକ୍ତି କରି ଆସିବା ବେଳକୁ ଏଠାରେ ପଥର ନଥିବ। ଏହି ପାହାଡରେ ଲିଜ ନେଇ କାର୍ଯ୍ୟ କରୁଥିବା ଅକ୍ଷୟ ପରିଡା, ଉତ୍କଳ ହାଇୱେଜ ଭଳି ଲିଜଧାରି ରାତି ଅଧିଆ ପଥର ଉତ୍ତୋଳନ କରୁଥିବା ସ୍ଥାନୀୟ ଅଂଚଳରେ ଲୋକେ ଦାବି କରୁଥିବା ବେଳେ ଅକ୍ଷୟ ପରିଡା ପଥର ଉତ୍ତୋଳନ କରୁନଥିବା କହିବା ସହିତ ପ୍ରଶାସନର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କ୍ରସର ବନ୍ଦ ରହିଲେ ଲୋକେ କାମ ହରାଇବାର ସମ୍ଭାବନା କଥା କହିଛନ୍ତି। ରାତିରେ ପଥର ଉତ୍ତୋଳନ କରାଯାଉଥିବାରୁ ତାର ତଦାରଖ ସ୍ଥାନୀୟ ପୁଲିସ କରିବ ବୋଲି କହିଛନ୍ତି।

Comments are closed.