ମହିଳା ସ୍ବାସ୍ଥ୍ୟ କର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ସିନିୟର ଛାତ୍ରୀଙ୍କ ରାଗିଂ ଅଭିଯୋଗ, ରାତି ଅଧିଆ ଚାଲିଛି ତଦନ୍ତ

ରାଗିଂ: ଭୁବନେଶ୍ବର ପରେ ଦେବଗଡ଼, କାର୍ଯ୍ୟାନୁଷ୍ଠାନ ନହେଲେ ପଠ ଛାଡିବେ ପ୍ରଥମ ବର୍ଷ ଛାତ୍ରୀ

ଦେବଗଡ଼: ମହିଳା ସ୍ବାସ୍ଥ୍ୟ କର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ରାଗିଂ ଅଭିଯୋଗ। ସିନିୟର ଛାତ୍ରୀ ରାଗିଂ କରିଥିବା ଅଭିଯୋଗ। ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପାଖରେ ଅଭିଯୋଗ କଲେ ଛାତ୍ରୀଙ୍କ ପରିବାର। ଅଭିଯୋଗ ପରେ ରାତିଅଧିଆ ତଦନ୍ତ ଚାଲିିଛି।
ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥବା ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରଶିକ୍ଷଣ କେନ୍ଦ୍ରର ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ସିନିୟର ଛାତ୍ରୀ ରାଗିଂ କରିଥିବା ନେଇ ଅଭିଯୋଗ ହୋଇଛି। ରାଗିଂର ଶିକାର ହୋଇଥିବା ଛାତ୍ରୀ ଜଣକ ଗତକାଲି ରାତ୍ରୀରେ ଆଣ୍ଟି ରାଗିଂ ସ୍କ୍ବାର୍ଡକୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା। ଆଜି ଘଟଣାକୁ ଚପାଇ ଦେବାକୁ ତାଲିମ କେନ୍ଦ୍ର ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ସଂପୃକ୍ତ ଛାତ୍ରୀ ଜଣଙ୍କୁ ବୁଝାମଣା ପାଇଁ କର୍ତ୍ତୃପକ୍ଷ ବାଧ୍ୟ କରୁଥିବା ବେଳେ ଛାତ୍ରୀ ଜଣକ କିନ୍ତୁ କର୍ଯ୍ୟାନୁଷ୍ଠାନ ଦାବୀରେ ଜିଲା ମୂଖ୍ୟ ଚିକିତ୍ସା ଅଧିକାରୀଣୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ଘଟଣା ପ୍ରଘଟ ହେବାପରେ ଏହା ସାଧାରଣରେ ମୁଖ୍ୟ ଚର୍ଚ୍ଚାର ବିଷୟ ସାଜିଛି। ପ୍ରଥମ ବର୍ଷର ଛାତ୍ରୀଙ୍କର ଅଭିଯୋଗ ଅନୁଯାୟୀ ସେ ଏହି ତାଲିମ କେନ୍ଦ୍ରରେ ନାମ ଲେଖାଇବା ପରଠାରୁ ପ୍ରାୟ ୩ ମାସ ହେଲା ତଥାକଥିତ ରୁଲ୍ ନାମରେ ସିନିୟର ଛାତ୍ରୀମାନେ ତାଙ୍କୁ ଶାରୀରୀକ ଏବଂ ମାନସିକ ନିର୍ଯ୍ୟାତନା ଦେଇ ଆସୁଛନ୍ତି। ‘ଆମ ସିନିୟର ଆମକୁ ନିର୍ଯ୍ୟାତନା ଦେଉଥିଲେ ତ ଆମେ ବି ତୁମକୁ ଏମିତି କରିବୁ’ କହି ରୁଲ ମାନିବାକୁ ପଡିବ ବୋଲି ବାଧ୍ୟ କରୁଛନ୍ତି।

 

କେତେକ ସିନିୟର ଛାତ୍ରୀ ବିଭିନ୍ନ ସମୟରେ ମିଟିଂ କରି ତାଙ୍କୁ ଶାରୀରୀକ ଏବଂ ମାନସିକ ନିର୍ଯ୍ୟାତନା ଦେବାସହ ତାଙ୍କୁ ଅଶ୍ରାବ୍ୟ ଭାଷାରେ ମଧ୍ୟ ଗାଳିଗୁଲଜ କରନ୍ତି। ଏଥିସହ ନିର୍ଯ୍ୟାତନା ବିଷୟରେ ଅଭିଭାବକ କିମ୍ବା ତାଲିମ କେନ୍ଦ୍ରର ମ୍ୟାଡମଙ୍କୁ ନଜଣାଇବାକୁ ଧମକ ମଧ୍ୟ ଦିଅନ୍ତି। ଏହି କ୍ରମରେ ଗତକାଲି ତାଙ୍କୁ ଆଳୁ ମସଲା ମୁଢି ସହ ମେସରେ ଖାଇବାକୁ ଦେଇଥିଲେ। ଏହାକୁ ସେ ସିନିୟର ଛାତ୍ରୀଙ୍କ ସହ ମିଳିମିଶି ଖାଇଥିଲେ। ମାତ୍ର ତାଙ୍କୁ ‘ତୋର ଏତେ ସାହାସ ମେସକୁ ଅାଳୁ ନେଇକି ଆସିଲୁ? କହି ଗାଳି କରିବା ସହ ନାନା ନିର୍ଯ୍ୟାତନା ଦେଇଥିଲେ। ସବୁବେଳେ ତାଙ୍କ ଉପରେ ଏଭଳି ଗାଳି ଗୁଲଜ ଏବଂ ନିର୍ଯ୍ୟାତନା ହେଉଥିବାରୁ ସେ ମାନସିକ ଭାବେ ଭାଙ୍ଗି ପଡିବା ସହ ଏନେଇ ଅନେକ ଥର ତାଲିମ କେନ୍ଦ୍ରର ଭାରପ୍ରାପ୍ତ ଅଧ୍ୟକ୍ଷାଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ଏଥିରେ କୌଣସି ସୁଫଳ ନମିଳିବାରୁ ସେ ଗତକାଲି ରାତ୍ରୀରେ ବାଧ୍ୟ ହୋଇ ଆଂଟି ରାଗିଂ ସ୍କ୍ୱାର୍ଡକୁ ଫୋନ ଯୋଗେ ଅଭିଯୋଗ କରିଥିଲେ।

 

ଏହାପରେ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡାକ୍ତର ଧନଞ୍ଜୟ ମହାନ୍ତ ତାଲିମ କେନ୍ଦ୍ରକୁ ଯାଇ ସମ୍ପୃକ୍ତ ଛାତ୍ରୀଙ୍କୁ ବୁଝାଇବା ସହ ଆଗକୁ ଆଉ ସେମିତି କିଛି ହେବନି ବୋଲି ପ୍ରତିଶୃତି ଦେଇଥିଲେ। ଏହା ସତ୍ତ୍ବେ ସମ୍ପୃକ୍ତ ଛାତ୍ରୀଙ୍କ ସାହସ ପାଉନଥିବାରୁ ସେ ଆଜି ରାତ୍ରୀ ପ୍ରାୟ ୮ଟା ସମୟରେ ଜିଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡା. ସାଧନା ଦାଶଙ୍କୁ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ଓ ତାଙ୍କ ପ୍ରତି ସିନିୟରମାନେ କରୁଥିବା ରାଗିଂ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଲିଖିତ ଗୁହାରୀ କରିଥିବା ଜଣାପଡିଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଦାଶଙ୍କ ମତାମତ ଲୋଡିବାରୁ ରାଗିଂ ସମ୍ପର୍କରେ ସେ ଆଜି ହିଁ ଜାଣିଲେ ବୋଲି ପ୍ରକାଶ କରିଛନ୍ତି। ଏହାସହ ଅଭିଯୋଗର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ମତାମତ ପାଇଁ ତାଲିମ କେନ୍ଦ୍ରର ଭାରପ୍ରାପ୍ତ ଅଧ୍ୟକ୍ଷା ସଂଧ୍ୟାରାଣୀ ନିଖଣ୍ଡିଆଙ୍କୁ ମୋବାଇଲରେ ଯୋଗାଯୋଗ କରିବାରୁ ସେ ବ୍ୟସ୍ଥ ଥିବା ଦର୍ଶାଇ ପରେ ଯୋଗାଯୋଗ କରିବାକୁ ସଫେଇ ଦେଇଛନ୍ତି। ତେବେ ସେ ଯାହା ହଉନା କାହିଁକି ଶିକ୍ଷାନୁଷ୍ଠାନରେ ରାଗିଂ ଭଳି ଏକ ସ୍ପର୍ଷକାତର ଘଟଣା ସମ୍ପର୍କରେ ନିରପେକ୍ଷ ତଦନ୍ତ କରି ବିଭାଗୀୟ କର୍ତ୍ତୃପକ୍ଷ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Comments are closed.