ଇସ୍ତଫା ଦେଲେ ରଘୁନାଥ

0

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହେବା ପରେ ଶିଳ୍ପୀଗୁରୁ ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର ଓଡ଼ିଶା ଲଳିତକଳା ଏକାଡେମୀ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଥିବାବେଳେ ମୁଖ୍ୟମନ୍ତ୍ରୀ ତାହାକୁ ଗ୍ରହଣ କରିଥିବା ସୂଚନା ମିଳିଛି। ୨୦୧୬ରେ ଏକାଡେମୀର ସଭାପତି ପଦରେ ଆସୀନ ହେବା ପରେ ଡ. ମହାପାତ୍ର ଓଡ଼ିଶାର ଚିତ୍ର ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ବିବିଧ କାର୍ଯ୍ୟ କରିବା ସହ ଏକାଡେମୀର କାର୍ଯ୍ୟକୁ ବ୍ୟାପକ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ରଘୁନାଥଙ୍କ ଇସ୍ତଫା ପରେ ଏକାଡେମୀ ମୁରବିଶୂନ୍ୟ ହୋଇପଡ଼ିଛି। କାରଣ ଏକାଡେମୀର ଉପସଭାପତି ପଦ ଦୀର୍ଘ ବର୍ଷ ଧରି ଖାଲି ପଡ଼ିଛି। ବି.କେ ଆର୍ଟ କଲେଜର ଜଣେ ଅଧ୍ୟାପକ ଏକାଡେମୀର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ଏ ନେଇ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି, ଡ. ମହାପାତ୍ରଙ୍କ ଇସ୍ତଫା ସମ୍ପର୍କିତ ପତ୍ର ଆଜି ବିଭାଗର ହସ୍ତଗତ ହୋଇଛି। ତେବେ ବର୍ତ୍ତମାନ ପାଇଁ ଅସ୍ଥାୟୀ ଭାବେ କାହାକୁ ଏହି ପଦରେ ରଖାଯିବ। ଏନେଇ ଆସନ୍ତାକାଲି ନିଷ୍ପତ୍ତି ନିଆଯିବ। ତେବେ ଖୁବ୍‍ଶୀଘ୍ର ପଦ ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Leave A Reply