ପୂଜ୍ୟ ପ୍ରଣାମ; ଆଜି ସୁରମଣି ରଘୁନାଥ ପାଣିଗ୍ରାହୀଙ୍କ ଜୟନ୍ତୀ

ଜଣେ ଅଦ୍ବିତୀୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦେଶକ ଭାବେ ସୁରମଣି ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ। ୧୯୩୪ ମସିହା ଆଜିର ଦିନରେ ପଣ୍ଡିତ ପାଣିଗ୍ରାହୀଙ୍କ ଜନ୍ମ ରାୟଗଡ଼ା ଜିଲାର ଗୁଣପୁର ସହରରେ ହୋଇଥିଲା। ସ୍ୱାଧୀନତା ସଂଗ୍ରାମୀ ପିତା ପଣ୍ଡିତ ନୀଳମଣି ପାଣିଗ୍ରାହୀଙ୍କଠାରୁ ସେ ୫ବର୍ଷ ବୟସରେ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ। ପରେ ସେ ପଣ୍ଡିତ ବିଶ୍ୱନାଥ ଦାସ ଏବଂ ପଣ୍ଡିତ ନରସିଂହ ନନ୍ଦଙ୍କଠାରୁ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରିଥିଲେ। ସଂଗୀତଜ୍ଞ ମଦୁପାପ୍ପା ରାଓଙ୍କଠାରୁ କର୍ଣ୍ଣାଟକୀ ସଂଗୀତ ଓ ପଣ୍ଡିତ ଡି. ଭି. ପାଲୁସକରଙ୍କଠାରୁ ହିନ୍ଦୁସ୍ତାନୀ କଣ୍ଠସଂଗୀତ ଶିକ୍ଷା ଲାଭ କରିଥିଲେ। ଜୟଦେବଙ୍କ ‘ଗୀତଗୋବିନ୍ଦ’ର ସୁରକାର ଭାବେ ସେ ସମଗ୍ର ବିଶ୍ବରେ ଖ୍ୟାତି ଅର୍ଜନ କରିଥିଲେ। ପଣ୍ଡିତ ପାଣିଗ୍ରାହୀ ପ୍ରଥମ ଓଡ଼ିଆ କଣ୍ଠଶିଳ୍ପୀ ଭାବେ ଫ୍ରାନ୍ସ ସରକାରଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିଲେ।
୧୯୪୮ ମସିହାରେ ରଘୁନାଥ ପାଣିଗ୍ରାହୀ ଆକାଶବାଣୀ କଟକ କେନ୍ଦ୍ରରେ ଜଣେ ନିୟମିତ କଳାକାର ଭାବେ ଯୋଗ ଦେଇଥିଲେ। ସେ ବହୁ ଚଳଚ୍ଚିତ୍ରରେ, ଭଜନ, ଜଣାଣ, ଓଡ଼ିଶୀ, ଛାନ୍ଦ, ଚମ୍ପୁ ଓ ଗଜଲ ଗାନ କରିଛନ୍ତି। ଆଉମଧ୍ୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ କଣ୍ଠଦାନ ସହିତ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ସେ ଏକାଧାରରେ ଓଡ଼ିଶୀ, ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ପଦ୍ଧତିରେ ସଙ୍ଗୀତ ଗାନ କରି ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିଲେ। ସେ ଥିଲେ ୧୨ଟି ଭାଷାରେ ପ୍ରବୀଣ ସଙ୍ଗୀତଜ୍ଞ। ତାଙ୍କର ସୁମଧୁର ଗାୟନ ତାଙ୍କୁ ‘ସୁରମଣି’ ଭାବେ ପରିଚିତ କରିଥିଲା। ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀ ତାଙ୍କ ସହଧର୍ମିଣୀ ଥିଲେ। ସୁରମଣିଙ୍କ କଣ୍ଠସ୍ୱରରେ ତାଳଦେଇ ଓଡ଼ିଶୀ ମୁଦ୍ରାର ସ୍ୱତନ୍ତ୍ର ଭଙ୍ଗୀ ଉପସ୍ଥାପନ କରୁଥିଲେ ସଂଯୁକ୍ତା। ଏସିଆ ଓ ୟୁରୋପ ମହାଦେଶର ବିଭିନ୍ନ ଦେଶ ଗସ୍ତ କରି ଏହି ଦମ୍ପତି ଓଡ଼ିଶୀ ନୃତ୍ୟସଙ୍ଗୀତ ପରିବେଷଣପୂର୍ବକ ଓଡ଼ିଶା ସଂସ୍କୃତିର ମହାନତା ପ୍ରଦର୍ଶନ କରିଥିଲେ। ବହୁ ବିଳମ୍ବରେ ୨୦୧୦ରେ ପଣ୍ଡିତ ପାଣିଗ୍ରାହୀଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯାଇଥିଲା। ୨୦୧୩ ଅଗଷ୍ଟ ୨୫ରେ ଏହି ଅସାଧାରଣ କଣ୍ଠଶିଳ୍ପୀଙ୍କ ପରଲୋକ ଘଟିଥିଲା

Comments are closed.