ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ରାଜ୍ୟସଭା ସାଂସଦ ତଥା ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପୁରୀ ସିପସରୁବାଲି କରୋନା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ନାତି ନୀତେଶ ମହାପାତ୍ର ମୁଖାଗ୍ନି ଦେଇଛନ୍ତି। କରୋନାରେ ମୃତ୍ୟୁ ହୋଇଥିବାରୁ ନିର୍ଦ୍ଧାରିତ ନିୟମ ମୁତାବକ ସ୍ଵର୍ଗଦ୍ଵାର ଶ୍ମଶାନରେ ଶେଷକୃତ୍ୟ ପାଇଁ ଅନୁମତି ମିଳିନଥିବା ଜଣାପଡିଛି। ଅନ୍ୟ ପକ୍ଷରେ ସୂର୍ଯ୍ୟାସ୍ତ ପରେ ତୋପ ସଲାମୀ ଦେବା ନିୟମ ନ ଦେବା ନିୟମ ଥିବାରୁ ଶେଷକୃତ୍ୟରେ ତୋପ ସଲାମୀ ଦିଆ ଯାଇନାହିଁ। ଶେଷକୃତ୍ୟ ସମୟରେ ସ୍ବର୍ଗତ ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଏବଂ ଉପ ଜିଲ୍ଲାପାଳ ଭବତାରଣ ସାହୁ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କର ରବିବାର ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୭୮ ବୟସରେ ଦେହାନ୍ତ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ସେ ଏପ୍ରିଲ ୨୨ରେ ଏମ୍‌ସରେ ଭର୍ତ୍ତି ହୋଇଥିଲେ। ଜଣେ ଲବ୍ଧ ପ୍ରତିଷ୍ଠିତ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଭାବେ ସେ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ। ରଘୁନାଥ ମହାପାତ୍ର ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।

ଗତ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୂରଭାଷ ଜରିଆରେ ଶ୍ରୀ ମହାପାତ୍ରଙ୍କ ପୁଅଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହାପୂର୍ବରୁ ନୂଆଦିଲ୍ଲୀସ୍ଥିତ ଏମ୍ସ ନିର୍ଦେଶକ ଡା. ରଣଦୀପ ଗୁଲେରିଆ ତାଙ୍କୁ ଚିକିତ୍ସା କରୁଥିବା ବିଶେଷଜ୍ଞ ଦଳ ଏବଂ ଏମ୍ସ ନିର୍ଦେଶିକା ଡା. ବି ଗୀତାଞ୍ଜଳୀ ସହ ଆଭାସୀ ସମ୍ମିଳନୀ ଜରିଆରେ କଥା ହୋଇଥିଲେ।

ରଘୁନାଥ ମହାପାତ୍ରଙ୍କ ପରଲୋକରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

Comments are closed.