ସମ୍ବଲପୁର ହୋମିଓପାଥି କଲେଜରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ମାମଲାର ତଦନ୍ତ ଜାରି ରହିଛି : କଲେଜ ଅଧ୍ୟକ୍ଷ

ସମ୍ବଲପୁର : ସମ୍ବଲପୁରର ଭିମସାର, ଭିସୁଟ ପରେ ଏବେ ଓଡିଶା ମେଡିକାଲ କଲେଜ ଅଫ ହୋମିଓପାଥି ଆଣ୍ଡ ରିସର୍ଚ (ସମ୍ବଲପୁର) ଠାରେ ଛାତ୍ରଙ୍କ ଉପସ୍ଥିତିରେ ଛାତ୍ରୀ ମାନଙ୍କୁ ଯୌନ ନିର୍ଯ୍ୟାତନା ସହିତ ରାଗିଂ ହୋଇଥିବାର ସଙ୍ଗୀନ ଅଭିଯୋଗ ହୋଇଛି। ସମ୍ବଲପୁରର ହୋମିଓପାଥି କଲେଜରେ ଗତ ୩୧ ତାରିଖରେ ଏହି ଘଟଣା ଘଟିଥିବାର ସଙ୍ଗୀନ ଅଭିଯୋଗ ରାଜଧାନୀ ନୁଆଦିଲ୍ଲୀ ସ୍ଥିତ ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହେବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣା ପରେ ରାଗିଂ ସେଲ ପକ୍ଷରୁ କଲେଜ କତ୍ତୃପକ୍ଷ ଓ ସମ୍ବଲପୁର ଏସପିଙ୍କୁ ବିହିତ ପଦକ୍ଷେପ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେବାରୁ ଏବେ ଏହାର ତଦନ୍ତ ଜୋରସୋରରେ ଚାଲିଛି।

ଏ ସର୍ମ୍ପକରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ସିଂ ଏଭଳି ଏକ ଅଭିଯୋଗ ହୋଇଥିବାର ସ୍ବୀକାର କରିବା ସହିତ କଲେଜର ଆଣ୍ଟି ରାଗିଂ କମିଟି ଏହାର ତଦନ୍ତ କରୁଛି ବୋଲି କହିଛନ୍ତି। ଏହି ଘଟଣାକୁ ନେଇ ପୁଲିସ ମଧ୍ୟ ଆସି ତଦନ୍ତ କରୁଛନ୍ତି। ଏହି ଘଟଣାକୁ ନେଇ କେହି କଲେଜ କତ୍ତୃପକ୍ଷଙ୍କୁ ଅଭିଯୋଗ କିମ୍ବା ଜଣାଇ ନାହାନ୍ତି। ମହିଳା ଛାତ୍ରୀ ନିବାସରେ ୬୮ ଜଣ ଛାତ୍ରୀ ରହୁଥିବା ବେଳେ ସେଥି ମଧ୍ୟରୁ ୪ ଜଣ ମେସ ଦାୟିତ୍ୱ ନେଇଥିଲେ। ମେସ ପରିଚାଳନାକୁ ନେଇ ଗତ ୩୧ ତାରିଖରେ ୬୪ ଜଣ ଅନ୍ତେବାସୀ ଛାତ୍ରୀ ନିବାସର ଅଧିକ୍ଷକଙ୍କୁ ଲିଖିତ ଭାବରେ ଖାଦ୍ୟର ମାନ, ଗୁଣବତ୍ତା ଆଦି ସମସ୍ୟାକୁ ନେଇ ଅଭିଯୋଗ କରିଥିଲେ। ମେସ ସମସ୍ୟା ସମ୍ମୁଖକୁ ଆସିବା ପରେ ମୁଁ ଓ ଅଧିକ୍ଷକ ଛାତ୍ରୀ ନିବାସକୁ ଯାଇ ସମାଧାନ କରିଥିଲୁ। ଏହା ପରେ ୧ ତାରିଖରେ ୪ ଜଣ ଛାତ୍ରୀ ମାନେ ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଛନ୍ତି। ଛାତ୍ରୀ ନିବାସର ସମସ୍ତ ଅନ୍ତେବାସୀଙ୍କ ବୟାନକୁ କଲେଜର ଆଣ୍ଟି ରାଗିଂ କମିଟି ଓ ପୁଲିସ ରେକର୍ଡ କରିଥିବା ବେଳେ ଏଥିରେ ୬୪ ଜଣ ଛାତ୍ରୀ, କର୍ମଚାରୀ ମାନେ ଏହି ଅଭିଯୋଗକୁ ଅସ୍ୱିକାର କରିଛନ୍ତି। ତେବେ ମେସ ଦାୟିତ୍ୱରେ ରହିଥିବା ୪ ଜଣ ରାଗିଂ ହୋଇଥିବାର କହୁଛନ୍ତି। ଏବେ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରେ ରାଗିଂ ହୋଇଥିବାର କୌଣସି ପ୍ରମାଣ ମିଳି ନ ଥିବା ବେଳେ ଅପରପକ୍ଷରେ ଅଭିଯୋଗ ଆଣିଥିବା ୪ ଜଣ ଛାତ୍ରୀଙ୍କ ବ୍ୟତିତ ଏହି ଅଭିଯୋଗକୁ ଅନ୍ୟ କେହି ସ୍ୱିକାର କରିନାହାନ୍ତି। ଏବେ ତଦନ୍ତ କରାଯାଉଛି ଏବଂ ଏହାର ରିପୋର୍ଟ ଆଣ୍ଟି ରାଗିଂ ସେଲକୁ ଆଜି ପଠାଯିବ ବୋଲି ଅଧ୍ୟକ୍ଷ ସିଂ କହିଛନ୍ତି।

ଏହି ମାମଲାରେ କତରବଗା ଥାନାଧିକାରୀ ଅଜୟ ଜେନା କହିଛନ୍ତି ଯେ, ଏହି ମାମଲାର ତଦନ୍ତ ପାଇଁ କଲେଜକୁ ଯାଇଥିଲୁ। ଏବେ କଲେଜର କତ୍ତପକ୍ଷ ତଦନ୍ତ କରୁଥିବାରୁ ସେମାନେ ରିପୋର୍ଟ ଦେବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିଛୁ। ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ। ତେବେ ଏ ପର୍ଯ୍ୟନ୍ତ ପୁଲିସ ନିକଟକୁ କୌଣସି ଛାତ୍ରୀ ୍କଗିଂ ହୋଇଥିବାର ଅଭିଯୋଗ କରିନାହାନ୍ତି ବୋଲି ଅଧିକାରୀ ଜେନା କହିଛନ୍ତି। ଏ ସର୍ମ୍ପକରେ କଲେଜର ଛାତ୍ରୀ ମାନେ ଏଭଳି କିଛି ଘଟଣା ଘଟି ନାହିଁ ଏବଂ ଏହା ଭିତ୍ତିହୀନ ଅଭିଯୋଗ ବୋଲି କହିଛନ୍ତି।

ସୁଚନାଯୋଗ୍ୟ ଯେ, ନୁଆଦିଲ୍ଲୀ ସ୍ଥିତ ଆଣ୍ଟି ରାଗିଂ ସେଲକୁ ଗତ ୩୧ ତାରିଖ ସନ୍ଧ୍ୟା ୭ଟାରୁ ୯ଟା ମଧ୍ୟରେ କଲେଜ ପରିସରରେ ଥିବା ଛାତ୍ରୀ ନିବାସର ପ୍ରାର୍ଥନା ହଲରେ କନିଷ୍ଠ ବର୍ଷର ଛାତ୍ରୀ ମାନେ ବସିଥିଲେ। ଏହି ସମୟରେ ୫ ଜଣ ବରିଷ୍ଠ ଛାତ୍ରୀ ଓ ଜଣେ ବରିଷ୍ଠ ଛାତ୍ର ପ୍ରବେଶ କରି ୪ ଜଣ ଛାତ୍ରୀଙ୍କୁ ସର୍ବ ସମ୍ମୁଖରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା, ଉଲଗ୍ନ ଏବଂ ଅକଥନୀୟ ଅତ୍ୟାଚାର କରାଯାଇଥିବାର ସଙ୍ଗୀନ ଅଭିଯୋଗ ଆଣ୍ଟି ରାଗିଂ ସେଲକୁ କରିଛନ୍ତି। ଏହି ଘଟଣା ସର୍ମ୍ପକରେ ଆଣ୍ଟି ରାଗିଂ ସେଲ ବିହିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେବାରୁ ଗତ ଏପ୍ରିଲ ୧ ତାରିଖରୁ ଏହି ଘଟଣାର ତଦନ୍ତ ଚାଲିଛି। ଅପର ପକ୍ଷରେ ଅଭିଯୋଗ କରିଥିବା ଛାତ୍ରୀ ମାନେ ଛାତ୍ରୀ ନିବାସର ମେସ ଦାୟିତ୍ୱରେ ରହିଥିବା ବେଳେ ସେମାନଙ୍କ ବିରୋଧରେ ୬୪ ଜଣ ଅନ୍ତେବାସୀ ଛାତ୍ରୀ ମାନେ ବ୍ୟାପକ ଅନିୟମିତତାର ଅଭିଯୋଗ କତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ମେସ ପରିଚାଳନାକୁ ୪ ଜଣ ଛାତ୍ରୀ ଓ ଅନ୍ୟ ଛାତ୍ରୀ ମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବାର କୁହଯାଉଛି। ଏହି ଘଟଣା ପରେ ପ୍ରତିଶୋଧ ପରାୟଣ ହୋଇ ବୋଧହୁଏସ ଏଭଳି ଅଭିଯୋଗ ଆଣ୍ଟି ରାଗିଂ ସେଲରେ କରାଯାଇଥିବ ବୋଲି ଅନୁମାନ କରାଯାଉଛି। ଅପର ପଟରେ କିନ୍ତୁ କଲେଜ କତ୍ତୃପକ୍ଷ ଓ ପୁଲିସ ତଦନ୍ତରେ ରାଗିଂ ଓ ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବା ଛାତ୍ରୀ ମାନଙ୍କର ପରିଚୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବାର ଘଟଣାରୁ କିଛି ତଥ୍ୟ ଲୁଚାଯାଉଥିବାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Comments are closed.