ରାଫେଲକୁ ନେଇ ପାକିସ୍ଥାନର ହୃତକମ୍ପନ: ପାକ୍ ବିଦେଶ ମନ୍ତ୍ରଣାଳୟ କହିଲା ଏମିତି କଥା

ଭାରତର ରାଫେଲ ବିମାନ କ୍ରୟକୁ ଅଣଦେଖା କରାଯାଇ ପାରିବ ନାହିଁ: ଆୟେଶା ଫାରୁକୀ

ଭାରତରେ ଦୁଇଦିନ ତଳେ ପହଞ୍ଚିଛି ୫ ଲଢ଼ୁଆ ବିମାନ ରାଫେଲ । ଭାରତ-ସୀମା​‌ରେ ଚୀନ ସହ ସୃଷ୍ଟି ହୋଇଥିବା ବିବାଦର ୬ ସପ୍ତାହ ମଧ୍ୟରେ ରାଫେଲ ଭାରତରେ ପହଞ୍ଚିବା ଫଳରେ ଉଭୟ ଚୀନ ଓ ପାକିସ୍ଥାନର ନିଦ ହଜି  ଯାଇଛି । ଏହି ସ୍ଥିତି​‌ରେ ପାକିସ୍ଥାନ କହିଛି ରାଫେଲ ଲଢ଼ୁଆ ବିମାନ ଭାରତ କ୍ରୟ ଘଟଣାକୁ ପାକିସ୍ଥାନ କେବେହେଲେ ନଜରଅନ୍ଦାଜ କରିପାରିବ ନାହିଁ ।

ବିବିସି  ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ   ପାକିସ୍ଥାନ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଆୟେଶା ଫାରୁକୀ ପାକ୍ ଗଣମାଧ୍ୟମକୁ କହିଛନ୍ତି ଯେ ଭାରତୀୟ ବାୟୁସେନା ନିକଟରେ ରାଫେଲ ବିମାନ ହାସଲ କରିଥିବା ଖବର ଆମେ ଜାଣିଛୁ । ଭାରତର କିଛି ପୂର୍ବ ଅଧିକାରୀ ଓ ଆନ୍ତର୍ଜାତିକ ଗଣମାଧ୍ୟମ ସୂଚନା ଅନୁସାରେ ରାଫେଲ ବିମାନର ଦୁଇପ୍ରକାର କ୍ଷମତା ରହିଛି । ଏହା ପରମାଣୁ ଅସ୍ତ୍ରଶସ୍ତ୍ର ମଧ୍ୟ ବହନ କରିବାକୁ ସମର୍ଥ । ଭାରତ ନିଜ ସୁରକ୍ଷା ନିମନ୍ତେ ଆବଶ୍ୟକତାଠାରୁ ଅଧିକ ଯତ୍ନ ନେଉଛି ଓ ଅଧିକ କ୍ଷମତା ବଢ଼ାଉଛି । ପଶ୍ଚିମ ଦେଶଗୁଡ଼ିକ ନିଜର ସଂକୁଚିତ ବ୍ୟବସାୟିକ ସ୍ବାର୍ଥ ଦୃଷ୍ଟିରୁ ଭାରତକୁ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ବୈଷୟିକ ଜ୍ଞାନକୌଶଳ ଯୋଗାଉଛନ୍ତି । ସେ ପୁଣି କହିଛନ୍ତି ଯେ ଏପରି ଅସ୍ତ୍ରଶସ୍ତ୍ର ଭାରତକୁ ପ୍ରଦାନ କରି ପାଶ୍ଚାତ୍ୟ ଦେଶଗୁଡ଼ିକ ବିଭିନ୍ନ ରପ୍ତାନୀ ନିୟନ୍ତ୍ରଣର ଉଲ୍ଲଙ୍ଘନ କରୁଛନ୍ତି । ଏହି ସ୍ଥିତିରେ ଭାରତକୁ ରାଫେଲ ବିମାନ ପ୍ରଦାନକୁ ପାକିସ୍ଥାନ କେବେ ଅଣଦେଖା କରିପାରିବ ନାହିଁ ।

ସୂଚନାଯୋଗ୍ୟ ଯେ ବୁଧବାରଦିନ ପ୍ରଥମ ପର୍ଯ୍ୟାୟରେ ୫ ରାଫେଲ ବିମାନ ଭାରତରେ ପହଞ୍ଚିଛି । ଆଉ ୩୧ଟି ବିମାନ ଆସିବାକୁ ବାକି ଅଛି । ଭାରତୀୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ରାଫେଲ ବିମାନକୁ ସେନାରେ ସାମିଲ କରାଯିବାକୁ ଇତିହାସରେ ଏକ ନୂତନ ଅଧ୍ୟାୟର ପ୍ରାରମ୍ଭ ବୋଲି କହିଛନ୍ତି । ଏପରି ସ୍ଥିତିରେ ଭାରତର ରାଫେଲ ଆମଦାନୀ ଓ ଏଥିରେ ପରମାଣୁ ଅସ୍ତ୍ର ସଂଯୋଗ ବ୍ୟବସ୍ଥା ପାକିସ୍ଥାନକୁ ବିଚଳିତ କରିଛି।

Comments are closed.