ସୀତାରମଣଙ୍କ ଇସ୍ତଫା ଦାବି କଲେ ରାହୁଲ

0

-ରାଫେଲ ତିଆରି ପାଇଁ ହାଲ୍ ସକ୍ଷମ: ଟିଏସ୍ ରାଜୁ, -ରାଫେଲ ଜେଟ୍ ଉଡାଇଲେ ବାୟୁସେନା ଉପମୁଖ୍ୟ

ନୂଆଦିଲ୍ଲୀ : ଫ୍ରାନ୍ସଠାରୁ ରାଫେଲ ଯୁଦ୍ଧ ବିମାନ କିଣିବା ନେଇ ରାଜନୀତି ସରଗରମ ଥିବାବେଳେ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରିଛନ୍ତି। ବାୟୁସେନା ପାଇଁ ରାଫେଲ ଯୁଦ୍ଧବିମାନ ନିର୍ମାଣ କରିବାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍‌) ସକ୍ଷମ ନୁହେଁ ବୋଲି ସୀତାରମଣ ଦେଇଥିବା ମନ୍ତବ୍ୟ ମିଛ ଦର୍ଶାଇ ରାହୁଲ ତାଙ୍କର ଇସ୍ତଫା ଦାବି କରିଛନ୍ତି। ରାହୁଲ ଟ୍ବିଟରରେ ଲେଖିଛନ୍ତି ଯେ ସୀତାରମଣଙ୍କ ମନ୍ତବ୍ୟରେ କୌଣସି ସ୍ଥିରତା ନାହିଁ। ରାଫେଲ ଯୁଦ୍ଧ ବିମାନ ନିର୍ମାଣ କରିବା ପାଇଁ ହାଲ୍ ସକ୍ଷମ ନୁହେଁ ବୋଲି ସୀତାରମଣ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ମିଥ୍ୟା। ହାଲ୍‌ର ପୂର୍ବତନ ମୁଖ୍ୟ ଟିଏସ୍ ରାଜୁ ତାଙ୍କର ଏହି ମିଛକୁ ପଦାରେ ପକାଇଛନ୍ତି। ସେପ୍ଟେମ୍ବର ୧ରେ ଅବସର ଗ୍ରହଣ କରିଥିବା ରାଜୁ କହିଛନ୍ତି ଯେ ରାଫେଲ ଯୁଦ୍ଧବିମାନ ତିଆରି କରିବାକୁ ହାଲ୍ ସକ୍ଷମ। ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ମଧ୍ୟରେ ରାଫେଲ ବିମାନ ନିର୍ମାଣ କରିବା ସମ୍ଭବ ନୁହେଁ; ମାତ୍ର ସରକାର ଯଦି ଫ୍ରାନ୍ସର ଡାସଲ୍ଟ କମ୍ପାନୀ ସହ ବୁଝାମଣା କରାଇବାରେ ସକ୍ଷମ ହୋଇଥାନ୍ତେ ତେବେ ଭାରତରେ ଏହି ଯୁଦ୍ଧ ବିମାନ ନିର୍ମାଣ ସମ୍ଭବ ହୋଇପାରିଥାନ୍ତା। ରାଜୁଙ୍କ ଏହି ମନ୍ତବ୍ୟ ପରେ ହାଲ୍ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ମିଛ କହିଥିବା ରାହୁଲ କହିବା ସହ ତାଙ୍କର ଇସ୍ତଫା ଦାବି କରିଛନ୍ତି। ରାଜୁ କହିଛନ୍ତି ଯେ ହାଲ୍ ସୁଖୋଇ-୩୦ ଯୁଦ୍ଧ ବିମାନ ନିର୍ମାଣ କରିଥିବାବେଳେ ଡାସଲ୍ଡ ନିର୍ମିତ ମିରେଜ-୨୦୦୦ ଯୁଦ୍ଧ ବିମାନର ପରିଚାଳନା (ମେଣ୍ଟେନାନ୍ସ) କରୁଛି। ତେଣୁ ରାଫେଲ ଯୁଦ୍ଧବିମାନ ନିର୍ମାଣ କରିବା ହାଲ୍ ପକ୍ଷେ ଅସମ୍ଭବ ନୁହେଁ।
କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ ରାଷ୍ଟ୍ରାୟତ୍ତ ସଂସ୍ଥା ହାଲ୍‌କୁ ଉପେକ୍ଷା କରି ସରକାର ଘରୋଇ କମ୍ପାନୀକୁ ରାଫେଲ ଯୁଦ୍ଧ ବିମାନ ନିର୍ମାଣ ଲାଗି ଅନୁମୋଦନ କରିବା ଦ୍ବାରା ୪୧ହଜାର କୋଟି ଟଙ୍କାର ରାଜସ୍ବ ହାନି ହୋଇଛି। ଏହା ସହିତ ଦେଶର ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛନ୍ତି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ କେନ୍ଦ୍ର ସରକାର ନିଜର ବ୍ୟାବସାୟିକ ବନ୍ଧୁଙ୍କୁ ଫାଇଦା ଦେବା ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନେଇଥିବା ରାହୁଲ କହିଛନ୍ତି। ପୂର୍ବରୁ ସୀତାରମଣ କହିଥିଲେ ରାଫେଲ ରାଜିନାମାରୁ ହାଲ୍‌କୁ ବାଦ ଦେବା ନିଷ୍ପତ୍ତି ୟୁପିଏ ସରକାର ନେଇଥିଲା। ଡାସଲ୍ଟ କମ୍ପାନୀର ସର୍ତ୍ତରେ ହାଲ୍ ରାଜି ନ ହେବାରୁ ଏହାକୁ ଏହି ରାଜିନାମାରୁ ୟୁପିଏ ସରକାର ବାଦ ଦେଇଥିଲେ। ଫ୍ରାନ୍ସ ଠାରୁ ରାଫେଲ ଯୁଦ୍ଧ ବିମାନ କିଣିବା ନେଇ ୨୦୧୨ରେ ନିଷ୍ପତ୍ତି ହୋଇଥିଲା। ଅନ୍ୟପଟେ ରାଫେଲ ବୁଝାମଣାକୁ ନେଇ ରାଜନୀତି ସରଗରମ ରହିଥିବାବେଳେ ଭାରତୀୟ ବାୟୁସେନା ଉପମୁଖ୍ୟ (ଏୟାର ମାର୍ଶାଲ) ରଘୁନାଥ ନାମ୍ବିଆର ଗୁରୁବାର ଫ୍ରାନ୍ସରେ ରାଫେଲ ଯୁଦ୍ଧବିମାନକୁ ପରୀକ୍ଷାମୂଳକ ଉଡାଣ କରିଛନ୍ତି। ନାମ୍ବିଆର ତେଜସ୍ ଯୁଦ୍ଧବିମାନ ଉଡାଣରେ ବେଶ ଦକ୍ଷ।

Leave A Reply