ରାଫେଲ କାରବାର: ସୁପ୍ରିମକୋର୍ଟରେ ତଥ୍ୟ ଦାଖଲ କଲା କେନ୍ଦ୍ର

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦେଶର ଅନୁପାଳନ ପୂର୍ବକ କେନ୍ଦ୍ର ସରକାର ଶନିବାର ରାଫେଲ କାରବାର ସମ୍ବନ୍ଧୀୟ ତଥ୍ୟ ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲଙ୍କ ନିକଟରେ ଦାଖଲ କରିଛନ୍ତି। ରାଫେଲ କାରବାରରେ ଦୁର୍ନୀତି ଅଭିଯୋଗ ଦର୍ଶାଇ ଆଇନଜୀବୀ ଏମ୍‍.ଏଲ୍‍. ଶର୍ମା କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଅକ୍ଟୋବର ୧୦ରେ ଶୁଣାଣି କରି ଅକ୍ଟୋବର ୨୯ ସୁଦ୍ଧା ସବିଶେଷ ତଥ୍ୟ ସମ୍ବଳିତ ଜଉମୁଦ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ରକୁ ନିର୍ଦେଶ ଦେଇଥିଲେ। ନିରାପତ୍ତା ଦୃଷ୍ଟିକୋଣରୁ ଏହି ବିମାନର ବୈଷୟିକ ଏବଂ ମୂଲ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ବାଧ୍ୟତାମୂଳକ ନୁହେଁ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଏସ୍‍. କେ. କାଉଲ ଓ ବିଚାରପତି କେ. ଏମ୍‍. ଯୋଶେଫ୍‍ଙ୍କ ପୀଠ ସ୍ପଷ୍ଟ କରିଥିଲେ। ରାଫେଲ ବିମାନ ଉପଯୁକ୍ତ କି ନୁହେଁ ତାହା କୋର୍ଟ ଯାଞ୍ଚ କରିବେ ନାହିଁ, ବରଂ ନିଜର ସନ୍ତୁଷ୍ଟି ଲାଗି ଏହି କାରବାର ସମ୍ବନ୍ଧୀୟ ପ୍ରକ୍ରିୟା ବିଷୟେରେ ଅବଗତି ନିମନ୍ତେ ପୀଠ ଏହି ତଥ୍ୟ ଲୋଡିଥିବା କହିଥିଲେ। ସରକାର ଅଧିକ ମୂଲ୍ୟରେ ଏହି ବିମାନ କ୍ରୟ କରୁଥିବା ବିରୋଧୀ ଦଳ ଅଭିଯୋଗ କରିଛି। ୟୁପିଏ ଏବଂ ଏନ୍‍ଡିଏ ସମୟରେ ଧାର୍ଯ୍ୟ ମୂଲ୍ୟ ସମ୍ବନ୍ଧୀୟ ତଥ୍ୟ ଦେଶବାସୀଙ୍କ ନିକଟରେ ପ୍ରକାଶ କରିବା ଦାବିରେ ସୁପ୍ରିମକୋର୍ଟରେ ବିଭିନ୍ନ ଆବେଦନ ହୋଇଛି।

Leave A Reply