ଆମ ସାର୍ବ​‌ଭୌମତ୍ୱ ଉପରେ ଦୃଷ୍ଟି ପକାଉଥିବା ଲୋକଙ୍କ ପାଇଁ ‘ରାଫେଲ’ ଏକ ଦୃଢ ଜବାବ : ରାଜନାଥ

ନୂଆଦିଲ୍ଲୀ : ଭାରତ-ଚୀନ୍ ସୀମାରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଗୁରୁବାର ଦିନ ପାଞ୍ଚଟି ‘ରାଫେଲ’ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହୋଇଛି। ସର୍ବପ୍ରଥମେ, ସର୍ବ ଧର୍ମ ପ୍ରାର୍ଥନା ପରେ ତେଜସ୍, ବାୟୁସେନାର ସୁଖୋଇ ସମେତ ଅନ୍ୟାନ୍ୟ ଅନେକ ବିମାନ ଏୟାର ସୋ’ରେ ଭାଗ ନେଇଥିଲେ। ଏହା ପରେ, ‘ରାଫେଲ’କୁ ୱାଟର କାନନ ସାଲ୍ୟୁଟ ଦିଆ ଯାଇଥିଲା। ଏହି ସମାରୋହକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ସମ୍ବୋଧିତ କରିଥିଲେ।

ଏହି ଅବସରରେ ଚୀନ୍‌କୁ ଇସାରା କରି ରାଜନାଥ ଏକ ଦୃଢ ସନ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ଆମର ସାର୍ବଭୌମତ୍ୱ ଉପରେ ଦୃଷ୍ଟି ପକାନ୍ତି ସେମାନଙ୍କ ପାଇଁ ବାୟୁସେନାରେ ‘ରାଫେଲ’ ସାମିଲ ହେବା ଏକ  ଗୁରୁତ୍ୱପୂର୍ଣ୍ଣ ଘଟଣା । ସେ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଆମେ ଆମର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ସହିତ ବୁଝାମଣା କରିବୁ ନାହିଁ। ପର୍ଲି କହିଛନ୍ତି ଯେ ଏହା ଆମ ଦେଶ ପାଇଁ ଏକ ସଫଳତା। ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ପ୍ରାର୍ଥୀତାକୁ ଫ୍ରାନ୍ସ ସମର୍ଥନ କରୁଛି ବୋଲି ସେ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମ୍ବୋଧନ

Image Source : ANI

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାୟୁସେନାରେ ‘ରାଫେଲ’ ସାମିଲ ସମାରୋହକୁ ସମ୍ବୋଧିତ କରି କହିଛନ୍ତି, ଯେ ବାୟୁସେନାରେ ରାଫାଲର ଯୋଗଦାନ ଏକ ଐତିହାସିକ ମୁହୂର୍ତ୍ତ। ଏହି ଅବସରରେ ମୁଁ ଆମର ବାହୁବଳୀ ‘ରାଫେଲ’ ସମେତ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଆମେ ଦୁହେଁ ପରସ୍ପରକୁ ବୁଝିଛୁ। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକ ରଣନୀତିକ ଭାଗିଦାରୀ ଅଛି ଯାହା ସମୟ ସହିତ ମଜବୁତ ହେଉଛି। ଦୃଢ ଗଣତନ୍ତ୍ର ଉପରେ ଆମର ବିଶ୍ବାସ ଏବଂ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଇଚ୍ଛା ହେଉଛି ଆମର ପାରସ୍ପରିକ ସମ୍ପର୍କର ଆଧାର। ବିଶେଷକରି ଯେଉଁମାନେ ଆମର ସାର୍ବଭୌମତ୍ୱ ଉପରେ ନଜର ପକାନ୍ତି ସେମାନଙ୍କ ପାଇଁ ରାଫେଲ୍ ସାମିଲ ହେବା ଏକ ବଡ଼ ଏବଂ ଦୃଢ ସନ୍ଦେଶ। ସାମ୍ପ୍ରତିକ ସମୟରେ, ଆମ ସୀମାରେ ଉତ୍ତେଜନାର ବାତାବରଣ ଦେଖାଦେଇଛି, ଏପରି ସମୟରେ, ଏହି ‘ରାଫେଲ’ ବାୟୁାସନାରେ ସାମିଲ ହେବା ଏବ ଗୁରୁତ୍ୱପୂର୍ଣ୍ଣ ଘଟଣା। ମୋର ସମ୍ପ୍ରତି ବିଦେଶ ଗସ୍ତରେ ମୁଁ ଭାରତର ଦୃଷ୍ଟିଭଙ୍ଗୀକୁ ବିଶ୍ବ ସମ୍ମୁଖରେ ଉପସ୍ଥାପିତ କରିଛି। ଆମର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ନେଇ କୌଣସି ପରିସ୍ଥିତିରେ ବୁଝାମଣା ନକରିବାକୁ ମୁଁ  ଆମର ସଂକଳ୍ପ ବିଷୟରେ ସମସ୍ତଙ୍କୁ ଅବଗତ କରାଇଛି। ଏଥିପାଇଁ ଆମେ ସବୁକିଛି କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ସିଂହ କହିଛନ୍ତି।

ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀଙ୍କ ସମ୍ବୋଧନ

Image Source : ANI

ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ବାୟୁସେନାରେ ରାଫେଲ ସାମିଲ ସମାରୋହକୁ ସମ୍ବୋଧିତ କରି କହିଛନ୍ତି, ଯେ ଆଜି ଆମ ଦେଶ ପାଇଁ ଏକ ବଡ଼ ସଫଳତା। ମିଳିତ ଭାବେ ଆମେ ଭାରତ-ଫ୍ରାନ୍ସର ପ୍ରତିରକ୍ଷା ସଂପର୍କରେ ଏକ ନୂତନ ଅଧ୍ୟାୟ ଲେଖୁଛୁ। ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପ ସହିତ ଭାରତୀୟ ଉତ୍ପାଦକଙ୍କୁ ଆମର ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକୀକରଣ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ପ୍ରାର୍ଥୀତ୍ବକୁ ଫ୍ରାନ୍ସ ସମର୍ଥନ କରେ।

 

Comments are closed.